ଜାତୀୟସ୍ତରରେ ଓଡ଼ିଶା ନାଭାଲ ଟାଟା ହକି ଏଚପିସି କ୍ୟାଡେଟ୍ଙ୍କ ଦବଦବା
ଭୁବନେଶ୍ୱର, ଏପ୍ରିଲ ୧୪, ୨୦୨୬: ଭାରତୀୟ ହକି କ୍ଷେତ୍ରରେ ଓଡ଼ିଶାର ବଢୁଥିବା ଦବଦବା ପୁଣିଥରେ ପ୍ରମାଣିତ ହୋଇଛି। ଝାଡ଼ଖଣ୍ଡର ରାଞ୍ଚିଠାରେ ଏପ୍ରିଲ ୧ରୁ ୧୨ ତାରିଖ ଯାଏଁ ଅନୁଷ୍ଠିତ ୧୬ତମ ହକି ଇଣ୍ଡିଆ ସବ୍-ଜୁନିୟର ମହିଳା ଜାତୀୟ ଚାମ୍ପିୟନସିପ୍ ୨୦୨୬ରେ ଓଡ଼ିଶା ଟିମ୍ ବ୍ରୋଞ୍ଜ ପଦକ ହାସଲ କରିଛି। ଓଡ଼ିଶା ଟିମ୍କୁ ଏହି ସଫଳତା ମିଳିବାରେ ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଣ୍ଟର (ଏଚପିସି)ର କ୍ୟାଡେଟ୍ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
ଏହି ପ୍ରତିଯୋଗିତାରେ ଏଚପିସି କ୍ୟାଡେଟ୍ ବିଷ୍ଣୁପ୍ରିୟା ସେଠୀ ଏବଂ କିରଣ କୁଜୁର ନିଜର ଚମତ୍କାର ପ୍ରଦର୍ଶନ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଓଡ଼ିଶା ଟିମ୍କୁ ପଦକ ଜିତାଇବାରେ ଏହି ଦୁଇ କ୍ୟାଡେଟ୍ ପ୍ରମୁଖ ଯୋଗଦାନ ଦେଇଛନ୍ତି। ବ୍ରୋଞ୍ଜ ପଦକ ପାଇଁ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଓଡ଼ିଶା ଟିମ୍ ନିଜର ଦୃଢ଼ ମନୋବଳ, ସମନ୍ୱୟ ଏବଂ ଉତ୍କୃଷ୍ଟ କ୍ରୀଡ଼ା କୌଶଳ ପ୍ରଦର୍ଶନ କରି ଉତ୍ତରପ୍ରଦେଶ ହକି ଦଳକୁ ୪-୨ ଗୋଲରେ ପରାସ୍ତ କରି ପୋଡିୟମ ଫିନିଶ୍ ସୁନିଶ୍ଚିତ କରିଛି।
ଏହି ସଫଳତା ଓଡ଼ିଶା ନାଭାଲ ଟାଟା ହକି ଏଚପିସିରେ ପ୍ରଦାନ କରାଯାଉଥିବା ଉନ୍ନତ ପ୍ରଶିକ୍ଷଣ, ଶୃଙ୍ଖଳା ଏବଂ ଆଥଲେଟ୍ ବିକାଶ ବ୍ୟବସ୍ଥାକୁ ସ୍ପଷ୍ଟ କରିଛି। ଏହି କେନ୍ଦ୍ର ବର୍ତ୍ତମାନ ଯୁବ ପ୍ରତିଭାମାନଙ୍କୁ ଜାତୀୟସ୍ତରର ପ୍ରତିଯୋଗୀ ଭାବେ ଗଢ଼ି ତୋଳିବା ସହ ଭାରତୀୟ ହକି ପାଇଁ ଭବିଷ୍ୟତର ତାରକା ସୃଷ୍ଟି କରିବାରେ ଏକ ପ୍ରମୁଖ ମାଧ୍ୟମ ପାଲଟିଛି।
ଏଚପିସିର ପରିଚାଳନା କର୍ତ୍ତୃପକ୍ଷ ଏବଂ କୋଚିଂ ଷ୍ଟାଫ୍, ବିଷ୍ଣୁପ୍ରିୟା ସେଠୀ, କିରଣ କୁଜୁର ଏବଂ ସମଗ୍ର ଓଡ଼ିଶା ଦଳକୁ ସେମାନଙ୍କର ଉଚ୍ଚକୋଟିର ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଛନ୍ତି।
ଏହି ସଫଳତା କେବଳ ଖେଳାଳିମାନଙ୍କ ନିଷ୍ଠା ଓ ପରିଶ୍ରମର ପ୍ରତିଫଳନ ନୁହେଁ, ବରଂ ଏହା ଭାରତୀୟ ହକିର ଶକ୍ତିକେନ୍ଦ୍ର ଭାବେ ଓଡ଼ିଶାର ସ୍ଥିତିକୁ ଆହୁରି ମଜବୁତ କରିବା ସହ ରାଜ୍ୟର ଅଗଣିତ ଯୁବ କ୍ରୀଡ଼ାବିତଙ୍କୁ ଅନୁପ୍ରାଣିତ କରିବ।

