ନୂଆ ରୂପରେ ଉଭା ହେବ ଶ୍ରୀଜଗନ୍ନାଥ କ୍ଷେତ୍ର : 500 କୋଟି ଟଙ୍କାର ପ୍ରକଳ୍ପ ଘୋଷଣା

ପୁରୀର ରୂପାନ୍ତରଣ ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ପୁରୀର ବିକାଶ ପାଇଁ ଆଉ ୫୦୦ କୋଟିର ପ୍ରକଳ୍ପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ପୁରୀର ବିକାଶ ପାଇଁ ଏକ ସମୀକ୍ଷା ବୈଠକରେ ବିସ୍ତ୍ରୁତ ଭାବେ ଆଲୋଚନା ପରେ ଏହି ପ୍ରକଳ୍ପ ଘୋଷଣା ହୋଇଛି । ଭିତ୍ତିଭୂମି ବିକାଶ, ନୂଆ ରାସ୍ତା, ସେତୁ ଓ ପାର୍କିଂ ପ୍ଲେସ ପାଇଁ ଏହିସବୁ ପ୍ରକଳ୍ପ ଘୋଷଣା ହୋଇଛି ।

ଶ୍ରୀ ଜଗନ୍ନାଥଙ୍କ ନାମ ସ୍ମରଣ କରି କାମ ଆରମ୍ଭ କଲେ ସବୁ କାମ ଶୁଭ ହୁଏ । ଏହା ଓଡିଆ ଜାତିର ବିଶ୍ବାସ । ପୁରୀ ଓଡିଆ ଜାତିର ପ୍ରାଣକେନ୍ଦ୍ର । ମହାପ୍ରଭୁ ଆମର ଆତ୍ମା । ଶହଶହ ବର୍ଷ ଧରି ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଓିଆ ଜାତି ଅନେକ ତ୍ୟାଗ କରିଛି, ଅନେକ ବଳିଦାନ ଦେଇଛି । ମହାପ୍ରଭୁଙ୍କୁ ଧରି ଚିଲିକାରୁ ସୋନପୁର ପର୍ଯ୍ୟନ୍ତ ବୁଲିଛି । ଶହ ଶହ ବର୍ଷ ଧରି ମହାପ୍ରଭୁ ପାତାଳି ହୋଇ ରହିଛନ୍ତି । ବହୁ ବର୍ଷ ଧରି ପବିତ୍ର ରଥଯାତ୍ରା ମଧ୍ୟ ବନ୍ଦ ହୋଇଯାଇଥିଲା । କିନ୍ତୁ ଓଡିଆ ଜାତିକୁ ତାର ଆତ୍ମା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରୁ କେହି ଅଲଗା କରିପାରିନାହିଁ, କି କରିପାରିବ ନାହିଁ । ବିଶର ମହାନ୍ତିଙ୍କ ତ୍ୟାଗ ଏ ଜାତି କେବେ ଭୁଲି ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆମ ସଂସ୍କତି, ଆମ ପରମ୍ପରା, ମହାପ୍ରଭୁଙ୍କୁ କେନ୍ଦ୍ର କରି ଗଢି ଉଠିଛି । ସେ ହେଉଛନ୍ତି ଆମ ଅସ୍ମିତାର ପ୍ରତୀକ । ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସୁରକ୍ଷା ଓଡିଆ ଜାତିର ଧର୍ମ । ବିର୍ତ୍ତମାନ ସାରା ବିଶ୍ବ ପାଇଁ ଆତଙ୍କବାଦ ଏକ ବଡ ସମସ୍ୟା ଭାବେ ଦେଖାଦେଇଛି । ଆତଙ୍କବାଦର ଧର୍ମ ନାହିଁ । ବିଭିନ୍ନ ଧର୍ମ ଅନୁଷ୍ଠନକୁ ସେମାନେ ଟାର୍ଗେଟ କରୁଛନ୍ତି । ତେଣୁ ଶ୍ରୀମନ୍ଦିରର ନିରାପତ୍ତା ପାଇଁ ଆସିଥିବା ସୁପାରିଶକୁ କାର୍ଯ୍ୟକାରୀ କରିବା ନିହାତି ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଥିରେ କିଛି ପରିବାର ପ୍ରଭାବିତ ହୋଇପାରନ୍ତି । କିନ୍ତୁ ଶ୍ରୀମନ୍ଦିରର ନିରାପତ୍ତା ପାଇଁ ଏ ତ୍ୟାଗ ଗରୁତ୍ବପୂର୍ଣ୍ଣ । ଆମର ଭବିଷ୍ୟତ ପୀଢି ପାଇଁ ଶ୍ରୀମନ୍ଦିରକୁ ସୁରକ୍ଷିତ ରଖିବା ଜରୁରୀ । ମୁଁ ଚାହେଁ, ଆପଣମାନେ ଏହାକୁ ମହାପ୍ରଭୁଙ୍କ ସେବା ଭାବି ସହଯୋଗ କରନ୍ତୁ । ଆପଣମାନଙ୍କର ତ୍ୟାଗକୁ ଓଡିଆ ଜାତି ସବୁଦିନ ମନେ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେ କହିଛନ୍ତି ଯେ, “ମୁଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଆପଣଙ୍କୁ କଥା ଦେଉଛି ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଯେଉଁମାନଙ୍କ ଘର ବା ଦୋକାନ ଆସୁଛି, ସେମାନଙ୍କର ଠିକ ଭାବେ ଥଇଥାନ କରାଯିବ । ସେହିପରି ସୁରକ୍ଷା ଜୋନରେ ଥିବା ମଠ ଗୁଡିକୁ ପୁଣି ଥରେ ଗଢିବାରେ ରାଜ୍ୟ ସରକାର ପୂରା ସହଯୋଗ କରିବେ” ।

ଜଗନ୍ନାଥଙ୍କ ନୀତି ସହିତ ମଠମାନଙ୍କର ସ୍ବତନ୍ତ୍ର ସମ୍ପର୍କ ରହିଛି । ପୁରୀରେ ଥିବା ସବୁ ମଠଗୁଡିକୁ ଅଭଡା ଯୋଜନାରେ ରାଜ୍ୟ ସରକାର ସାହାଯ୍ୟ ଯୋଗାଇ ଦେବେ । ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ 100 କୋଟି ଟଙ୍କା ରଖାଯାଇଛି । ମଠ ସଂସ୍କୃତିର ସୁରକ୍ଷା ପାଇଁ ସରକାର ପୂରା ସହଯୋଗ ଯୋଗାଇଦେବେ ।

“ଫନି ପରେ ମେ ମାସରେ ମୁଁ ପୁରୀ ଯାଇଥିଲି । ସେତେବେଳେ ମହାପ୍ରଭୁଙ୍କ ପବିତ୍ର ଧାନ ପୁରୀର ଅବସ୍ଥା ଦେଖି ମତେ ବହୁତ କଷ୍ଟ ଲାଗିଥିଲା । ପୁରୀକୁ ବିଶ୍ବ ଐତିହ୍ୟ କ୍ଷେତ୍ର ଭାବେ ଗଢିବା ପାଇଁ ମୁଁ ସେହି ଦିନ ହିଁ ସଂକଳ୍ପ ନେଇଥିଲି” । ନିକଟରେ ପୁରୀର ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର 265 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି । ଆଜି ପୁରୀର ଐତିହ୍ୟର ସୁରକ୍ଷା ପାଇଁ ଆଉ 500 କୋଟି ଟଙ୍କାର ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ପୁରୀରେ ରାଜ୍ୟର ପ୍ରଥମ ଟ୍ରମପେଟ ବ୍ରିଜ ତିଆରି ହେବ । ପୁରୀରେ ଥିବା ପବିତ୍ର ପୋଖରୀ ଗୁଡିକର ମରାମତି କରାଯିବ ଏବଂ ଐତହ୍ୟର ମଧ୍ୟ ପୁନଃନିର୍ମାଣ କରାଯିବ । ଅଠରନଳାର ବିକାଶ ପାଇଁ ପଦକ୍ଷେପ ନିଆଯିବ । ମୁଷା ନଦୀର ପୁନରୁଦ୍ଧାର କରାଯାଇ ତାକୁ ମଙ୍ଗଳା ନଦୀ ସହିତ ସଂଯୋଗ କରାଯିବ । ମୂଷା ନଦୀରେ ରିଭର ଫ୍ରଣ୍ଟ ପର୍ଯ୍ୟଟନର ବିକାଶ କରାଯିବ । ମୂଷା ନଦୀ ପୁନରୁଦ୍ଧାର, ପର୍ଯ୍ୟଟନ ପାଇଁ ୮୫ କୋଟି ଟଙ୍କା ଖର୍ଚ୍ଚ ହେବ । ପୁରୀରେ 28 ଏକର ଜମିରେ ଏକ ବହୁତ ବଡ ପୋଖରୀ ନିର୍ମାଣ କରାଯିବ । ଯାତ୍ରୀଙ୍କ ସୁବିଧା ପାଇଁ ପୁରୀକୁ ବହୁମୁଖୀ ରାସ୍ତା ଓ ବଡ ପାର୍କିଂ ସୁବିଧା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ମାଳତୀପାଟପୁରରୁ ଜଗନ୍ନାଥବଲ୍ଲଭ ମଠକୁ ସଂଯୋଗ କରିବ ଶ୍ରୀସେତୁ । ଶ୍ରୀସେତୁ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୧୯୦ କୋଟି ଟଙ୍କା  । ଜଗନ୍ନାଥବଲ୍ଲଭ ମଠରେ ବହୁତଳ ପାର୍କିଂ ବ୍ୟବସ୍ତା କରାଯିବ । ବହୁତଳ ପାର୍କିଂ ସହ ୧୦ ହଜାର ଲୋକଙ୍କ ପାଇଁ ଧ୍ୟାନ କେନ୍ଦ୍ର ହେବ । ବହୁତଳ ପାର୍କିଂ, ଧ୍ୟାନକେନ୍ଦ୍ର, ମାର୍କେଟ କମ୍ପେ୍ଲକ୍ସ ପାଇଁ ଖର୍ଚ୍ଚ ହେବ ୧୮୦ କୋଟି ଟଙ୍କା ।ମୂଷା ନଦୀର ପୁନରୁଦ୍ଧାର ହୋଇ ମଙ୍ଗଳା ନଦୀ ସହ ସଂଯୋଗ ହେବ । ଅଠରନଳାର ସୌନ୍ଦର୍ଯ୍ୟକରଣ କରାଯିବ, ଖର୍ଚ୍ଚ ହେବ ୫ କୋଟି ଟଙ୍କା । ପୁରୀରେ ୨୮ ଏକର ଜମିରେ ହେବ ହ୍ରଦ, ଖର୍ଚ୍ଚ ହେବ ୩୫ କୋଟି ଟଙ୍କା । ତୀର୍ଥ ପୁଷ୍କରିଣୀ ଶ୍ବେତଗଙ୍ଗା, ମାର୍କଣ୍ଡ, ନରେନ୍ଦ୍ର, ଇନ୍ଦ୍ରଦ୍ୟୁମ୍ନର ପୁନରୁଦ୍ଧାର ହେବ । ପୁଷ୍କରିଣୀ ପୁନରୁଦ୍ଧାର କାର୍ଯ୍ୟ ୨ ବର୍ଷରେ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀଜଗନ୍ନାଥ ହେଉଛନ୍ତି ଓଡିଆ ଜାତିର ସବୁଠାରୁ ବଡ ପରିଚୟ । ପୁରୀ ଧାମର ଗରିମା ବୃଦ୍ଧି ଦିଗରେ ଆମର ଉଦ୍ୟମର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ ସହ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

18 − 18 =