ରାଜ୍ୟ

ଓଡ଼ିଶା ପୁଲିସରେ ବଡ଼ ନିଯୁକ୍ତି ଘୋଷଣା: ୭,୬୬୪ ପଦ ପାଇଁ ପ୍ରକ୍ରିୟା ଆରମ୍ଭ

ଓଡ଼ିଶା ପୁଲିସରେ ବଡ଼ ନିଯୁକ୍ତି ଘୋଷଣା । ୭,୬୬୪ ପଦ ପାଇଁ ପ୍ରକ୍ରିୟା ଆରମ୍ଭ । ଏଥର ଆଉ OPRB ନୁହେଁ OUSSSC କରିବ ପରୀକ୍ଷା । କନଷ୍ଟେବଳ ଠାରୁ ଆରମ୍ଭ କରି ସବ୍‌-ଇନ୍ସପେକ୍ଟର (SI) ପର୍ଯ୍ୟନ୍ତ ମୋଟ ୭,୬୬୪ଟି ଖାଲି ପଦବୀର ନିଯୁକ୍ତି ପ୍ରକ୍ରିୟା ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ୍ ମାଧ୍ୟମରେ କରାଯିବ। ଏହା ଭିତରେ ରହିଛି ୯୩୩ଟି SI ପଦବୀ । ପୂର୍ବରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ପାଇଁ ଏବେ ପରୀକ୍ଷା ହେବ । ୪୨୧୯ ସିଭିଲ୍ କନଷ୍ଟେବଲ ଏବଂ ୨୨୧୨ OISF କନଷ୍ଟେବଲ ପଦବୀ ପୂରଣ ହେବ। ସେହିପରି ୩୦୦ କନଷ୍ଟେବଲ ଏବଂ ୯୩୩ ଏସଆଇ ପଦବୀ ପୂରଣ ହେବା ପାଇଁ ଚିଠି କରାଯାଇଛି।

ଓଡ଼ିଶାରେ ପୁଲିସ ନିଯୁକ୍ତିକୁ ନେଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ଏକ ଅଧିକୃତ ଆଦେଶ ଅନୁଯାୟୀ, କନଷ୍ଟେବଳ ଠାରୁ ଆରମ୍ଭ କରି ସବ୍‌-ଇନ୍ସପେକ୍ଟର (SI) ପର୍ଯ୍ୟନ୍ତ ମୋଟ ୭,୬୬୪ଟି ଖାଲି ପଦବୀର ନିଯୁକ୍ତି ପ୍ରକ୍ରିୟା ଏବେ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ୍ (OUSSSC) ମାଧ୍ୟମରେ କରାଯିବ। ଏହି ନିଷ୍ପତ୍ତି ରାଜ୍ୟର ହଜାର ହଜାର ଚାକିରି ପ୍ରାର୍ଥୀଙ୍କ ପାଇଁ ବଡ଼ ଆଶା ସୃଷ୍ଟି କରିଛି।

ଗୃହ ବିଭାଗ ପକ୍ଷରୁ ଚିଠିରେ କୁହାଯାଇଛି ଯେ, ସରକାର ଗଭୀର ବିଚାରବିମର୍ଶ ପରେ ଏହି ନିଯୁକ୍ତି ଦାୟିତ୍ୱ OUSSSCକୁ ଦେବାକୁ ଅନୁମୋଦନ କରିଛନ୍ତି। OUSSSC ସଚିବଙ୍କୁ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

କେଉଁ କେଉଁ ପଦବୀରେ ହେବ ନିଯୁକ୍ତି
ସରକାରୀ ଆଦେଶ ଅନୁଯାୟୀ, ମୋଟ ଚାରି ପ୍ରକାର ପଦବୀରେ ନିଯୁକ୍ତି ହେବ। ସେଥିରେ ୩୦୦ଟି କନଷ୍ଟେବଳ (କମ୍ୟୁନିକେସନ୍) ପଦ, ୨,୨୧୨ଟି OISF କନଷ୍ଟେବଳ ପଦ, ୪,୨୧୯ଟି ସିଭିଲ କନଷ୍ଟେବଳ ପଦ ଏବଂ ୯୩୩ଟି SI ଓ ସେଇ rank ପଦ ରହିଛି। ଏହା ରାଜ୍ୟରେ ଗତ କିଛି ବର୍ଷ ମଧ୍ୟରେ ସବୁଠାରୁ ବଡ଼ ପୁଲିସ ନିଯୁକ୍ତି ପ୍ରକ୍ରିୟା ମଧ୍ୟରୁ ଗୋଟିଏ ବୋଲି ମନେ କରାଯାଉଛି।

OPRB ପରିବର୍ତ୍ତେ OUSSSC କରିବ SI ନିଯୁକ୍ତି
ବିଶେଷ କଥା ହେଉଛି, SI ଓ ସେଇ rank ପଦବୀର ନିଯୁକ୍ତି ପୂର୍ବରୁ ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ (OPRB) ଅଧୀନରେ ଥିଲା। କିନ୍ତୁ ବିଭିନ୍ନ କାରଣରୁ ସେହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରିନଥିଲା। ବିଶେଷ କରି SI ପରୀକ୍ଷାରେ ବଡ ଦୁର୍ନୀତି ପଦାକୁ ଆସିଥିଲା। ଏହାପରେ ସରକାର ସେହି ନିଯୁକ୍ତିକୁ ମଧ୍ୟ OUSSSC ଅଧୀନକୁ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି।

ଆଦେଶରେ ସ୍ପଷ୍ଟ କରାଯାଇଛି ଯେ, SI ନିଯୁକ୍ତି ପାଇଁ ପୂର୍ବରୁ ଆବେଦନ କରି ଯୋଗ୍ୟ ବିବେଚିତ ହୋଇଥିବା ସମସ୍ତ ପ୍ରାର୍ଥୀଙ୍କୁ ନୂତନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ଏଥିପାଇଁ ପୁନର୍ବାର ଆବେଦନ କରିବା ଆବଶ୍ୟକ ପଡ଼ିବ କି ନାହିଁ, ସେନେଇ ପରବର୍ତ୍ତୀ ନିର୍ଦ୍ଦେଶିକାରେ ସ୍ପଷ୍ଟତା ଆସିବ ବୋଲି ଅନୁମାନ କରାଯାଉଛି।

OPRBକୁ ତଥ୍ୟ ହସ୍ତାନ୍ତର ନିର୍ଦ୍ଦେଶ
ଗୃହ ବିଭାଗ OPRBକୁ ନିର୍ଦ୍ଦେଶ ଦେଇଛି ଯେ, ପୂର୍ବରୁ SI ନିଯୁକ୍ତି ପାଇଁ ମିଳିଥିବା ସମସ୍ତ ଆବେଦନପତ୍ର, ଡାଟା ଓ ସମ୍ପୃକ୍ତ ରେକର୍ଡ ତୁରନ୍ତ OUSSSCକୁ ହସ୍ତାନ୍ତର କରାଯାଉ। ଏହାଦ୍ୱାରା ନିଯୁକ୍ତି ପ୍ରକ୍ରିୟାକୁ ଶୀଘ୍ର ଆଗେଇ ନେବାରେ ସହାୟତା ମିଳିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

ଯୁବବର୍ଗ ମଧ୍ୟରେ ଉତ୍ସାହ
ରାଜ୍ୟରେ ବେକାରି ଯୁବବର୍ଗ ମଧ୍ୟରେ ଏହି ଘୋଷଣାକୁ ନେଇ ଉତ୍ସାହ ଦେଖାଦେଇଛି। ଦୀର୍ଘଦିନ ଧରି ପୁଲିସ ନିଯୁକ୍ତି ଅପେକ୍ଷାରେ ଥିବା ପ୍ରାର୍ଥୀମାନେ ଏହାକୁ ସ୍ୱାଗତ କରିଛନ୍ତି। ବିଶେଷକରି SI ନିଯୁକ୍ତି ପ୍ରକ୍ରିୟା ଅଟକି ରହିଥିବାରୁ ଅନେକ ପ୍ରାର୍ଥୀ ଅନିଶ୍ଚିତତାରେ ଥିଲେ। ନୂତନ ନିଷ୍ପତ୍ତି ସେମାନଙ୍କ ପାଇଁ ଆଶ୍ୱାସନ ନେଇଆସିଛି।

ପ୍ରଶାସନିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ
ପ୍ରଶାସନିକ ମହଳରେ ଏହାକୁ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି। ଗୋଟିଏ ସଂସ୍ଥା ମାଧ୍ୟମରେ ବିଭିନ୍ନ ପୁଲିସ ପଦବୀର ନିଯୁକ୍ତି କରାଯିବା ଫଳରେ ପ୍ରକ୍ରିୟାରେ ସମନ୍ୱୟ ଓ ସ୍ୱଚ୍ଛତା ବଢ଼ିବ ବୋଲି ମତ ପ୍ରକାଶ ପାଉଛି। ସେହିପରି ଖାଲି ପଦବୀ ପୂରଣ ହେଲେ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ମଧ୍ୟ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ।

Share

Leave a Reply

Your email address will not be published. Required fields are marked *

4 + fifteen =