ଜୋରଦାର ହେବ କଂଗ୍ରେସ-ବିଜେପି ଲଢେଇ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ନବ ନିଯୁକ୍ତ ଗଣମାଧ୍ୟମ କର୍ମକର୍ତ୍ତାଙ୍କୁ ଯେଉଁ ଗୁରୁମନ୍ତ୍ର ଦେଇଛନ୍ତି ସେଥିରୁ ଆଗାମୀ ଦିନରେ ଦୁଇ ଜାତୀୟଦଳ କଂଗ୍ରେସ-ବିଜେପି ଲଢେଇ ରାଜ୍ୟରେ ଜୋରଦାର ହେବ ବୋଲି ଆଭାସ ମିଳିଛି । କଂଗ୍ରେସ ମୁଖ୍ୟତଃ କେନ୍ଦ୍ରର ବିଜେପି ସରକାରଙ୍କୁ ନିଶାଣ କରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବ । ବର୍ତ୍ତମାନ ସେହି ଧାରା ତେଲଦର ବୃଦ୍ଧିର ଜୋରଦାର ବିରୋଧ ଆରମ୍ଭ ହୋଇଛି ।

ଆଜି ନିରଞ୍ଜନ ଦେଇଥିବା ଗୁରୁମନ୍ତ୍ରରେ କେନ୍ଦ୍ର ସରକାରଙ୍କ ଟେଲିଫୋନ୍ ଟ୍ୟାପିଙ୍ଗ କିଭଳି ଦେଶଦ୍ରୋହ ଭଳି ଅପରାଧ ତାହା ଦର୍ଶାଇବା ସହିତ ସାଧାରଣ ଲୋକଙ୍କୁ ଏହା ଜଣାଇବାପାଇଁ ଆହ୍ୱାନ ଦେଇଛନ୍ତି । ଏ ନେଇ କଂଗ୍ରେସ ତାହାର କାର୍ଯ୍ୟସୂଚୀ ବି ପ୍ରସ୍ତୁତ କରିଛି । ଯେହେତୁ ବିଜେପି ଏବେ ରାଜ୍ୟ ସ୍ତରରେ ପେଗାସସ କାଣ୍ଡକୁ କଂଗ୍ରେସର ଷଡଯନ୍ତ୍ର ଦର୍ଶାଇ ପ୍ରେସ୍ ରିଲିଜ ଦେଉଛି ତେଣୁ ଆଗାମୀ ଦିନ ଦୁଇ ଜାତୀୟ ଦଳର ଲଢେଇ ଜୋରଦାର ହେବାର ସମ୍ଭାବନା ମିଳିଲାଣି । ତୈଳ ଓ ଅନ୍ୟାନ୍ୟ ଖାଉଟି ସାମଗ୍ରୀର ଦରବୃଦ୍ଧି, ଟେଲିଫୋନ୍ ଟ୍ୟାପିଙ୍ଗ ସହିତ କେନ୍ଦ୍ର ସରକାର ବିକ୍ରି କରୁଥିବା ଅନେକ ରାଷ୍ଟ୍ରାୟତ ସଂସ୍ଥାର ସୁରକ୍ଷା ନେଇ କଂଗ୍ରେସ ରାସ୍ତାକୁ ଓହ୍ଲାଇବାର ସମ୍ଭାବନା ରହିଛି ।

ତେଣେ କଂଗ୍ରେସର ବିଜେପି ବିରୋଧ ରଣନୀତି କିଭଳି ଭଣ୍ଡୁର ହେବ ସେଥିପାଇଁ ବିଜେପି ପକ୍ଷରୁ ଆବାସ ଦୁର୍ନୀତି, ସାଇକେଲ ଦୁର୍ନୀତି ଭଳି ପ୍ରସଙ୍ଗକୁ ଜୋରଦାର ଉଠାଇ ଗଣମାଧ୍ୟମରେ ସ୍ଥାନ ମାଡି ବସିବାରେ ଲାଗିଛି । ଅବଶ୍ୟ ଏଥିରେ ବିଜେପିର ଦୁଇଟି ଲାଭ ହେଉଛି । ଗୋଟିଏ ଗୁଳି ଦୁଇଟି ଶିକାର ଭଳି ଏଥିରେ କଂଗ୍ରେସର ଆନ୍ଦୋଳନକୁ ଭଣ୍ଡୁର ସହିତ ବିଜେଡିକୁ ବି ନିଶାଣ କରିବାରେ ଲାଗିଛି । ତେବେ ବିଜେଡି ବିରୁଦ୍ଧରେ ବିଜେପି ଯେତେ ଯାହା କହିଲେ ବି ତାହା ଦାନା ଧରୁନାହିଁ । ଆବାସ ଦୁର୍ନୀତି ହେଉ କିମ୍ବା ବିଜୁଳି ଦରବୃଦ୍ଧି ବିଜେଡିର ଜୋରଦାର କାଉଣ୍ଟର ବିଜେପି ପ୍ରତିବାଦକୁ ପାଣିଚିଆ କରିଦେଉଥିବା ଦେଖିବାକୁ ମିଳୁଛି ।

ରାଜ୍ୟରେ ବିଜେପି ମୁଖ୍ୟ ବିରୋଧିଦଳ ହୋଇଥିବାରୁ ଶାସକଦଳ ହିସାବରେ ବିଜେଡି ବିଜେପିକୁ ଅଧିକ ଗୁରୁତ୍ୱ ଦେଇ ଆସୁଛି । ବିଶେଷକରି ରାଜ୍ୟରେ କଂଗ୍ରେସ ଅତି ଦୁର୍ବଳ ଅବସ୍ଥାରେ ରହିଥିବାରୁ ବିଜେଡି ସେଥିପ୍ରତି ଗୁରୁତ୍ୱ ନଦେଇ କେବଳ ବିଜେପି ଉପରେ ନଜର ରଖିଥିଲା । ତେବେ ବର୍ତ୍ତମାନ କଂଗ୍ରେସର ଦୁଇ ଭେଟେରାନ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଓ ବରିଷ୍ଠ ସାମ୍ବାଦିକ ତଥା ପୁରୀ ଲୋକସଭା ଆସନରୁ ଲଢିଥିବା ସତ୍ୟପ୍ରକାଶ ନାୟକ ଦଳର ଗଣମାଧ୍ୟମ ମଙ୍ଗ ଧରିବାପରେ ବିଜେପି ଉପରେ ଆକ୍ରମଣର ସୂଚନା ମିଳିଲାଣି । ଏଭଳି ସ୍ଥିତିରେ ବିଜେଡି କିଛି ନକହିଲେ ବି ମନେ ମନେ ଖୁସି ହେଉଛି । କାରଣ ଗତ କିଛିଦିନ ବିଜେପି ଯେଭଳି ବିଜେଡିକୁ ଘନ ଘନ ଆକ୍ରମଣ କରୁଥିଲା ତେବେ କଂଗ୍ରେସ ସେଭଳି ବିଜେପିକୁ ଆକ୍ରମଣ କରିବ ।

ତେବେ ଏତେସବୁ ଭିତରେ ବିଜେପି ଓ କଂଗ୍ରେସ ଗଣମାଧ୍ୟମ ପ୍ରଚାର ପ୍ରସାରରେ ମାତିଥିବାବେଳେ ବିଜେଡି ତାହାର ସଂଗଠନକୁ ସଜାଡିବାରେ ଲାଗିଛି । ତୃଣମୂଳ ସ୍ତରରୁ ବିଜେଡି ନିଜ ସଂଗଠନକୁ ମଝବୁତ କରିବା ସହିତ ଅନ୍ୟ ଦୁଇଦଳର କର୍ମୀଙ୍କୁ ନିଜ ପଟକୁ ଆଣି ସେମାନଙ୍କୁ ଦୁର୍ବଳ କରିଦେଲାଣି । ଏଭଳି ସ୍ଥିତି ଜାରି ରହିଲେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ବିଜେଡି ଦୁଇ ଦଳକୁ ସହଜରେ ପଛରେ ପକାଇଦେବ ବୋଲି କୁହାଯାଉଛି ।

Share

Leave a Reply

Your email address will not be published. Required fields are marked *

nine + 19 =