ମାସନିକ ରୋଗୀଙ୍କ ଚିକିତ୍ସା ପ୍ରତି କେନ୍ଦ୍ରର ଅସହଯୋଗ

ଭୁବନେଶ୍ବର () ରାଜ୍ୟରେ ମାନସିକ ସ୍ବାସ୍ଥ୍ୟ ଓ ନିଶାମୁକ୍ତି କେନ୍ଦ୍ର ବିକାଶ ନିମନ୍ତେ ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ସ୍ବାସ୍ଥ୍ୟ ବିଭାଗ ଓ ନିମାହନସ୍ ବେଙ୍ଗାଲୁରୁ ଏବଂ ଏଆଇଆଇଏମଏସ ନୂଆଦିଲ୍ଲୀ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି ।

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭକରି ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପର୍ଯ୍ୟନ୍ତ ମାନସିକ ରୋଗୀଙ୍କୁ ପ୍ରାଥମିକ ଓ ଆପାତକାଳୀନ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ନିମାହନସ୍ ବେଙ୍ଗାଲୁରୁ ଡାକ୍ତର ଓ ମାନସିକ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଟେଲି-ମେଡିସିନ ଓ ଟେଲି-ମେଂଟରିଂ ମାଧ୍ୟମରେ ତାଲିମ୍ ପ୍ରଦାନ କରିବ । ଏ ନେଇ ମଡେଲ ହବ୍ ଆଣ୍ଡ ସ୍ପୋକ ବବସ୍ଥା ଅନୁସରଣ କରାଯିବ । ନିମାହନସ୍ ଏକ ବର୍ଷ ପାଇଁ  ମଡେଲ ହବ୍ ଭାବେ ଏବଂ ଜିଲ୍ଲା ଗୁଡିକ ସ୍ପୋକ ଭାବେ କାର୍ଯ୍ୟକରିବେ । କଟକ ସ୍ଥିତ ମାନସିକ ସ୍ବାସ୍ଥ୍ୟ ଅନୁଷ୍ଠାନ, ଯାହାକି ଏକ ପାରଦର୍ଶିତା କେନ୍ଦ୍ର, ତାକୁ ଏକ ଆଂଚଳିକ ହବ୍ରେ ପରିଣତ କରାଯିବ । ଫଳରେ ସମାଜର ତୃଣମୂଳ ସ୍ତରରେ ମାନସିକ ରୋଗୀଙ୍କୁ ନିମାହନସ୍ର ବିଶେଷଜ୍ଞ ଚିକିତ୍ସାସେବା ଯୋଗାଇ ଦିଆ ଯାଇପାରିବ । ନିମାହନସ୍ ଦ୍ୱାରା ପ୍ରଚଳିତ ଭରଚୁଆଲ୍ ନଲେଜ ନେଟୱାର୍କ ( ଇକୋ ) ଜାତୀୟ ଓ କଟକ ସ୍ଥିତ ମାନସିକ ସ୍ବାସ୍ଥ୍ୟ ଅନୁଷ୍ଠାନ ଆଂଚଳିକ ହବ୍ ଭାବେ କାର୍ଯ୍ୟକରିବ ।

ସେହିପରି ଏ.ଆଇ.ଆଇ.ଏମ୍.ଏସର ଜାତୀୟ ଡ୍ରଗ୍ସ ନିର୍ଭରଶୀଳତା ଚିକିତ୍ସା କେନ୍ଦ୍ର ( ଏନ୍.ଡି.ଡି.ଟି.ସି ) ସହଯୋଗରେ କଟକ ଏସ୍.ସି.ବି , ଭିମ୍ସାର ବୁର୍ଲ୍ଲା , ଏମ୍.କେ.ସି.ଜି ବ୍ରହ୍ମପୁର , କ୍ୟାପିଟାଲ ହସପିଟାଲ ଭୁବନେଶ୍ବର, ଆର୍.ଜି.ଏଚ୍ ରାଉରକେଲା , ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଅନୁଗୋଳ , ପୁରୀ , ବଲାଙ୍ଗିରି ଓ ମୟୁରଭଞ୍ଜରେ ଖୋଲାଯାଇଥିବା ୯ ଗୋଟି ନିଶାମୁକ୍ତି କେନ୍ଦ୍ରର ବିକାଶ କରାଯିବ । ଏହି କେନ୍ଦ୍ରଗୁଡିକରେ ଡି.ଏ.ସି ତରଫରୁ ନିର୍ଦ୍ଧିଷ୍ଟ ଦିନରେ ରୋଗୀ ଚିକିତ୍ସା ଓ ପରିଚାଳନା ପାଇଁ ଟେଲି-ମେଡିସିନ ମାଧ୍ୟମରେ ଡାକ୍ତର ଓ ସଂପୃକ୍ତ କର୍ମଚାରୀମାନଙ୍କୁ ତାଲିମ୍ ପ୍ରଦାନ କରାଯାଇ ଦକ୍ଷତା ବୃଦ୍ଧି କରାଯିବା ସହ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ପରାମର୍ଶ ଦିଆଯିବ ।

ସ୍ବାସ୍ଥ୍ୟମନ୍ତ୍ରୀ ଓ ବିଭାଗୀୟ କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଉପସ୍ଥିତିରେ ନିମାହନସର ମାନସିକ ରୋଗ ଚିକିତ୍ସା ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସନ୍ତୋଷ ଚର୍ତୁବେଦୀ ଓ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବି.କେ.ବ୍ରହ୍ମା ରାଜିନାମାରେ ସ୍ବାକ୍ଷର କରିଥିଲେ । ସେହିଭଳି ନୂଆଦିଲ୍ଲୀସ୍ଥିତ ଏମସ ସହିତ ହୋଇଥିବା ରାଜିନାମାରେ ଏମ୍ସ୍ର ମାନସିକ ସ୍ବାସ୍ଥ୍ୟ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ରାକେଶ ଚଢା ଓ ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଶ୍ରୀ ବ୍ରହ୍ମା ସ୍ବାକ୍ଷର କରିଥିଲେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ୨୦୦୩-୦୪ ମସିହାରୁ ରାଜ୍ୟରେ ଜାତୀୟ ମାନସିକ ରୋଗ ଚିକିତ୍ସା ଯୋଜନା ଆରମ୍ଭ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଏଥିପାଇଁ ଅର୍ଥ ନଦେବାରୁ ତାହା ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହୋଇପାରିନଥିଲା । ବର୍ତମାନ ରାଜ୍ୟ ସରକାର ନିଜସ୍ବ ଅର୍ଥରେ ଏହି ଯୋଜନାକୁ ସମସ୍ତ ୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ କରିବେ । ଏସ୍ସିବି ମେଡିକାଲରେ ଥିବା ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ରାଜ୍ୟ ସରକାର ଶତ ପ୍ରତିଶତ ଆର୍ଥିକ ସହୟତା ଯୋଗାଇଦେବା ସରକାରଙ୍କର ପ୍ରତିବଦ୍ଧତା ଦର୍ଶାଉଛି ।  ଜାତୀୟ ସ୍ତରର ଦୁଇ ଖ୍ୟାତି ସମ୍ପନ୍ନ ଅନୁଷ୍ଠାନ ସହିତ ଆଜିର ଏହି ରାଜିନାମା ଯୋଗୁଁ ରାଜ୍ୟରେ ମାସନିକ ଚିକିତ୍ସା କ୍ଷେତ୍ରରେ ଉନ୍ନତି ଘଟିବ । ବିଶେଷକରି ଗାଁ ଗହଳର ଥିବା ମାନସିକ ରୋଗୀମାନଙ୍କୁ ଉନ୍ନତମାନର ଚିକିତ୍ସାସେବା ମିଳିପାରିବ । ନିରାମୟ ଯୋଜନାରେ ମାନସିକ ରୋଗୀମାନଙ୍କ ପାଇଁ ଔଷଧ ଉବଲବ୍ଧ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen − eight =