Latestଜାତୀୟ

ବିମୁଦ୍ରାକରଣକୁ ଦୁଇ ବର୍ଷ : ମୋଦି ସରକାରର ସ୍ମରଣୀୟ ବିଫଳତା

ଓଡିଶା ସହୁଛି ସବୁଠୁ ଅଧିକ କ୍ଷତି

ଭୁବନେଶ୍ବର () ବିମୁଦ୍ରାକରଣକୁ ପୁରିଲା ଦୁଇ ବର୍ଷ। କାହା ପାଇଁ ଏହା ଫାଇଦା ଦେଇପାରେ ହେଲେ ଓଡିଶା ଲାଭାନ୍ଵିତ କମ, କ୍ଷତି ଅଧିକ ସହିଛି। ବିମୁଦ୍ରାକରଣ ଯୋଗୁଁ ରାଜ୍ୟର ଅନେକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବନ୍ଦ ହୋଇଯାଇଛି। ଏପର୍ଯ୍ୟନ୍ତ ମଧ୍ୟ ସ୍ଥିତିରେ ସୁଧାର ଆସି ପାରି ନାହିଁ। ସେ ପିପିଲିର ଚାନ୍ଦୁଆ ଶିଳ୍ପ ହେଉ କି ବାନ୍ଧକଳା, ପଟ୍ଟଚିତ୍ର ହେଉ ଅନେକ ଶିଳ୍ପ ବିମୁଦ୍ରାକରଣର ମାଡରେ ଘାଇଲା ହୋଇଥିଲେ। ଏବେବି ଅଣ୍ଟା ସଳଖି ଛିଡା ହୋଇପାରି ନାହିଁ ଏସବୁ ଶିଳ୍ପ।

କ୍ୟାଶଲେସ କାରବାର କଥା କୁହାଗଲା, ହେଲେ ସେଭଳି କୌଣସି ପରିବର୍ତ୍ତନ ଏବେ ଯାଏ ରାଜ୍ୟବାସୀ ଅନୁଭବ କରିପାରିଲେ ନାହିଁ।  ଲୋକଙ୍କ ପାଖରେ ସୁବିଧା ସୁଯୋଗ ନ ପହଞ୍ଚାଇ କେବଳ ପ୍ରଚାର କରାଗଲା। ଫଳରେ ଏହା ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି କହିଛନ୍ତି ବିଶେଷଜ୍ଞ। ଯଦି ସରକାରୀ ତଥ୍ୟ ଧରାଯାଏ ତେବେ ରାଜ୍ୟ ସରକାର ହିଁ ସବୁଠାରୁ ବିଫଳ ବୋଲି କୁହାଯାଇ ପାରିବ। ରାଜ୍ୟ ସରକାରଙ୍କ ନିଜସ୍ବ ସଂସ୍ଥା କ୍ଷେତ୍ରରେ ବିମୁଦ୍ରାକରଣ ଫେଲ ମାରିଛି। ରାଜ୍ୟ ସରକାରଙ୍କ ଅଧିନରେ ୨ ହଜାର ୭୦୮ ସମବାୟ ସମିତି ରହିଛି। ଏଥିମଧ୍ୟରୁ ୬୫୫ ସମିତି ଇଣ୍ଟରନେଟ ବ୍ୟବହାର କରୁଛନ୍ତି। ସମବାୟ ବ୍ୟାଙ୍କ ଜରିଆରେ ଚାଷୀଙ୍କୁ ଦେୟ ଦେବାର ବ୍ୟବସ୍ଥା କରାଯାଇଛି। ହେଲେ ସ୍ଥିତି ଏମିତି ଯେ ଅନେକ ସମିତି ଇଣ୍ଟରନେଟ ସୁବିଧା ନଥିବାରୁ ଏଠାରେ କାରବାର ପ୍ରଭାବିତ ହୋଇଛି।

ସରକାରୀ ତଥ୍ୟ ମୁତାବକ ରାଜ୍ୟର ୬୪୧୦ ଗ୍ରାମ ପଞ୍ଚାୟତ ମଧ୍ୟରୁ ପ୍ରାୟ ୫ ହଜାର ପଞ୍ଚାୟତକୁ ବ୍ରଡବ୍ୟାଣ୍ଡ ସଂଯୋଗ ନାହିଁ। ୩୧୪ ବ୍ଳକ ମଧ୍ୟରୁ ଅଧିକାଂଶ ବ୍ଳକରେ ନାହିଁ ଇଣ୍ଟରନେଟ ସଂଯୋଗ। ୪୫୯୭ ଗ୍ରାମ ପଞ୍ଚାୟତରେ ୫ କିମି ପରିଧି ମଧ୍ୟରେ ବ୍ୟାଙ୍କ ଶାଖା ନାହିଁ। ତ ଏଭଳି ସମୟରେ ରାଜ୍ୟ ସରକାର ମଧ୍ୟ ବିମୁଦ୍ରାକରଣ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ।

ବିଜେଡି ଯଦିଓ ବିମୁଦ୍ରାକରଣର ଚିନ୍ତାଧାରକୁ ସମର୍ଥନ କରିଥିଲା, ହେଲେ ଏହାର ପ୍ରତିକୂଳ ପ୍ରଭାବ ଏବଂ ଅପ୍ରସ୍ତୁତ ଭାବେ ଏହାକୁ ଲାଗୁ କରାଯିବା ଦ୍ବାରା ଦେଖାଦେଉଥିବା ସମସ୍ୟା ପାଇଁ ଏବେ କେନ୍ଦ୍ରକୁ ସମାଲୋଚନା କରିବାକୁ ବାଧ୍ୟ ହେଉଛି। ଦଳର କହିବା କଥା,  ଚିନ୍ତାଧାରା ଭଲ ଥିଲା ହେଲେ ଏବେ ଏହା ଲକ୍ଷଭ୍ରଷ୍ଟ। କଂଗ୍ରେସ କହିଛି କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ଅଲଗା ଥିଲା ଯାହା ହାସଲ ହୋଇଛି। କଳାଧନକୁ ଧଳା କରିବାରେ ସଫଳ ହେଲେ।

ବିଶିଷ୍ଟ ଅର୍ଥନୀତିଜ୍ଞ ଡକ୍ଟର ମନମୋହନ ସିଂହ ମଧ୍ୟ ନୋଟବନ୍ଦିକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଏହାଦ୍ବାରା ସବୁ ବର୍ଗ ଏବଂ ସବୁ ବୟଷର ଲୋକ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି । ଜାଲ ନୋଟ କାରବାର, କଳାଧନ ଏବଂ ଆତଙ୍କବାଦୀଙ୍କୁ ଅର୍ଥ ସର୍କୁଲେସନକୁ ରୋକିବାକୁ ନୋଟବନ୍ଦି କରାଯାଇଥିବା କେନ୍ଦ୍ର କହୁଛି । ହେଲେ ଏବେ ଦେଶରେ ପୂର୍ବ ଅପେକ୍ଷା କ୍ୟାସର ଅଧିକ ପ୍ରଚଳନ ହେଉଛି । ଡକ୍ଟର ମନମୋହନ ସିଂହଙ୍କ ଭାଷାରେ କୁହାଯାଏ ସମୟ ସବୁଠାରୁ ଦାଗକୁ ଲିଭେଇଦିଏ । କିନ୍ତୁ ବିମୁଦ୍ରାକରଣ ଦ୍ବାରା ଏମିତି କ୍ଷତ ଓ ଦାଗ ସୃଷ୍ଟି ହୋଇଛି ଯାହା ସମୟ ଯେତେ ଗଡୁଛି ତାହା ସେତେ ସ୍ପଷ୍ଟ ଦୃଶ୍ୟମାନ ହେଉଛି ।

ଆରବିଆଇ ତଥ୍ୟ ମୁତାବକ 2016 ନଭେମ୍ବର 8 ତାରିଖ ସୁଦ୍ଧା ବଜାରକୁ ଯେତିକି ନୋଟ ଛଡା ଯାଇଥିଲା ସେ ମଧ୍ୟରୁ 99.3 ପ୍ରତିଶତ ନୋଟ ବ୍ୟାଙ୍କକୁ ଫେରି ଆସିଛି । ବିମୁଦ୍ରାକରଣ ପରେ ଆଇବିଆଇ ବଜାରକୁ ଛାଡିଥିବା 15.417 ଲକ୍ଷ କୋଟି ଟଙ୍କା ମଧ୍ୟରୁ 15.31 ଲକ୍ଷ କୋଟି ଟଙ୍କାର 500 ଓ 1000 ଟଙ୍କିଆ ନୋଟ ଫେରି ପାଇଛି । ଅର୍ଥାତ 10,720 କୋଟି ଟଙ୍କାର 500 ଓ 1000 ଟଙ୍କିଆ ନୋଟ ବଜାରକୁ ଫେରିପାରିନାହିଁ । କେନ୍ଦ୍ର ସରକାର କିନ୍ତୁ ଆକଳନ କରୁଥିଲେ ଯେ, 3 ଲକ୍ଷ କୋଟି ଟଙ୍କାର କଳାଧନ ବ୍ୟାଙ୍କକୁ ଫେରିପାରିବ ନାହିଁ ।

Share

Leave a Reply

Your email address will not be published. Required fields are marked *

12 + 1 =