ରାଜ୍ୟ

ଜନ ଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ବଡ଼ ଘୋଷଣା

ରାଜ୍ୟରେ ଚାଲିଥିବା ପ୍ରଥମ ପର୍ଯ୍ୟାୟ ଜନଗଣନା (ହାଉସଲିଷ୍ଟିଂ ଓ ହାଉସିଂ ସେନ୍ସସ୍‌) କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ଗମ୍ଭୀର ହୋଇଛନ୍ତି। ଗତ କିଛି ଦିନ ମଧ୍ୟରେ କାର୍ଯ୍ୟରତ ଗଣନାକାରୀଙ୍କ ସମ୍ପର୍କରେ ଆସିଥିବା ଅତ୍ୟନ୍ତ ଦୁଃଖଦ ଖବର ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଜରୁରୀ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଗତ ୧୬ ଏପ୍ରିଲରୁ ଆରମ୍ଭ ହୋଇଥିବା ଏହି ଗଣନା ପ୍ରକ୍ରିୟା ଆସନ୍ତା ମେ ୧୫ ପର୍ଯ୍ୟନ୍ତ ଚାଲିବ। ତେବେ ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାମ୍ନାକୁ ଆସିଥିବା ଘଟଣାଗୁଡ଼ିକ ଚିନ୍ତା ବଢ଼ାଇଛି। ସୋନପୁର ଜିଲ୍ଲାରେ ଜଣେ ଗଣନାକାରୀଙ୍କ କାର୍ଯ୍ୟରୁ ଫେରିବା ପରେ ହୃଦଘାତରେ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ଜଣେ ମହିଳା ଗଣନାକାରୀ ନିଖୋଜ ହୋଇଯାଇଥିବା ବେଳେ ବାଲେଶ୍ୱରରୁ ଦୁର୍ଘଟଣା ଓ ହିଟ୍‌ଷ୍ଟ୍ରୋକ୍ (ଅଂଶୁଘାତ) ସମ୍ବନ୍ଧୀୟ ତିନୋଟି ମାମଲା ଏବଂ ରାଉରକେଲାରୁ ଗୋଟିଏ ଦୁର୍ଘଟଣାଜନିତ ଖବର ମିଳିଛି।

ଏହି ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ଅରବିନ୍ଦ କୁମାର ପାଢ଼ୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବାକୁ କହିଛନ୍ତି। ବିଶେଷ ଭାବେ ଗ୍ରୀଷ୍ମ ପ୍ରବାହ ବା ତାତିଜନିତ ସମସ୍ୟାକୁ ମୁକାବିଲା କରିବା, କାର୍ଯ୍ୟ ସମୟରେ ରହିଥିବା ବିପଦଗୁଡ଼ିକୁ ଚିହ୍ନଟ କରିବା ଏବଂ ଗଣନାକାରୀମାନଙ୍କୁ ନିୟମିତ ଭାବେ ଟ୍ରାକ୍ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ଏହାଛଡ଼ା, କାର୍ଯ୍ୟରେ ନିୟୋଜିତ ସମସ୍ତ ଗଣନାକାରୀଙ୍କୁ ସେମାନଙ୍କ ସୁରକ୍ଷା ସମ୍ବନ୍ଧରେ ସଚେତନ କରାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ଯାହାଫଳରେ ନିର୍ଘଣ୍ଟ ସମୟ ମଧ୍ୟରେ ସୁରୁଖୁରୁରେ ଓ ନିର୍ଭୁଲ ଭାବେ ତଥ୍ୟ ସଂଗ୍ରହ କାର୍ଯ୍ୟ ଶେଷ କରାଯାଇପାରିବ। 

Share

Leave a Reply

Your email address will not be published. Required fields are marked *

four + 17 =