ମହାନଦୀ ଜଳ ବିବାଦ: ମେ ୨ ପର୍ଯ୍ୟନ୍ତ ଶୁଣାଣି ସ୍ଥଗତି
ସୋମବାର ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ଶୁଣାଣି ହୋଇଛି । ଏହି ଅବସରରେ ମହାନଦୀରେ ସର୍ବମୋଟ କେତେ ଜଳ ରାଶି ସଂଗୃହୀତ ହେଉଛି, ଏହାର ତଥ୍ୟ ମିଲିୟନ୍ ଏକର ଫିଟ୍ରେ ଦାଖଲ କରିବାକୁ ଉଭୟ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ଶୁଣାଣି ପୂର୍ବରୁ ଏହି ତଥ୍ୟ ଦାଖଲ ନେଇ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି । ଏହା ଭିତରେ ୨ ରାଜ୍ୟର ବୈଷୟିକ ଟିମ୍ ପ୍ରାୟ ୧୩ ଥର ବୈଠକ କରିଛନ୍ତି । ତେବେ ଦୁଇ ରାଜ୍ୟର ବୈଷୟିକ ଟିମ୍ ଦ୍ୱାରା ମହାନଦୀରେ ମୌସୁମୀ ଏବଂ ଅଣମୌସୁମୀ ସମୟର ଜଳର ତଥ୍ୟ ସଂଗ୍ରହ କରାଯାଇଛି । ଯାହାକୁ ପରବର୍ତ୍ତୀ ଶୁଣାଣି ଅର୍ଥାତ୍ ମେ ୨ରେ ଦାଖଲ କରାଯିବ ବୋଲି ଆଡଭୋକେଟ୍ ଜେନେରାଲ(ଏଜି) ପୀତାମ୍ୱର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
ସେହିପରି ଏଜି ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ଓଡ଼ିଶା ଓ ଛତିଶଗଡ଼ ଭିତରେ ବିଭିନ୍ନ ପ୍ରସଙ୍ଗ ନେଇ ସହମତି କିପରି ଆସିବ ତାକୁ ନେଇ ଆପୋଷ କଥାବାର୍ତ୍ତା ଜାରି ରହିଛି । ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ବିଷୟବସ୍ତୁକୁ ନେଇ ଆଲୋଚନା ମାଧ୍ୟମରେ ସହମତି ପ୍ରକାଶ ପାଉଛି । ମୋଟ ୪୫ଟି ବିଷୟ ନେଇ ଗତ ଦିନରେ ପ୍ରସଙ୍ଗଗୁଡ଼ିକୁ ଫ୍ରେମ୍ କରାଯାଇଥିଲା । ବର୍ତ୍ତମାନ ଅନେକ ପ୍ରସଙ୍ଗରେ ଦୁଇ ରାଜ୍ୟ ଭିତରେ ସହମତି ପ୍ରକାଶ ପାଇଛି । ପ୍ରସଙ୍ଗଗୁଡିକର ଚୂଡ଼ାନ୍ତ ଫ୍ରେମ୍ କରିବାକୁ ଦୁଇ ରାଜ୍ୟ ୭ ଦିନର ସମୟ ମାଗିଥିଲେ । ଯାହାକୁ ଟ୍ରିବ୍ୟୁନାଲ ପ୍ରଦାନ କରିଥିବା ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
ଉଭୟ ରାଜ୍ୟଙ୍କ ପକ୍ଷ ଶୁଣିବା ପରେ ଟ୍ରିବ୍ୟୁନାଲ ଆସନ୍ତା ମେ ୨ ପର୍ଯ୍ୟନ୍ତ ଏହାର ଶୁଣାଣି ସ୍ଥଗତି କରିଥିଲେ । ଇତିମଧ୍ୟରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷା ବେଲା ଏନ୍ ତ୍ରୀବେଦିଙ୍କ କାର୍ଯ୍ୟକାଳ ମଧ୍ୟ ଆସନ୍ତା ଜାନୁୟାରୀ ୧୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ଆପୋଷ ଆଲୋଚନାର ଅଗ୍ରଗତି ଆଶାନୁରୂପ ହେବାରେ ବିଳମ୍ବ ଯୋଗୁଁ ଟ୍ରିବ୍ୟୁନାଲର ଅଧ୍ୟକ୍ଷା ମଧ୍ୟ କିଛିଟା ଅସନ୍ତୋଷ ବ୍ୟକ୍ତ କରିଥିଲେ । ଶୀଘ୍ର ଏହି ବିବାଦର ସମାଧନା ପାଇଁ ଯେଭଳି ରାସ୍ତା ପରିଷ୍କାର ହୁଏ, ତାହାର ଉପାୟ ଖୋଜିବା ପାଇଁ ସେ ମଧ୍ୟ ଉଭୟ ପକ୍ଷଙ୍କୁ କହିଥିଲେ।

