ଓଡିଶା ଚାଷୀ ସବୁଠୁ ଗରିବ

ଭୁବନେଶ୍ବର () ରାଜ୍ୟରେ କେବଳ ଚାଷରୁ ଚାଷୀଙ୍କ ମୁଣ୍ତପିଛା ମାସିକ ଆୟକୁ ନେଇ ନୂଆ ବିବାଦ ସୃଷ୍ଟ ହୋଇଛି । ଜାତୀୟ ନମୂନା ସର୍ଭେ ରିପୋର୍ଟ ବା ଏନଏସଏସ କହୁଛି ରାଜ୍ୟର ଚାଷୀଙ୍କ ମୁଣ୍ଡପିଛା ମାସିକ ଆୟ ମାତ୍ର 2120 ଟଙ୍କା । ହେଲେ ରାଜ୍ୟ ସରକାର ଏ ତଥ୍ୟକୁ ମାନିବାକୁ ନାରାଜ । ତେବେ ରାଜ୍ୟରେ ଚାଷୀଙ୍କ ଆୟ 2014ରୁ 2017 ମଧ୍ୟରେ କେତେ ଥିଲା ସେ ତଥ୍ୟ ସରକାରଙ୍କ ପାଖରେ ନାହିଁ ।

ରାଜ୍ୟରେ ଚାଷୀଙ୍କ ଆୟ ଜାତୀୟ ହାର ଅନୁଯାୟୀ ଅତି ସଙ୍ଗୀନ । ଏନଏସଏସ ତଥ୍ୟ ଅନୁଯାୟୀ ଦେଶରେ ଜଣେ ଚାଷୀର ମାସିକ ଆୟ ହାରାହାରି 5542 ଟଙ୍କା । ସେହି ଅନୁପାତରେ ଓଡିଶାରେ ଚାଷୀଙ୍କ ମାସିକ ଆୟ କେବଳ ଚାଷ କ୍ଷେତ୍ରରୁ ହେଉଛି 2120 ଟଙ୍କା । ସେପଟେ ପଂଜାବରେ ଚାଷୀଙ୍କ ମାସିକ ଆୟ 28ହଜାର 217ଙ୍କା ଥିଲା ବେଳେ ହରିଆଣାରେ 17ହଜାର 144ଟଙ୍କା, ଆନ୍ଧ୍ରରେ 8ହଜାର 482ଟଙ୍କା ଓ ପଶ୍ଚିମବଙ୍ଗରେ 2ହଜାର 836ଟଙ୍କା । ସେପଟେ ରାଜ୍ୟ କୃଷି ମନ୍ତ୍ରୀଙ୍କ ହିସାବ କହୁଛି, କୃଷି ଓ ଆନୁସଙ୍ଗିକ କ୍ଷେତ୍ରର ଆୟକୁ ହିସାବ କରି କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁଯାୟୀ ଦେଶରେ 2012-13ରେ ଚାଷୀଙ୍କ ମାସିକ ମୁଣ୍ଡପିଛା ଆୟ 6ହଜାର 426ଟଙ୍କା ଥିଲା । ଆଉ ଓଡିଶା ଚାଷୀଙ୍କ ଆୟ ଥିଲା 4976 ଟଙ୍କା ।

କେବଳ କୃଷିରୁ ନବରଙ୍ଗପୁର ଜିଲ୍ଲାର ମାସିକ ଆୟ ସର୍ବାଧିକ 6927 ଟଙ୍କା । ତା ପଛକୁ ରହିଛି ଢେଙ୍କାନାଳ । ଏଠି ଚାଷୀଙ୍କ ମାସିକ ଆୟ 5368ଟଙ୍କା ହୋଇଥିଲା ବେଳେ ବଲାଙ୍ଗୀରରେ 4831ଟଙ୍କା, ବରଗଡରେ 3677 ଟଙ୍କା । ମୟୁରଭଂଜ ଜିଲ୍ଲାରେ ଚାଷୀଙ୍କ ମାସିକ ଆୟ ସବୁଠାରୁ କମ 768ଟଙ୍କା । କୃଷି ମନ୍ତ୍ରୀ କହୁଛନ୍ତି 2002-03ରେ ଚାଷୀଙ୍କ ଆୟ ଥିଲା 1062 ଟଙ୍କା, ଏବେ 4 976କୁ ବଢିଛି । କେନ୍ଦ୍ର ସରକାର ସ୍ବାମୀନାଥନ କମିଟି ରିପୋର୍ଟ ଲାଗୁ କଲେ ଆୟ ଦ୍ବିଗୁଣିତ ହେବ ।

ଚାଷୀଙ୍କ ଆୟ ସହ ଋଣ ବୋଝ ବି ବଢୁଛି । ଏକଥା ଖୋଦ ମନ୍ତ୍ରୀ ସ୍ବୀକାର କରିଛନ୍ତି । ଏନଏସଏସ ରିପୋର୍ଟ ଅନୁୟାୟୀ ରାଜ୍ୟର ଗ୍ରାମାଞ୍ଚଳର 49.49 ପ୍ରତିଶତ ଚାଷୀ ଋଣୀ । ସେମାନଙ୍କ ଉପରେ ମୁଣ୍ଡପିଛା 19ହଜାର 100 ଟଙ୍କା ଋଣ ବୋଝ ରହିଛି । ଗଂଜାମ, ପୁରୀ ଓ ବରଗଡ ଜିଲ୍ଲାରେ ଋଣ ବୋଝରେ ଥିବା ଚାଷୀଙ୍କ ସଂଖ୍ୟା ସର୍ବାଧିକ । ଚାଷୀଙ୍କୁ ରାଜ୍ୟ ସରକାର 2015-16ରେ 15ହଜାର 869 କୋଟି ଟଙ୍କର କୃଷିଋଣ ଦେଇଥିଲେ । 2016-17ରେ 15ହଜାର 534 କୋଟି ଟଙ୍କାର ଋଣ ଦିଆଯାଇଛି । ଗ୍ରାମାଞ୍ଚଳରେ ଚାଷୀ କୃଷିକ୍ଷେତ୍ର ପାଇଁ ହାରାହାରି 1001 ଟଙ୍କା ଖର୍ଚ୍ଚ କରୁଥିବା ରିପୋର୍ଟ କହୁଛି । ରାଜ୍ୟର ଚାଷୀଙ୍କ ଆୟ ସଂପର୍କିତ ଏନଏସଏସର ଏହି ରିପୋର୍ଟକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।

Share

Leave a Reply

Your email address will not be published. Required fields are marked *

11 − 2 =