KKR ବିଜୟରେ ରୋକ ଲଗାଇବ କି RCB
ଚଳିତ ଆଇପିଏଲ୍ ୫୭ତମ ଲିଗ୍ ମୁକାବିଲାରେ ଆଜି ଡିଫେଣ୍ଡିଂ ଚାମ୍ପିଅନ୍ ବେଙ୍ଗାଲୁରୁ (ଆରସିବି) ଘରୋଇ ଗ୍ରାଉଣ୍ଡ୍ରେ କୋଲକାତା (କେକେଆର)କୁ ଭେଟିବ । ଏହି ମ୍ୟାଚ ଜିତି ବେଙ୍ଗାଲୁରୁ ପ୍ଲେ-ଅଫ୍ରେ ସ୍ଥାନ ସୁରକ୍ଷିତ କରିବାକୁ ପ୍ରୟାସ କରିବ । ୧୦ଟି ମ୍ୟାଚ ଖେଳି ୯ ପଏଣ୍ଟ ଅର୍ଜନ କରିଥିବା କୋଲକାତା ପାଇଁ ବିଜୟ ଜରୁରି । ପ୍ଲେ- ଅଫ୍ରେ ପ୍ରବେଶ କରିବାକୁ ହେଲେ ଦଳକୁ ଶେଷ ୪ଟି ଯାକ ମ୍ୟାଚ ଜିତିବାକୁ ହେବ । ତେଣୁ ଆଜି କୋଲକାତା ସବୁ ଶକ୍ତି ଲଗାଇ ବିଜୟ ଧାରା ଅବ୍ୟାହତ ରଖିବାକୁ ପ୍ରୟାସ କରିବ ।
କୋଲକାତା ପ୍ରଥମ ୬ଟି ମ୍ୟାଚରୁ ମାତ୍ର ୧ ପଏଣ୍ଟ ଅର୍ଜନ କରିଥିଲା । ପଞ୍ଜାବ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହେବାରୁ ଏହି ପଏଣ୍ଟ ମିଳିଥିଲା । ମାତ୍ର ଏହାପରେ କୋଲକାତା ଲଢୁଆ ପ୍ରତ୍ୟାବର୍ତ୍ତନ କରିଛି । କ୍ରମାନ୍ୱୟରେ ୪ଟି ମ୍ୟାଚ ଜିତି ଦଳ ପ୍ଲେ-ଅଫ୍ ଆଶା ବଞ୍ଚାଇ ରଖିଛି ।
ବେଙ୍ଗାଲୁରୁକୁ ହରାଇବାକୁ ହେଲେ କୋଲକାତାକୁ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ । ଏପଟେ ପ୍ରମୁଖ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଆହତ ହୋଇଥିବାରୁ ସ୍ପିନ ବିଭାଗକୁ ନେଇ କୋଲକାତାର ଚିନ୍ତା ବଢ଼ିଯାଇଛି । ବେଙ୍ଗାଲୁରୁ ଓପନର ଫିଲ ସଲ୍ଟ ଆହତ ହୋଇ ସ୍ୱଦେଶ ଫେରିଛନ୍ତି । ମାତ୍ର ସେ ଖୁବ ଶୀଘ୍ର ଦଳକୁ ଫେରିବେ ବୋଲି ଜଣା ପଡ଼ିଛି । ଆଜି ସେ ଅନୁପସ୍ଥିତ ରହିବେ । ପୂର୍ବ ଭଳି ଜାକବ ବେଥେଲ ଏକାଦଶରେ ସ୍ଥାନ ବଜାୟ ରଖିବେ । ସେହିପରି ରୋମାରିଓ ସେଫର୍ଡଙ୍କ ସ୍ଥାନରେ ଆଉ ଜଣେ ପେସ୍ ବୋଲର ଭାବେ ଜାକବ ଡଫିଙ୍କୁ ସୁଯୋଗ ମିଳିପାରେ ।
କୋଲକାତା ଆହତ ବରୁଣଙ୍କ ସ୍ଥାନରେ ପ୍ରଶାନ୍ତ ସୋଲାଙ୍କି କିମ୍ବା ଦକ୍ଷ କାମରାଙ୍କୁ ଖେଳାଇବା ସମ୍ଭାବନା ରହିଛି । ମଥିଶା ପତିରଣା ସମ୍ପୂର୍ଣ୍ଣ ଫିଟ୍ ଥିଲେ ହେଁ ଆଜି ଏକାଦଶରେ ସ୍ଥାନ ହାସଲ କରିବାର ସମ୍ଭାବନା ନାହିଁ ।
ଆଜି ଭୁବନେଶ୍ୱର କୁମାରଙ୍କ ଉପରେ ନଜର ରହିବ । ସେ ଗତ ରବିବାର ଏହି ଗ୍ରାଉଣ୍ଡ୍ରେ ଅନୁଷ୍ଠିତ ମୁମ୍ବାଇ ବିପକ୍ଷ ମ୍ୟାଚରେ ୪ଟି ୱିକେଟ୍ ନେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

