କ୍ରୀଡା

ଆଜି ହାଇଦ୍ରାବାଦ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ

ଚଳିତ ଆଇପିଏଲ୍‌ର ୩୧ତମ ଲିଗ୍ ମ୍ୟାଚରେ ଆଜି ହାଇଦ୍ରାବାଦ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଏହି ମ୍ୟାଚରେ ଉଭୟ ଦଳ ନିକଟରେ ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ପହଞ୍ଚିବା ପାଇଁ ସୁଯୋଗ ରହିଛି । ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ପୂର୍ବ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଦଳକୁ ହରାଇ ଦିଲ୍ଲୀର ମନୋବଳ ବୃଦ୍ଧି ପାଇଛି । ଅବଶ୍ୟ ଦଳର ପ୍ରଦର୍ଶନ ଉନ୍ନତ ରହିଛି । କେବଳ ବ୍ୟାଟିଂ କ୍ରମର ୩ନଂ ସ୍ଥାନକୁ ନେଇ ରହିଥିବା ଦୁର୍ବଳତା ଦୂର ହୋଇନାହିଁ । ହାଇଦ୍ରାବାଦ ନିୟମିତ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ବିନା ଖେଳୁଥିଲେ ହେଁ ଇଶାନ କିଷନଙ୍କ ନେତୃତ୍ୱରେ ଚମତ୍କାର ପ୍ରଦର୍ଶନ କରୁଛି । କିଷନଙ୍କ ନେତୃତ୍ୱକୁ ପ୍ରଶଂସା ମିଳୁଛି ।

ଗତ ଶନିବାର ଅନୁଷ୍ଠିତ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ଅକ୍ଷର ପଟେଲ ଆହତ ହୋଇଥିଲେ । ବ୍ୟାଟିଂ କରୁଥିବାବେଳେ ଗୋଡ଼ ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ରିଟାୟାର୍ଡ ହର୍ଟ ହୋଇ ଗ୍ରାଉଣ୍ଡ ଛାଡ଼ିବାକୁ ପଡ଼ିଥିଲା । ମାତ୍ର ସେ ଫିଟ୍ ହୋଇଛନ୍ତି ଓ ଆଜି ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କୋଚ୍ ହେମାଙ୍ଗ ବଦାନି ପ୍ରକାଶ କରିଛନ୍ତି। ଅକ୍ଷର ନଖେଳିଲେ କେଏଲ ରାହୁଲ ନେତୃତ୍ୱ ନେବା ସମ୍ଭାବନା ରହିଛି । ସେହିପରି ଅକ୍ଷରଙ୍କ ସ୍ଥାନରେ ପୃଥ୍ୱୀ ଶ’ କିମ୍ବା ଅଭିଷେକ ପୋରେଲଙ୍କୁ ସୁଯୋଗ ମିଳିପାରେ ।

ଆଜି ରାହୁଲଙ୍କ ଉପରେ ନଜର ରହିବ । ସେ ଏହି ମ୍ୟାଚରେ ୫୦ ରନ୍ କଲେ ସର୍ବକାଳୀନ ସର୍ବାଧିକ ଆଇପିଏଲ୍ ରନ୍ କ୍ଲବରେ ସେ ମହେନ୍ଦ୍ର ସିଂହ ଧୋନିଙ୍କୁ ଅତିକ୍ରମ କରିବେ। ରାହୁଲ ଇତି ମଧ୍ୟରେ ୫୩୯୦ ରନ ସଂଗ୍ରହ କରିସାରିଛନ୍ତି । ଧୋନି ୫୪୩୯ ରନ କରି ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି । ଆଇପିଏଲ୍‌ରେ ସର୍ବାଧିକ ରନ ରେକର୍ଡ ବିରାଟ କୋହଲିଙ୍କ ନାମରେ ରହିଛି । ସେ ୮୯୦୮ ରନ ସଂଗ୍ରହ କରିସାରିଛନ୍ତି । ଏହି ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ବ୍ୟାଟରଙ୍କ ପାଇଁ ଭୂସ୍ୱର୍ଗ । ୨୦୨୪ ସିଜନରେ ମୁମ୍ବାଇ ବିପକ୍ଷରେ ହାଇଦ୍ରାବାଦ ଏହି ପିଚ୍‌ରେ ୨୭୭ ରନ ଓ ଗତ ବର୍ଷ ରାଜସ୍ଥାନ ବିପକ୍ଷରେ ଏହି ପିଚ୍ରେ ୨୮୬ ରନ ସଂଗ୍ରହ କରିଥିଲା । ପଞ୍ଜାବ ବିପକ୍ଷରେ ୨୪୫ ରନ ସଂଗ୍ରହ କରି ମଧ୍ୟ ହାଇଦ୍ରାବାଦ ପରାଜିତ ହୋଇଥିଲା । ରାତ୍ରି ମ୍ୟାଚ ହୋଇଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

Share

Leave a Reply

Your email address will not be published. Required fields are marked *

fourteen + two =