ଜାଗା ମିଶନ ପାଇଁ ହେବ ମାଷ୍ଟର ପ୍ଲାନ

ଭୁବନେଶ୍ବର () ବସ୍ତି ବାସିନ୍ଦାଙ୍କୁ ବାସଗୃହ ଓ ଜମି ଅଧିକାର ଯୋଗାଇ ଦେବାକୁ ରାଜ୍ୟ ସରକାର ଆରମ୍ଭ କରିଥିବା ଜାଗା ମିଶନକୁ ମିଳିଛି ବିଶ୍ବସ୍ତରୀୟ ସ୍ଥପତିଙ୍କ ସହଯୋଗ । ଜାଗା ମିଶନରେ ବସ୍ତିବାସିନ୍ଦାଙ୍କ ପାଇଁ ନିର୍ମାଣ ହେବାକୁ ଥିବା ଘର ଏବେ ନୂଆ ରୂପରେଖ ପାଇବ । ସବୁଜ ବଳୟ ସହ ଏହାର କଳେବର ମଧ୍ୟ ବଦଳିବ ।

ଏ ସଂପର୍କରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ନର୍ମାନ ଫଷ୍ଟର ଫାଉଣ୍ଡେସନ ଓ ଟାଟା ଟ୍ରଷ୍ଟର ସ୍ଥପତିମାନେ ଭେଟି ଆଲୋଚନା କରିଛନ୍ତି । ଗତ ମେ 18 ତାରିଖରେ ଏହି ଜାଗା ମିଶନର ଶୁଭାରମ୍ଭ ସମୟରେ ବିଶିଷ୍ଟ ସ୍ଥପତି ଲର୍ଡ ନର୍ମାଣ ଫଷ୍ଟର ଓ ବିଶିଷ୍ଟ ଶିଳ୍ପପତି ରତନ ଏନ. ଟାଟା ଉପସ୍ଥିତ ଥିଲେ । ସେମାନେ ଏହି ପ୍ରକଳ୍ପକୁ ଆବଶ୍ୟକ ସହଯୋଗ ଯୋଗାଇବାକୁ ପ୍ରତିଶୃତି ଦେଇଥିଲେ ।

ନର୍ମାନ ଫଷ୍ଟର ଫାଉଣ୍ଡେସନ ଓ ଟାଟା ଟାଟା ଟ୍ରଷ୍ଟ ମିଳିତ ଭାବେ ବସ୍ତି ବାସିନ୍ଦାଙ୍କ ବସଗୃହ ଯୋଗାଣ ପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବେ । ବିଶ୍ବସ୍ତରୀୟ ଏହି ସ୍ଥପତିମାନେ ତିନୋଟି ସାଇଟ ପରିଦର୍ଶନ କରିବେ ଏବଂ ବ୍ୟାପକ ଆଲୋଚନା ପରେ ଏକ ସମ୍ମାନଜନକ ରହିବାଯୋଗ୍ୟ ବାସସ୍ଥାନ ନିର୍ମାଣ ପାଇଁ ମାଷ୍ଟର ପ୍ଲାନ ତିଆରି କରିବେ । ସ୍ଥାନୀୟ ଆବଶ୍ୟକତା ସଂପର୍କରେ ଏହି ଟିମକୁ ଅବଗତ କରିବେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଏକ ଟିମ ।

ନିକଟରେ ପୁରୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ 10ହଜାର ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ବଣ୍ଟନ କରାଯାଇଛି । ବସ୍ତିବାସିନ୍ଦାଙ୍କୁ ରହିବାଯୋଗ୍ୟ ବାସସ୍ଥାନ ଓ ଜମି ଅଧିକାର ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ଏହି ବୃହତ ଜମି-ପଟ୍ଟା ବଣ୍ଟନ ଯୋଜନା ଦ୍ବାରା ଲକ୍ଷାଧିକ ଲୋକ ଉପକୃତ ହେବେ । ଏହା ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହାରଣ ହେବା ସହ ବସ୍ତିବାସିନ୍ଦାଙ୍କୁ ଆତ୍ମସମ୍ମାନ, ସ୍ବାଧୀନତାର ସହ ବସବାସ କରିବାର ସୁଯୋଗ ଦେବ  । ଏଥିସହ ଏହି ପ୍ରକଳ୍ପ ଦ୍ବାରା ଚିରାଚତିତ ଉଚ୍ଛେଦର ଭୟ ମଧ୍ୟ ରହିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

four × 5 =