ମହିଳା ସଶକ୍ତିକରଣର ନୂଆ ଅଧ୍ୟାୟ : ଧାନ ସଂଗ୍ରହ ପ୍ରକ୍ରିୟାରେ ମହିଳା ଏସଏଚଜି

ଭୁବନେଶ୍ବର () ଚଳିତ ବର୍ଷ 60 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯିବ। ସେଥିରୁ 41 ଲକ୍ଷ ମେଟ୍ରିକ  ଟନ ଚାଉଳ ସଂଗ୍ରହ ହେବ। ଏଥିରେ ବ୍ୟାପକ ପରିମାଣରେ ମହିଳା ସ୍ବୟଂ ସହାୟକ ଗୋଷ୍ଠିଙ୍କୁ ସାମିଲ କରାଯିବ। 48 ଘଣ୍ଟା ମଧ୍ୟରେ ଚାଷୀ ଙ୍କୁ ଅର୍ଥ ମିଳିବ। ପୂର୍ବରୁ 72 ଘଂଟା ଥିଲା। ଯେଉଁ ମିଲରମାନେ ଦେୟ ବକେୟା ରଖିଥିବେ ସେମାନେ ଧାନ ସଂଗ୍ରହ ବ୍ୟବସ୍ଥାରେ ସାମିଲ ହୋଇ ପାରିବେ ନାହିଁ। ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ଖରିଫ ବିପଣନ ବର୍ଷ 2019-20 ଅକ୍ଟୋବର 1 ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର 30, 2020ରେ ଶେଷ ହେବ । ଏହି ସମୟ ମଧ୍ୟରେ ରାଜ୍ୟ ସରକାର ଖରିଫ ଓ ରବି ଋତୁ ପାଇଁ ପୃଥକ ପୃଥକ ଭାବେ ଧାନ ସଂଗ୍ରହ କରିଥାନ୍ତି । ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ସମ୍ପର୍କିତ ପ୍ରକ୍ରିୟାକୁ ସୁପରିଚାଳନା ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତି 2019-20କୁ କ୍ୟାବିନେଟ ମଂଜୁରୀ ଦେଇଛି । 2018-19ରେ ଉଭୟ ଖରିଫ ଓ ରବି ଋତୁରେ 65.49 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଥିଲା ।

ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା 60 ଲକ୍ଷ ମେଟ୍ରିକ ଟନ ଧାନ ମଧ୍ୟରୁ ଖରିଫରେ 50 ଲକ୍ଷ ମେଟ୍ରିକ ଟନ ଓ ରବିରେ 10 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯିବ । ଏହାଠାରୁ ଅଧିକ ଧାନ ଯଦି ପଂଜିକୃତ ଚାଷୀଙ୍କ ଠାରୁ ମଣ୍ଡିକୁ ଆସିଲେ, ତାହା ମଧ୍ୟ କ୍ରୟ କରାଯିବ । ଆବଶ୍ୟକ ହେଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଏହି ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି କରିପାରିବେ ।

ନଭେମ୍ବର 2019ରୁ ମାର୍ଚ୍ଚ 2020 ମଧ୍ୟରେ ଖରିଫ ଧାନ ସଂଗ୍ରହ କରାଯିବ । ଗତ ବର୍ଷ ଖରିଫ ଧାନ ସଂଗ୍ରହର ସର୍ବୋଚ୍ଚ ସମୟ ସୀମା ଅପ୍ରେଲ ଶେଷ ପର୍ଯ୍ୟନ୍ତ ହୋଇଥିଲା । ରବି ଧାନ ମେରୁ ଜୁନ ମଧ୍ୟରେ ସଂଗ୍ରହ କରାଯିବ । ଏହି ବିସ୍ତାରିତ ସମୟସୀମା ଜିଲ୍ଲାମାନେ ସେମାନଙ୍କ ଧାନ ସଂଗ୍ରହର ଅବଧି ନିର୍ଣ୍ଣୟ କରିବେ ।

ଚାଷୀ ପଂଜିକରଣ ବ୍ୟବସ୍ଥାରେ ଅନଲାଇନ ବ୍ୟବସ୍ଥାରେ ପଂଜିକୃତ ଚାଷୀମାନଙ୍କ ଠାରୁ ବଳକା ଧାନ ସଂଗ୍ରହ କରାଯିବ । ପଂଜିକରଣ ପାଇଁ ଚାଷୀମାନେ ପ୍ଲଟୱାରୀ ତଥ୍ୟ ପ୍ରଦାନ କରିବେ । ପ୍ଲଟ ବାବଦ ତଥ୍ୟର ସତ୍ୟାସତ୍ୟ ରାଜସ୍ବ ବିବାଗ ଦ୍ବାରା ପରିଚାଳିତ ଭୁଲେଖ ଡାଟାବେସ ସହ ସଂଯୁକ୍ତ କରାଯାଇ ନିର୍ଣ୍ଣୟ କରାଯିବ । ଧାନ ବିକ୍ରି ପାଇଁ ଆଧାର ଏକମା୍ତ୍ର ପରିଚୟ ପତ୍ର ହେବ । ଧାନ ବିକ୍ରୟ ସମୟରେ ଆଧାର ମାଧ୍ୟମରେ ଚିହ୍ନଟୀକରଣ ପ୍ରକ୍ରିୟା ଅବହଲମ୍ବନ କରାଯିବ ।

ଧାନ କ୍ରୟକାରୀ ସମିତି – ପ୍ୟାକ୍ସ, ଲ୍ୟାମ୍ପ୍ସ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ବା ପାଣି ପଂଚାୟତମାନେ ଅଧିକରୁ ଅଧିକ ପ୍ରକୃତ ଚାଷୀ, ଭାଗଚାଷୀ ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଧାନ ସଂଗ୍ରହ ବ୍ୟବସ୍ଥାରେ ସାମିଲ କରାଇବେ । ଧାନ ସଂଗ୍ରହ ବ୍ୟବସ୍ଥାକୁ ପ୍ରସାରିତ କରିବା ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଅଧିକ ସଂଖ୍ୟାରେ ସାମିଲ କରାଯିବ । ପ୍ରଥମ ଥର ପାଇଁ ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସାମିଲ ହେବ । ଆଜି ଏହାକୁ ରାଜ୍ୟ କ୍ୟାବିନେଟର ମଂଜୁରୀ ମିଳିଛି ।

ସେହିଭଳି ପରିବାରର ଖାଦ୍ୟ ଶସ୍ୟର ଆବଶ୍ୟକତା ପୂରଣ ପାଇଁ ଚାଷୀମାନେ ଉତ୍ପାଦିତ ଫସଲର କିଛି ଅଂଶ ରଖିବା ଉପରେ କୌଣସି ବାଧ୍ୟବାଧକତା ନାହିଁ । ଅର୍ଥାତ ବିଗତ ଧାନ ସଂଗ୍ରହ ଋତୁରେ ପ୍ରଣୀତ ନୀତି ଅନୁସାରେ ଚାଷୀ ତାର ସମସ୍ତ ଉତ୍ପାଦିତ ବଳକା ସରକାରଙ୍କୁ ବିକ୍ରି କରିବା ବ୍ୟବସ୍ଥା ଅବ୍ୟାହତ ରହିବ । ଫଳରେ ଅଧିକ ସଂଖ୍ୟାରେ ପ୍ରକୃତ ଚାଷୀ, ଭାଗଚାଷୀ ଓ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଧାନ ସଂଗ୍ରହ ବ୍ୟବସ୍ଥାରେ ସାମିଲ ହୋଇପାରିବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଚାଷୀଙ୍କ ଧାନ ବିକ୍ରି ବାବଦ ପ୍ରାପ୍ୟ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅନଲାଇନ ପ୍ରକ୍ରିୟାରେ ସିଧା ସଳଖ ପ୍ରଦାନ କରାଯିବ । ଏହି ପ୍ରାପ୍ୟ ଧାନ ବିକ୍ରିର 24ରୁ 48 ଘଣ୍ଟା ମଧ୍ୟରେ ସମାପନ କରାଯିବ । ଏଥିସହିତ ଗତ ଧାନ ସଂଗ୍ରହ ଋତୁରେ ଶତ ପ୍ରତିଶତ ବକେୟା ଫେରସ୍ତ କରିନଥିବା ମିଲର ଏଥର ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହେବେନାହିଁ ।

Share

Leave a Reply

Your email address will not be published. Required fields are marked *

5 × one =