ବଢିଲା ପେଟ୍ରୋଲ- ଡିଜେଲ ଦର, ଜାଣନ୍ତୁ କେତେ?
ବଢ଼ିଲା ପେଟ୍ରୋଲ ଡିଜେଲ ମୂଲ୍ୟ । ପେଟ୍ରୋଲ ଲିଟର ପିଛା ୩ ଟଙ୍କା ଓ ଡିଜେଲ ଲିଟର ପିଛା ୩ ଟଙ୍କା ବୃଦ୍ଧି ପାଇଛି । ପଶ୍ଚିମ ଏସିଆରେ ଯୁଦ୍ଧ ଯୋଗୁଁ ଇନ୍ଧନ ଯୋଗାଣର ଅଭାବ ଦେଖାଯାଇଛି । ଗ୍ରାହକମାନଙ୍କୁ ଏହାର ବର୍ଦ୍ଧିତ ମୂଲ୍ୟର ବୋଝ ମଧ୍ୟ ବହନ କରିବାକୁ ପଡୁଛି। ଗତ କିଛି ଦିନ ଧରି ଯେପରି ଅନୁମାନ କରାଯାଉଥିଲା ତାହା ଅନୁଭୂବ ହୋଇଛି। ଶୁକ୍ରବାର ସକାଳ ୬ଟାରୁ ଦିଲ୍ଲୀ ସମେତ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି । ନୂଆଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୪ ଟଙ୍କା ୭୭ ପଇସା ଥିବା ବେଳେ ଏହା ବୃଦ୍ଧି ପାଇ ୯୭ ଟଙ୍କା ୭୭ ପଇସାରେ ପହଞ୍ଚିଛି । ସେହିପରି ଡିଜେଲ ଲିଟର ପିଛା ୮୭ ଟଙ୍କା ୬୭ ପଇସାରୁ ବୃଦ୍ଧି ପାଇ ୯୦ ଟଙ୍କା ୬୭ ପଇସାରେ ପହଞ୍ଚିଛି ।
ନୂଆ ଦିଲ୍ଲୀ ସମେତ ଭାରତ ବିଭିନ୍ନ ସହରରେ ସେହି ଅନୁଯାୟୀ ପେଟ୍ରୋଲ୍ ଓ ଡିଜେଲର ବର୍ଦ୍ଧିତ ଦର ଲାଗୁ ହେବ। ଗତକାଲି ମଧ୍ୟରାତ୍ରରୁ ଅର୍ଥାତ ରାତି ୧୨ଟା ପରଠାରୁ ଏହି ନୂଆ ଓ ବର୍ଦ୍ଧିତ ଦର ଲାଗୁ ହୋଇଛି। ଅପରପକ୍ଷେ ରାଜ୍ୟରେ ପେଟ୍ରୋଲ ଡିଜେଲ ସଙ୍କଟ ଆଶଙ୍କାରେ ବିଭିନ୍ନ ପମ୍ପ୍ ମାନଙ୍କରେ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। ଗତ ଦୁଇଦିନ ଧରି ଏହି ଭିଡ଼ ଦେଖିବାକୁ ମିଳିଛି। ଖୋଦ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ବିଭିନ୍ନ ପେଟ୍ରୋଲ ଟାଙ୍କିରେ ଭିଡ଼ ଦେଖିବାକୁ ମିଳିଛି। ମାତ୍ର ହାତ ଗଣତି କେତୋଟି ତେଲଟାଙ୍କିକୁ ଛାଡ଼ି ଦେଲେ ପ୍ରାୟତଃ ଟାଙ୍କିରେ ଗତକାଲିଠାରୁ ଭିଡ଼ ଜମିଥିବା ପରିଲକ୍ଷିତ ହୋଇଛି।

