ମେକ୍ ଇନ୍ ଓଡିଶା ପାଇଁ ପ୍ରସ୍ତୁତି: ଦିଲ୍ଲୀରେ ଇନଭେଷ୍ଟମେଣ୍ଟ ଆଣ୍ଡ ଆମ୍ବାସାଡର ମିଟରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଏ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ‘ମେକ ଇନ ଓଡ଼ିଶା’ କନକ୍ଲେଭ ଆୟୋଜନ ହେବ । ଏହାକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛନ୍ତି । ଏହି କ୍ରମରେ ଆସନ୍ତା ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ପ୍ରଥମ ଦିନରେ ସେଠାରେ ଆୟୋଜିତ ହେବାକୁ ଥିବା ଇନଭେଷ୍ଟର୍ସ ଆଣ୍ଡ୍ ଆମ୍ବାସାଡର ମିଟରେ ଯୋଗଦେବେ ବୋଲି ସୂଚନା ମିଳିଛି ।

ଆମେରିକା, ୟୁଏଇ, କାତାର, ଓମାନ, ବାହାରିନ୍, ସାଉଦି ଆରବ,ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଲକ୍ସେମବର୍ଗ, ବେଲଜିୟମ, ସିଙ୍ଗାପୁର, ଜାପାନ, ଦକ୍ଷିଣ କୋରିଆ ଏବଂ ଅଷ୍ଟ୍ରେଲିଆ ଭଳି ଦେଶର ପ୍ରତିନିଧମାନଙ୍କ ସହ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ପ୍ରତିନିଧିମାନେ ସିଧାସଳଖ ଆଲୋଚନା କରିବେ ବୋଲି ଜଣାପଡ଼ିଛି । କାର୍ଯ୍ୟକ୍ରମରେ ଉପରୋକ୍ତ ଦେଶଗୁଡ଼ିକର ଶିଳ୍ପପତିଙ୍କୁ ଆଗାମୀ ମେକ୍ ଇନ ଓଡ଼ିଶା କନକ୍ଲେଭରେ ଅଂଶଗ୍ରହଣ କକରିବାକୁ ଆମନ୍ତ୍ରଣ କରାଯିବ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁବାଇରେ ମଧ୍ୟ ଇନଭେଷ୍ଟର୍ସ ମିଟରେ ଯୋଗ ଦେଇଥିଲେ । ସେହି କାର୍ଯ୍ୟକ୍ରମରେ ରାଜ୍ୟରେ ୨୧,୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ନେଇ ବାଟ ଫିଟିଥିଲା ।

ମଧ୍ୟ ପ୍ରାଚ୍ୟ ଏବଂ ଅନ୍ତର୍ଜାତୀୟ ଶିଳ୍ପ ସଂସ୍ଥା ମେକ ଇନ ଓଡ଼ିଶା କନକ୍ଲେଭରେ ଅଂଶଗ୍ରହଣ କରିବା ନେଇ ସେ ସମୟରେ ସମ୍ମତି ପ୍ରଦାନ କରିଥିଲେ । ଏଫଆଇସିସିଆଇ -ଫିକି ଡିଜି ଅରୁଣ ଚାୱଲା, ଇନଭେଷ୍ଟ ଇଣ୍ଡିଆର ସିଇଓ ଏବଂ ଏମଡି ଦୀପକ ବଗଲା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ପ୍ରଦାପ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା, ଇଡକୋ ଏମଡି ଭୂପେନ୍ଦ୍ର ସିଂ ପୁନିଆ ଏବଂ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ ଆଲାମ ପ୍ରମୁଖ ଉପସ୍ଥିତ ରହିବେ ।

ମୁଖ୍ୟମନ୍ତ୍ରୀ ମେକ୍ ଇନ ଓଡ଼ିଶା କନକ୍ଲେଭ ତୃତୀୟ ସଂସ୍କରଣ ସମ୍ପର୍କିତ ଏକ ପ୍ରେଜେଣ୍ଟେସନ କାର୍ଯ୍ୟକ୍ରମରେ ଉପସ୍ଥାପନ କରିବେ । ମନ୍ତ୍ରୀ ପ୍ରତାବ ଦେବ ନିର୍ଦ୍ଦିଷ୍ଟ ଭାବେ ନିବେଶକଙ୍କୁ ଓଡ଼ିଶା ଆମନ୍ତ୍ରଣ କରିବେ । ଏହି କାର୍ଯ୍ୟକ୍ରମ ପରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ କେନ୍ଦ୍ର ସରକାରଙ୍କ ନିକଟରେ ପଡ଼ି ରହିଥିବା କେତେକ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି । ସେପ୍ଟେମ୍ବର ୫ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବେ ।

Share

Leave a Reply

Your email address will not be published. Required fields are marked *

1 × 2 =