ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ନେଇ ୪୦ ଅଧିକାରୀ ଓ ୨୦୦ ପୋଲିସ ଅଫିସର ନିୟୋଜିତ

ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ସିଧାସଳଖ ରାଜଭବନ ଅଭିମୁଖେ ଓ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ୨୦ତାରିଖ ସକାଳ ୧୦.୩୫ ରେ ଗୌଡୀୟ ମଠ ପରିଦର୍ଶନ କରି ପୂର୍ବାହ୍ନ ୧୧ଟାରେ ଶରଧାବାଲିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଥିପାଇଁ ଅତିରିକ୍ତ ଡିଜି ରାକେଶ କୁମାର ଶର୍ମା ଆଜି ପୁରୀ ଆସି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ସେପଟେ ରହଣିସ୍ଥଳକୁ ପରିବର୍ତ୍ତନ କରାଯାଇ ଘରୋଇ ହୋଟେଲ୍ ପରିବର୍ତ୍ତେ ରାଜଭବନରେ ରାଷ୍ଟ୍ରପତି ରାତ୍ରିଯାପନ କରିବେ।
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦୁଇଦିନିଆ ଗସ୍ତ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୪୦ ଜଣ ଅଧିକାରୀ ଓ ୨୦୦ ପୋଲିସ ଅଫିସର ନିୟୋଜିତ ହେବେ। ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ୧୯ ତାରିଖ ଅପରାହ୍ନ ୨.୪୫ରେ ଭୁବନେଶ୍ୱର ବିମାନବନ୍ଦର ଓ ୩.୨୫ରେ ପୁରୀ ହେଲିପ୍ୟାଡରେ ପହଞ୍ଚିବା ପରେ ରାଜଭବନରେ ଅବସ୍ଥାନ କରିବେ। ଏହା ପରେ ୫ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ୫.୪୫ ରେ ବାହାରିବେ। ଶ୍ରୀମନ୍ଦିର ଭିତରେ ସେ ୪୫ ମିନିଟ ସମୟ ଅତିବାହିତ କରିବେ। ମଙ୍ଗଳବାର ଅତିରିକ୍ତ ଡିଜି ରାକେଶ କୁମାର ଶର୍ମା ପ୍ରଥମେ ତାଳବଣିଆ ହେଲିପ୍ୟାଡ, ପରେ ଘରୋଇ ହୋଟେଲ, ରାଜଭବନ ଏବଂ ପରେ ବଡ଼ଦାଣ୍ଡ ସ୍ଥିତ ଗୈାଡିୟ ମଠ ଓ ଶରଧାବାଲି ଆସି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି।
ଶ୍ରୀମନ୍ଦିର ଭିତରେ ଓ ବାହାରେ, ରାଜଭବନ, ରାଷ୍ଟ୍ରପତିଙ୍କ ଦର୍ଶନ, ଶରଧାବାଲି ସଭାସ୍ଥଳ ଓ ସେଠାରୁ ଫେରିବାର ପ୍ରତ୍ୟେକଟି ଦିଗକୁ ନେଇ ସୁରକ୍ଷା ବ୍ୟବସ୍ଥାର ତର୍ଜମା କରିଛନ୍ତି ଅତିରିକ୍ତ ଡିଜି। ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଗସ୍ତ ସମୟରେ ଅପରାହ୍ନ ୪ ଟା ରୁ ୬ ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ରାଷ୍ଟ୍ରପତି ୨୦ ତାରିଖ ସକାଳ ୧୦.୩୫ ରେ ଶ୍ରୀଚୈତନ୍ୟ ଗୌଡିୟ ମଠ ଯାଇ ପରିଦର୍ଶନ କରିବେ।ସେଠାରେ ମଠ ପକ୍ଷରୁ ଶଙ୍ଖଧ୍ଵନି, ସଙ୍କୀର୍ତ୍ତନ ମଧ୍ୟରେ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରାଯିବ। କୋଭିଡ କଟକଣା ମଧ୍ୟରେ ମଠର ୪୦ଜଣ ଆଚାର୍ଯ୍ୟ ଉପସ୍ଥିତ ରହିବେ। ଭାରତବର୍ଷର ବିଭିନ୍ନ ସ୍ଥାନରୁ ମଠ ଶାଖାର କର୍ମକର୍ତ୍ତା, ସାଧୁସନ୍ଥ ଯୋଗ ଦେବେ। ଏହାପରେ ମଠରୁ ବାହାରି ୧୧ଟା ରେ ଶରଧାବାଲିରେ ଆୟୋଜିତ ଗୌଡୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ଵତୀ ଗୋସ୍ୱାମୀ ମହାରାଜଙ୍କ ୧୫୦ତମ ଜୟନ୍ତୀ ସମାରୋହ ଉଦଘାଟନୀ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବେ। ଏହି ଭବ୍ୟ ସାରସ୍ଵତ କାର୍ଯ୍ୟକ୍ରମରେ ଶ୍ରୀ ଚୈତନ୍ୟଙ୍କ ବାଣୀ, ଆଦର୍ଶ, ନୀତି ଓ ଜୀବନାଦର୍ଶ ସଂପର୍କରେ ଆଲୋଚନା କରାଯିବ। ଏହି କାର୍ଯ୍ୟକ୍ରମରେ ୬୦୦ ମଠ କର୍ମକର୍ତ୍ତା ଯୋଗଦେବେ।
ପୂର୍ବରୁ ରାଷ୍ଟ୍ରପତି ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ତାଙ୍କ ରହଣିସ୍ଥଳକୁ ପରିବର୍ତ୍ତନ କରାଯାଇଛି। ଘରୋଇ ହୋଟେଲ୍ ପରିବର୍ତ୍ତେ ରାଷ୍ଟ୍ରପତି ରାଜଭବନରେ ରାତ୍ରିଯାପନ କରିବେ। ସ୍ଵୀକୃତି ପାଇଁ ରାଷ୍ଟ୍ରପତି ଭବନକୁ ପଠାଯାଇଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

thirteen + three =