ନିଶ୍ଚିନ୍ତକୋଇଲି ଗଣଦୁଷ୍କର୍ମ ଘଟଣା : ୫ ଅଟକ
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ପାଞ୍ଚ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି କଟକ ଗ୍ରାମାଞ୍ଚଳ ପୋଲିସ । ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିଛି ପୋଲିସ । ଯୁବତୀ ଏବଂ ପୁରୁଷ ବନ୍ଧୁଙ୍କ BNSSର ଧାରା ୧୮୦ ଅନୁଯାୟୀ ବୟାନ ମଧ୍ୟ ରେକର୍ଡ କରିଛି ପୋଲିସ । ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି । ଏହି ଘଟଣାରେ ଏକ ବାଇକ୍ ଏବଂ ଏକ ଟାଟା ଏସି ଗାଡି ଜବତ କରିଛି ପୋଲିସ ।
ମଙ୍ଗଳବାର ବିଳମ୍ବିତ ରାତିରେ ସୁକରପଡ଼ା ପୂର୍ଣ ବିଭାଗ ଡାକବଙ୍ଗଳା ନିକଟରେ ପୁରୁଷବନ୍ଧୁକୁ ମାଡ଼ମାରି ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ ହୋଇଥିଲା । ଯୁବକ ଓ ତାଙ୍କ ବାନ୍ଧବୀ କାର୍ ରେ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ବେଳେ, କିଛି ସମୟ ପାଇଁ କଟକ-ଚାନ୍ଦବାଲି ରାସ୍ତା ପାର୍ଶ୍ବ ସୁକରପଡ଼ା ଡାକବଙ୍ଗଳା ନିକଟରେ ଗାଡ଼ି ରଖି ବିଶ୍ରାମ ନେଇଥିଲେ । ଏହି ସମୟରେ ରାତି ପ୍ରାୟ ୩ଟାରୁ ସାଢ଼େ ୩ଟା ମଧ୍ୟରେ ୪ରୁ ୬ଜଣ ଆସାମାଜିକ ଯୁବକ ସେଠାରେ ପହଞ୍ଚି କାରର କାଚ ଭାଙ୍ଗି ଯୁବକଙ୍କୁ ମାଡ଼ ମାରିବା ସହ ଯୁବତୀଙ୍କୁ ନିକଟସ୍ଥ ଏକ ପରିତ୍ୟକ୍ତ ଗୃହକୁ ଟେକି ନେଇ ଯାଇଥିବା ଅଭିଯୋଗ ହୋଇଥିଲା ।

