ପୁରୀକୁ ବିଶ୍ୱ ସ୍ତରୀୟ ଐତିହ୍ୟ କ୍ଷେତ୍ରରେ ରୂପାନ୍ତରଣ ପାଇଁ ଆବଶ୍ୟକ ଅଙ୍ଗୀକାରବଦ୍ଧତା

ପୁରୀ () ଚାରି ଧାମ ମଧ୍ୟରୁ ଶ୍ରେଷ୍ଠ ଧାମ ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହରରେ ରୂପାନ୍ତରିତ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ଓ ଅଙ୍ଗୀକାରବଦ୍ଧ। ଏହି ପରିବର୍ତ୍ତନ ପାଇଁ ଆବଶ୍ୟକ ଥିବା ଏକାଧିକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କ୍ରମରେ ପୁରୀ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିରର ମେଘନାଦ ପ୍ରାଚୀର ଚାରିପଟେ ଥିବା ଅନାଧିକାର ନିର୍ମାଣ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି ।

ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଓ ସଂସ୍କାର ପାଇଁ ଗଠିତ ହୋଇଥିବା ଜଷ୍ଟିସ ବିପି ଦାସ କମିଶନ ରିପୋର୍ଟକୁ ସରକାର ଗ୍ରହଣ କରିବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ଏବେ ଆରମ୍ଭ ହୋଇଥିବା ଉଚ୍ଛେଦ ଜରୁରୀ ଥିଲା । କାରଣ ପୂର୍ବରୁ ଅନେକ ଥର ପୁରୀ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣର ଭୟ ରହିଥିବା ଗୁଇନ୍ଦା ରିପୋର୍ଟ ଆସିଛି । ମେଘନାଦ ପ୍ରାଚୀର ଚାରିପଟରୁ ବେଆଇନ ନିର୍ମାଣ ହଟିଲେ ଶ୍ରୀମନ୍ଦିରକୁ ଅଧିକ ସୁରକ୍ଷା ଦିଆଯାଇପାରିବ ।

ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ବା ଏଏସଆଇ ମଧ୍ୟ ଅଧିକ ଭଲ ପରିଚାଳନା ପାଇଁ ଶ୍ରୀମନ୍ଦିର ଚାରିପଟ ସଫା ହେବାକୁ ମତ ଦେଇଥିଲା । ଏହାଦ୍ବାର ଶ୍ରୀମନ୍ଦିର ଚାରିପଟେ ଅଧିକ ମୁକ୍ତ ସ୍ଥାନ ମିଳିବା ସହ ଦର୍ଶକ ଓ ଭକ୍ତଙ୍କ ପାଇଁ ସୁଖଦାୟକ ପରିବେଶ ସୃଷ୍ଟି ହେବ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜିଲ୍ଲା ପ୍ରଶାସନ ଦକ୍ଷିଣ ଦ୍ୱାର ନିକଟରେ କିଛି ସରକାରୀ କୋଠା ଭାଙ୍ଗିବା ଆରମ୍ଭ କରିଛି । ସରକାରୀ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତ ହେବାକୁ ଥିବା ବେଳେ ଘରୋଇ ଲୋକଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦିଆଯିବ ।

ପୁରୀର ରୂପାନ୍ତରିତ କାର୍ଯ୍ୟକୁ ବିଭିନ୍ନ ମହଲ ଓ ପର୍ଯ୍ୟଟକ ସ୍ୱାଗତ କରିଛନ୍ତି । ରାଜ୍ୟ ବାହାରୁ ଆସୁଥିବା କିଛି ପର୍ଯ୍ୟଟକ ପୁରୀକୁ ତିରୁପତି, ଶିରିଡି ଓ ସ୍ୱର୍ଣ୍ଣ ମନ୍ଦିର ସହ ତୁଳନା କରିଛନ୍ତି । ପୂର୍ବ ଅପେକ୍ଷା ବଡଦାଣ୍ଡ ଅଧିକ ପ୍ରଶସ୍ତ ହୋଇଥିବା ବେଳେ ଦର୍ଶନ ବ୍ୟବସ୍ଥା ଅଧିକ ଶୃଙ୍ଖଳିତ ହୋଇଛି ।

ସରକାର ଏଥର ପୁରୀରେ ଅତି ଦ୍ରୁତ ଗତିରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଜଷ୍ଟିସ ବିପି ଦାସ କମିଶନ ରିପୋର୍ଟକୁ କ୍ୟାବିନେଟ ଗ୍ରହଣ କରିବାର 3 ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ନିର୍ଦେଶ ପାଳନ କରିବାକୁ ଡେଇଁ ପଡିଛି । ଏହା ପ୍ରମାଣିତ କରିଛି, ସରକାର ପୁରୀର ରୂପାନ୍ତରଣ ପାଇଁ କେତେ ସଚେତନ । ଏହା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ 5-ଟି କାର୍ଯ୍ୟକ୍ରମର ଅଂଶବିଶେଷ, ଯେଉଁଥିରେ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ପରିବର୍ତ୍ତନର ଲକ୍ଷ୍ୟ ରଖାଯାଇଛି । ମୁଖ୍ୟମନ୍ତ୍ରୀଙ୍କ 5-ଟି ସଚିବ ଭି.କେ ପାଣ୍ଡିଆନ ନିଜେ ଏହି କାର୍ଯ୍ୟର ତଦାରଖ କରୁଛନ୍ତି । କାରଣ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା । ନିଜେ ଭି.କେ ପାଣ୍ଡିଆନ ଜଣେ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ହୋଇଥିବା ବେଳେ ପ୍ରତି ସପ୍ତାହରେ ସେ ଥରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯାଇଥାନ୍ତି ।

ପୁରୀ ପ୍ରତି ବିଶ୍ୱ ସ୍ତରରେ ଭାବାବେଗ ରହିଛି। ବିଶ୍ବର ବିଭିନ୍ନ ଅଂଚଳରୁ ହିନ୍ଦୁ ଭକ୍ତମାନେ ଏଠାକୁ ଆସିଥାନ୍ତି । ରଥ ଯାତ୍ରା ସମୟରେ ମଧ୍ୟ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ତେଣୁ ବିଶ୍ବର ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ସୁଖ ସ୍ୱାଛନ୍ଦ ପାଇଁ ବିଶ୍ୱ ସ୍ତରୀୟ ସୁବିଧା ସୁଯୋଗ ଉପଲବ୍ଧି ହେବାର ଆବଶ୍ୟକତା ରହିଛି । ଏହିସବୁ କାର୍ଯ୍ୟ ସେହି 5-ଟି ମନ୍ତ୍ର ଅନ୍ତର୍ଭୁକ୍ତ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଧାମକୁ ସାରା ବିଶ୍ବର ବିଭିନ୍ନ ଅଞ୍ଚଳରୁ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି । ସେମାନଙ୍କୁ ପୂରୀ ସହରରେ ଉନ୍ନତମାନର ସେବା ଓ ସୁବିଧା ଯୋଗାଇ ଦେବା ପାଇଁ ଅଭଡା ଯୋଜନାରେ 5ଟି ଭିତ୍ତିଭୂମି ବିକାଶ ପ୍ରକଳ୍ପ ଆରମ୍ଭ କରାଯିବ । ପୁରୀର ପୁରୁଣା ଜେଲ ପରିସର, ଯାତ୍ରୀକା ଏବଂ ମୁନିସିପାଲଟି ମାର୍କେଟ ବିକାଶ କରାଯାଇ ସେଠାରେ 1250ଟି ଦୋକାନ ଘର ନିର୍ମାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ପୁରୀର ପୂରୁଣା ଜେଲ ପରିସରରେ ବହୁତଳ ପାର୍କିଂ ବ୍ୟବସ୍ଥାର ବିକାଶ କରାଯିବ । ଏଠାରେ 400 କାର ପାଇଁ ପାର୍କିଂ ସୁବିଧା ରହିବ । ସେହିପରି ଯାତ୍ରୀକାରେ ମଧ୍ୟ ବହୁତଳ କାର ପାର୍କିଂ ବ୍ୟବସ୍ଥା କରାଯିବ । ସେଠାରେ ମଧ୍ୟ 400 କାର ପାର୍କିଂ କରାଯିବ । ଏଥିପାଇଁ 265 କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ହୋଇଛି ।

ସେହିପରି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ପୁରୀରେ ଥିବା ସମସ୍ତ ସହକାରୀ କାର୍ଯ୍ୟାଳୟକୁ ଗୋଟିଏ ଛାତ ତଳେ ରଖାଯିବ, ଯାହାକୁ ଲୋକ ସେବା ଭବନ ବୋଲି କୁହାଯିବ । ଶ୍ରୀମନ୍ଦିର ପରିଚାଳନା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ପୂର୍ବରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଦାନ ପରମ୍ପରାକୁ ବନ୍ଦ କରିଥିଲା । ଏଥିସହ ମନ୍ଦିର ଭିତରେ କୌଣସି ସେବାୟତ ପାନ କି ଗୁଟକା ଖାଇବା ଉପରେ ମଧ୍ୟ କଟକଣା କରିଥିଲା ।

ଏବେ ଜିଲା ପ୍ରଶାସନ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ବଡ଼ଦାଣ୍ଡରେ ଆରମ୍ଭ ହୋଇଥିବା ପଥ ଉତ୍ସବକୁ ବିଭିନ୍ନ ମହଲ ପ୍ରଶଂସା କରିଛି । ଏହା ପୁରୀର ଆଧ୍ୟାତ୍ମିକ ପରିବେଶକୁ ଦ୍ବିଗୁଣିତ କରୁଛି । ଭବିଷ୍ୟତରେ ମଧ୍ୟ ଏମିତି କିଛି କାର୍ଯ୍ୟକ୍ରମ ଦ୍ୱାରା ପୁରୀକୁ ନିଶ୍ଚିତ ଭାବେ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ରୂପାନ୍ତରିତ କରାଯାଇପାରିବ ।

Share

Leave a Reply

Your email address will not be published. Required fields are marked *

12 − six =