ଶପଥ ଗ୍ରହଣ ପରେ କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ

ଆଜି ଶପଥ ଗ୍ରହଣ ପରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

  • ବିକ୍ରମ ଆରୁଖଙ୍କୁ ମିଳିଲା ଅର୍ଥ ବିଭାଗ ଦାୟିତ୍ୱ
  • ସୁଦାମ ମାର୍ଣ୍ଡି ହେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ
  • ସାରଦା ନାୟକଙ୍କୁ ଶ୍ରମ ବିଭାଗ ଦାୟିତ୍ୱ

ରାଜ୍ୟର ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟପାଳ ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ଶାରଦା ନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତିନିଜଣଙ୍କୁ ବିଭାଗ ବଣ୍ଟନ କରାଯାଇଛି ।

ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥମନ୍ତ୍ରୀ ପଦ ମିଳିଛି । ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରୁ ଲଗାତର ୬ ଥର ଜିତିଥିବା ବିକ୍ରମ କେଶରୀ ଆରୁଖ ୨୦୦୯ ମସିହାରୁ କ୍ରମାଗତ ଭାବେ ମନ୍ତ୍ରୀ ହୋଇ ଆସୁଥିଲେ । ଗତ ବର୍ଷ ଜୁନ୍‌ ମାସରେ ମନ୍ତ୍ରିମଣ୍ଡଳର ଅଦଳବଦଳ ବେଳେ ସେ ବାଦ୍ ପଡ଼ିଥିଲେ । ତାଙ୍କୁ ବାଚସ୍ପତି କରାଯାଇଥିଲା । ବାଚସ୍ପତି ପଦବିରେ ଗୋଟିଏ ବର୍ଷ ନ ପୂରୁଣୁ ଗତ ୧୨ ତାରିଖରେ ସେ ଇସ୍ତଫା ଦେଇଥିଲେ । ଗଞ୍ଜାମ ଜିଲ୍ଲାର ରାଜନୈତିକ ଦୃଶ୍ୟପଟ୍ଟରେ ଆରୁଖଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଦଳୀୟ ସଂଗଠନକୁ ଅଧିକ ସକ୍ରିୟ କରିବାକୁ ପୁନର୍ବାର ଆରୁଖଙ୍କୁ ମନ୍ତ୍ରୀ କରାଯାଇଥିବା କୁହାଯାଉଛି ।

ସେହିପରି ସୁଦାମ ମାର୍ଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱ ବଣ୍ଟନ କରାଯାଇଛି । ପୂର୍ବରୁ ସମୀର ଦାଶ ଏହି ପଦରୁ ଇସ୍ତଫା ଦେଇଥିଲେ । ମୟୂରଭଞ୍ଜ ଜିଲ୍ଲା ରାଜନୀତିରେ ସୁଦାମ ମାର୍ଣ୍ଡିଙ୍କ ଦବ୍‌ଦବା ଜୋର୍‌ ରହିଛି। ଜେଏମ୍‌ଏମ୍‌ରୁ କ୍ୟାରିୟର ଆରମ୍ଭ କରି ଜେଏମ୍‌ଏମ୍‌ ପ୍ରାର୍ଥୀ ଭାବେ ଦୁଇ ଥର ବିଧାନସଭା ଓ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପରେ ବିଜେଡିରେ ଯୋଗ ଦେଇ ୨୦୧୪ ଓ ୨୦୧୯ରେ ଦୁଇ ଥର ବିଜେଡି ପ୍ରାର୍ଥୀ ଭାବେ ବାଙ୍ଗିରୀପୋଷିରୁ ନିର୍ବାଚିତ ହୋଇ ଆସୁଛନ୍ତି ।

୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ସେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ର ମନ୍ତ୍ରୀ ଥିଲେ। ୨୦୧୯ରେ କ୍ୟାବିନେଟ୍‌ ମନ୍ତ୍ରୀ ହୋଇ ରାଜସ୍ବ ବିଭାଗ ପାଇଥିଲେ। ଗତ ବର୍ଷ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ସେ ବାଦ୍ ପଡ଼ିଥିଲେ। କିନ୍ତୁ ବର୍ଷକ ପରେ ପୁଣି ଥରେ ଦଳର ସୁପ୍ରିମୋ ତାଙ୍କ ଉପରେ ଆସ୍ଥା ସ୍ଥାପନ କରି ମନ୍ତ୍ରିମଣ୍ଡଳକୁ ଫେରାଇ ଆଣିଛନ୍ତି । ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାରୁ ବାସନ୍ତୀ ହେମ୍ବ୍ରମ୍‌ ମନ୍ତ୍ରୀ ହୋଇଛନ୍ତି। ମୟୂରଭଞ୍ଜର ମୋଟ୍‌ ୯ଟି ବିଧାନସଭା ଆସନରୁ ବିଜେପି ଦଖଲରେ ୬ଟି ଓ ବିଜେଡି ଦଖଲରେ ୩ଟି ରହିଛି ।

ଅନ୍ୟପକ୍ଷରେ ଶାରଦା ପ୍ରସାଦ ନାୟକଙ୍କୁ ଶ୍ରମ ବିଭାଗ ଦାୟିତ୍ୱ ଦିଆଯାଇଛି । ରାଉରକେଲା ବିଧାୟକ ଶାରଦା ନାୟକ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୦୯ରୁ ୨୦୧୨ ଯାଏ ସେ ରାଷ୍ଟ୍ର ମନ୍ତ୍ରୀ ଥିଲେ। ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ବିଜେଡି ସଂଗଠନକୁ ଅଧିକ ସକ୍ରିୟ କରିବା ପାଇଁ ତାଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭରସା ସ୍ଥାପନ କରିଛନ୍ତି । ସୁନ୍ଦରଗଡ଼ର ୭ଟି ବିଧାନସଭା ଆସନ ମଧ୍ୟରୁ ବିଜେପିର ୩ଟି, ବିଜେଡିର ୨ଟି ଏବଂ କଂଗ୍ରେସ ଓ ସିପିଆଇ(ଏମ୍) ଦଖଲରେ ଗୋଟିଏ ଲେଖାଏ ଆସନ ରହିଛି ।

Share

Leave a Reply

Your email address will not be published. Required fields are marked *

10 − seven =