ଡାକ୍ତରଖାନାରେ ଭଲ ସେବା ଦିଅ, ପୁରସ୍କାର ଜିତ

ଡାକ୍ତରଙ୍କ ପାଇଁ 10 ଲକ୍ଷ, ଅନ୍ୟ କର୍ମଚାରୀଙ୍କ ପାଇଁ 5 ଲକ୍ଷ ପୁରସ୍କାର

ଭୁବନେଶ୍ବର () 5-ଟି କାର୍ଯ୍ୟକ୍ରମରେ ଡାକ୍ତର ଓ ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5-ଟି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଜନସାଧାରଣଙ୍କୁ କୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ବିଶେଷ ଗୁରୁତ୍ବ ଆରୋପ କରୁଛନ୍ତି । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନେକ ଡାକ୍ତର, ପାରାମେଡିକାଲ ଷ୍ଟାଫ ଓ ଅନ୍ୟ କର୍ମଚାରୀମାନେ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରୁଛନ୍ତି । ଏବଂ ଅନ୍ୟତନ୍ତ ସମ୍ବେଦନଶୀଳ ଭାବେ ରୋଗୀଙ୍କ ଯତ୍ନ ନେଉଛନ୍ତି । ତେଣୁ ଏହି ନିଷ୍ଠାପର ଡାକ୍ତର ଓ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ କାର୍ଯ୍ୟକୁ ସ୍ବୀକୃତି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସେମାନଙ୍କ ପାଇଁ ବିଭିନ୍ନ ପୁରସ୍କାର ଘୋଷଣା କରିଛନ୍ତି । ଏହା ସହିତ ଭଲ କାମ କରୁଥିବା ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନଗୁଡିକୁ ମଧ୍ୟ ପୁରସ୍କୃତ କରାଯିବ ।

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସର୍ବୋଚ୍ଚ ପୁରସ୍କାର ଭାବରେ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ପ୍ରଦାନ କରାଯିବ । ଏଥିପାଇଁ ରାଜ୍ୟ ସ୍ତରୀୟ ଉତ୍ସବରେ ସ୍ବାସ୍ଥ୍ୟସେବା ଯୋଗାଇବାରେ ଶ୍ରେଷ୍ଠ ବିବେଚିତ 10 ଜଣ ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପୁରସ୍କୃତ କରାଯିବ । ଡାକ୍ତରଙ୍କ କ୍ଷେତ୍ରରେ ପୁରସ୍କାର ରାଶି 10 ଲକ୍ଷ୍ୟ ଟଙ୍କା ଲେଖାଏଁ ରଖାଯାଇଥିବା ବେଳେ ଅନ୍ୟ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ କ୍ଷେତ୍ରରେ 5 ଲକ୍ଷ ଟଙ୍କା ଲେଖାଏଁ ରଖାଯାଇଛି । ସ୍ବାସ୍ଥ୍ୟ ସେବାରେ ସୁନାମ ଅର୍ଜନ କରିଥିବା ପ୍ରସିଦ୍ଧ ବ୍ୟକ୍ତିତ୍ବଙ୍କୁ ନେଇ ଏକ କମିଟି ଗଠନ କରି ଏହି ପୁରସ୍କାର ନିମନ୍ତେ ଚୁଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ।

ସ୍ବାସ୍ଥ୍ୟସେବା ବୃତ୍ତିଧାରୀମାନଙ୍କ ପାଇଁ କ୍ୟାରିୟ ପୁରସ୍କାର : ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନିୟୋଜିତ ଜଣେ ସ୍ଥାୟୀ କର୍ମଚାରୀ ତାଙ୍କ ଚାକିରୀ କାଳ ମଧ୍ୟରେ କରିଥିବା ଉଲ୍ଲେଖନୀୟ ସେବାକୁ ଭିତ୍ତି କରି ଏହି ପୁରସ୍କାର ରାଶି ପ୍ରଦାନ କରାଯିବ । ଏହି ପୁରସ୍କାର ପାଇଁ ମନୋନିତ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିନ ହିଁ ପରବର୍ତ୍ତୀ ଉଚ୍ଚପଦବୀକୁ ପଦୋନ୍ନତି ଦିଆଯିବ । ଏଥିପାଇଁ ସର୍ବନିମ୍ନ 25 ବର୍ଷ ସ୍ଥାୟୀ ଚିକିରୀ କରିଥିବା ଆବଶ୍ୟକ ।

ସେହିପରି ନ୍ୟାସନାଲ କ୍ବାଲିଟି ଆକ୍ରିଡିଟେସନ ଷ୍ଟାଣ୍ଡାର୍ଡ ପ୍ରମାଣପତ୍ର ହାସଲ କରିଥିବା ସ୍ବାସ୍ଥ୍ୟସେବା ଅନୁଷ୍ଠାନର ଡାକ୍ତରଙ୍କ ଠାରୁ ଆରମ୍ଭ କରି ନିରାପତ୍ତାରକ୍ଷୀଙ୍କ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ଗୋଟିଏ ମାସର ଦରମା ବୋନସ ଭାବେ ପରବର୍ତ୍ତୀ ଆର୍ଥିକ ବର୍ଷରେ ପ୍ରଦାନ କରାଯିବ ।

କୟାକଳ୍ପ ପ୍ରମାଣ ପତ୍ର : କୟାକଳ୍ପ ପ୍ରମାଣପତ୍ର ପାଇଥିବା ସ୍ବାସ୍ଥ୍ୟ ଅନୁଷ୍ଠାନର ଡାକ୍ତରଙ୍କ ଠାରୁ ଆରମ୍ଭ କରି ନିରାପତ୍ତାରକ୍ଷୀ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ପରବର୍ତ୍ତୀ ଆର୍ଥିକ ବର୍ଷରେ ଅଧା ମାସର ଦରମା ବୋନସ ଭାବେ ଦିଆଯିବ ।

ଲକ୍ଷ୍ୟ ପ୍ରମାଣ ପତ୍ର : ଲକ୍ଷ୍ୟ ପ୍ରମାଣପତ୍ର ହାସଲ କରିଥିବା ସ୍ବାସ୍ଥ୍ୟ ଅନୁଷ୍ଠାନର ପ୍ରସବ ଗୃହ ଓ ମାତୃତ୍ବ ଅସ୍ତ୍ରୋପଚାର ଗୃହରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ପାଇଁ ପରବର୍ତ୍ତୀ ଆର୍ଥିକ ବର୍ଷରେ ଅଧା ମାସର ଦରମା ବୋନସ ଭାବେ ଦିଆଯିବ ।

ମୋ ସରକାର କାର୍ଯ୍ୟକ୍ରମ ଅନୁଯାୟୀ ରୋଗୀଙ୍କ ମତାମତ ଭିତ୍ତିରେ ଶ୍ରେଷ୍ଠ 5ଟି ଅନୁଷ୍ଠାନ ପାଇଁ ମଧ୍ୟ ପୁରସ୍କାର ଦିଆଯିବ । ସରକାରୀ ଡାକ୍ତରଖାନା ଯାଉଥିବା ରୋଗୀଙ୍କ ମତାମତକୁ ଭିତ୍ତି କରି ସ୍ଥିର କରାଯାଇଥିବା ଶ୍ରେଷ୍ଠ 5ଟି ସ୍ବାସ୍ଥ୍ୟ ଅନୁଷ୍ଠାନର ମେଡିକାଲ ଅଫିସରଙ୍କୁ ତୈମାସିକ ପ୍ରଶଂସା ପତ୍ର ପ୍ରଦାନ କରାଯିବ । ତାସହିତ ବର୍ଷ ସାରା ଭଲ କାମ କରିଥିବା ସ୍ଥାୟୀ ମେଡିକାଲ କର୍ମାଚାରୀଙ୍କୁ ଏଲଟିସିରେ ବିଦେଶ ଭ୍ରମଣର ସୁଯୋଗ ଦିଆଯିବ ଏବଂ ଚୁକ୍ତିଭିତ୍ତିକ ତାଲିମ ପାଇଁ ବିଦେଶ ପଠାଯିବ ।

ପ୍ରସବ ଓ ତଦଜନିତ ଅସ୍ତ୍ରୋପଚାର ପାଇଁ ପୁରସ୍କାର : ପ୍ରସବ ଓ ତଦଜନିତ ଅସ୍ତ୍ରୋପଚାର ନିମନ୍ତେ ଭଲ କାମ କରିଥିବା ଟିମକୁ ସ୍ବାସ୍ଥ୍ୟ ବିଭାଗର ନିୟମାବଳୀ ଅନୁଯାୟୀ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ ।

ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ସ୍ବାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗୀତା ସୃଷ୍ଟି କରିବା ଏବଂ ଆମର ସ୍ବାସ୍ଥ୍ୟସେବା ଅନୁଷ୍ଠାନଗୁଡିକୁ ଜାତୀୟ ସ୍ତରର ମାନ ହାସଲ ପାଇଁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କର ସଫଳତାର ସ୍ବୀକୃତି ଦେବା ଉଦ୍ଦେଶ୍ୟରେ ଏହି ପୁରସ୍କାର ଘୋଷଣା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

12 + four =