ଦୁଷ୍କର୍ମ କଲା ମାମୁ; ମା ହେଲା ମଧ୍ୟସ୍ଥି …

କେନ୍ଦ୍ରାପଡା () : ରାଜ୍ୟରେ ଏମିତିବି ଘଟଣା ଘଟୁଛି । ରକ୍ତ ସମ୍ପର୍କରେ ମାମୁ ଭାଣିଜୀ ସହ ଦୁଷ୍କର୍ମ କରୁଛି । ଆଉ ମା ଝିଅକୁ ପାଟି ଚୁପ କରିବାକୁ ଧମକ ଦେଇ ଗୃହବନ୍ଦୀ କରୁଛି । କୌଣସି ମତେ ଘରୁ ଖସି ଆସି ମହିଳା ଥାନାରେ ଏଫଆଇଆର କଲେ ବି ପୋଲିସ ଟଙ୍କା ଖାଇ ଆଖି ବୁଜି ଦେଇଛି ।

“ମୋ ବୟସ ୧୯ ବର୍ଷ | ମୁଁ କେନ୍ଦ୍ରାପଡା କଲେଜରେ +୨ ସାଇନ୍ସ ପଢୁଛି | ନଭେମ୍ବର ୨୬ ତାରିଖରେ ମୋତେ ମୋ ମାମୁ ଶୋଇଥିବାବେଳେ ମୋ ପାଖେ ଆସି ଶୋଇଥିଲା | ମୁଁ ଜାଣିପାରିନଥିଲି | ମୁଁ ଶୋଇଥିବା ଅବସ୍ଥାରେ ସେ ମୋ ସହ ଦୁଷ୍କର୍ମ କରିଥଲା | ମୋ ନିଦ ଭାଙ୍ଗିଗଲା । ମୁଁ ତାକୁ ଠେଲି ଦେଲି ଏବଂ ବାହାରକୁ ପଳେଇ ଆସିଥିଲି | ସକାଳେ ମୋ ମା’କୁ ସବୁ କଥା କହିଥିଲି | ମା’ ସବୁକଥା ଶୁଣି କହିଲା ବାବାଙ୍କୁ କହିବୁନି, ଚୁପ ହୋଇ ରହିଯା | ଘର କଥା କିଏ ଜାଣିଲେ ଖରାପ ହେବ | ମୁଁ କହିଲି ମୋ ସହ ଦୁଷ୍କର୍ମ ହୋଇଛି ଏବଂ ମୁଁ ଚୁପ ରହିଁବିନି | ମା’ କହିଲେ ତୁ ଯଦି କାହାକୁ କହିବୁ କି ଥାନାରେ ଅଭିଯୋଗ କରିବୁ ତାହେଲେ ଆମେ ଆତ୍ମହତ୍ୟା କରିଦେବୁ | ଏହାପରେ ମୋତେ  ମା’ ଘରେ ବାନ୍ଧି ରଖିଲେ | ମାର୍ଚ୍ଚ ୬ ତାରିଖରେ ମୁଁ ମୋ ବାବାଙ୍କୁ ସବୁକଥା କହିଲି | ହେଲେ ବାବା ବି କିଛି ଶୁଣିଲେନି | ସବୁକଥା ଶୁଣି ସେ ବି ଚୁପ ରହିଲେ | କେହି ହେଲେ ମୋ କଥା ଶୁଣିଲେନି | ମୋତେ ଘର ଭିତରେ ବନ୍ଦୀ କରି ରଖିଲେ | ମୁଁ ଆଉ ସହି ପାରିଲିନି | ମାର୍ଚ୍ଚ ୧୫ ତାରିଖରେ ମୁଁ ମହିଳା କମିଶନଙ୍କ ପାଖକୁ ଅନଲାଇନ ଜରିଆରେ ଅଭିଯୋଗ କଲି | ୧୫ ଦିନ ହୋଇଗଲାଣି ହେଲେ ଏବେ ପର୍ଯ୍ୟନ୍ତ କିଛି ପଦକ୍ଷେପ ନେଇନାହାନ୍ତି | ଫଳରେ ଗତକାଲି ମୁଁ ମଉକା ଦେଖି ଘରୁ ଲୁଚି ପଳେଇ ଆସିଲି | ମୁଁ କଟକ ମହିଳା ପୋଲିସ ଷ୍ଟେସନ ଗଲି | ମହିଳା ଥାନାରେ ସବୁକଥା କହିଲି | ଥାନାରେ ମୋତେ ପଚାରିଲେ ମାମଲା ରୁଜ୍ଜୁ କରିବୁ କି ? ମୁଁ କହିଲି ହଁ କରିବି | ଏହାପରେ ସେମାନେ କହିଲେ ଏଫଆଇଆର ଲେଖିବାକୁ | ସେମାନେ କହିଲେ ଏଫଆଇଆର କେନ୍ଦ୍ରାପଡା ଥାନାକୁ ଟ୍ରାନ୍ସଫର ହେବ | ତାପରେ ଥାନା ଵାଲା ମୋ ବାବାଙ୍କୁ ଫୋନ କରି କଟକ ଡାକିଥିଲେ | ବାବା ଥାନାକୁ ଆସିଥିଲେ | ମହିଳା ପୋଲିସ ଏବଂ ମୋ ବାବାଙ୍କ ଭିତରେ କ’ଣ କଥାବାର୍ତ୍ତା ହେଲା ମୁଁ ଜାଣିନି | ବୋଧେ ବାବା ଟଙ୍କା ପଇସା ଦେଇ ମାମଲାକୁ ଦବେଇ ଦେବାକୁ କହିଛନ୍ତି | କାରଣ ସେମାନେ ମଧ୍ୟ ମାମଲା ରୁଜ୍ଜୁ କଲେନାହିଁ | ଏହାପରେ ମୋ ବାବା ମୋତେ ନିଜ ସଂଗେ ଘରକୁ ନେଇଆସିଲେ | ଘରକୁ ଆଣି ମୋତେ ପୁଣି ବନ୍ଦୀ କରି ରଖିଛନ୍ତି |”…

ଏହା କୌଣସି କାହାଣୀ ବା ଉପନ୍ୟାସର ଧାଡି ନୁହେଁ । କେନ୍ଦ୍ରାପଡା ଅଟୋନମସ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢୁଥିବା ଜଣେ ଯୁବତୀଙ୍କ ସହ ଘଟିଥିବା ସତ କଥା । ସାଂଘାତିକ ମାନସିକ ଦୁଃଶ୍ଚିନ୍ତା ଓ ଚାପ ମଧ୍ୟରେ ଥିବା ଏହି ଯୁବତୀ ଏବେ ନ୍ୟାୟ ପାଇଁ ଡହଳ ବିକଳ ହେଉଛନ୍ତି । ନିଜ ମାମୁ କରିଥିବା ଦୁଷ୍କର୍ମ କଥା ଭାବିଲା ମାତ୍ରେ ତାଙ୍କ ଦେହରେ ଯେମିତି କଣ୍ଟାଭଳି ଫୋଡି ହୋଇଯାଉଛି । ନ୍ୟାୟ ପାଇଁ କୌଣସି ଉପାୟ ନପାଇ ଏହି ଯୁବତୀ ଆମ ହ୍ବାଟ୍ସ ଆପ୍‌ରେ ସମସ୍ତ କଥା ଆମକୁ ଜଣାଇଛନ୍ତି । ନ୍ୟାୟ ପାଇଁ ସାହାର୍ଯ୍ୟ କରିବା ଲାଗି ନିବେଦନ କରିଛନ୍ତି ।

ଝିଅର ମାନସିକ ଅବସ୍ଥାକୁ ବୁଝି ତାଙ୍କୁ ଶାନ୍ତ୍ବନା ଦେବା ପରିବର୍ତ୍ତେ ଜନ୍ମକଲା ମା ବାପା ତାଙ୍କ ଉପରେ କରୁଥିବା ଅତ୍ୟାଚାର ଗୋଟେ ସଭ୍ୟ ସମାଜ ପାଇଁ ନିଶ୍ଚୟ ଉଦବେଗର ବିଷୟ । ଏପରିକି କଟକ ମହିଳା ଥାନା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ମାମଲାକୁ ରଫାଦଫା କରିବା ମଧ୍ୟ ଆଶ୍ଚର୍ଯ୍ୟଜନକ ।
ସୂଚନାଯୋଗ୍ୟ ଯେ, ଜାତୀୟ ମହିଳା କମିଶନଙ୍କ ନିକଟରେ ଯୁବତୀ ରୁଜ୍ଜୁ କରିଥିବା ମାମଲେରେ ମଧ୍ୟ ମହିଳା କମିସନଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏଭଳି ଅବସ୍ଥାରେ ସଂପୃକ୍ତ ଯୁବତୀଙ୍କ ସହ ଯେ, କୌଣସି ଦୁର୍ଘଟଣା ଘଟିବାର ଆଶଂକା ରହିଛି ।

Share

Leave a Reply

Your email address will not be published. Required fields are marked *

twenty − four =