Business

ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମର ଆୟୋଜନ

ଏକ ସ୍ୱଚ୍ଛ ପରିବେଶ ଗଠନ ଲକ୍ଷ୍ୟରେ କର୍ମଚାରୀ, ବ୍ୟବସାୟିକ ସହଯୋଗୀ ଏବଂ ତାଙ୍କ ପରିବାରବର୍ଗ ଏବଂ ସମ୍ପ୍ରଦାୟର ସହଯୋଗୀମାନଙ୍କୁ ଏକତ୍ରିତ କରି, ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଥାନୀୟ ଝଙ୍କରାଣୀ ମନ୍ଦିର ନିକଟସ୍ଥ ହୀରାକୁଦ ଡ୍ୟାମର ‘ରାଇଟ୍ ଡାଇକ୍’ (Right Dyke) ଏବଂ ନୂଆପଡ଼ାଠାରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ‘ସ୍ୱଚ୍ଛ ଭାରତ ଅଭିଯାନ’ର ଭାବନାକୁ ଆଧାର କରି ଏବଂ ‘ଟାଟା ଭଲ୍ୟୁଣ୍ଟିୟରିଂ ୱିକ୍ (TVW) ୨୦୨୬’ର ଅଂଶବିଶେଷ ଭାବେ ସମ୍ବଲପୁର ମହାନଗର ନିଗମ, ଜିଲ୍ଲା ବନ ବିଭାଗ ଏବଂ ବୁର୍ଲା ଥାନା ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛତା କାର୍ଯ୍ୟ ସହିତ ଦାୟିତ୍ୱପୂର୍ଣ୍ଣ ବର୍ଜ୍ୟବସ୍ତୁ ପରିଚାଳନା, ପରିବେଶ ସଚେତନତା ଏବଂ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦିଆଯାଇଥିଲା; ଯାହା ଲୋକଙ୍କୁ ନିଜ ଆଖପାଖ ଅଞ୍ଚଳକୁ ସ୍ୱଚ୍ଛ ଓ ସବୁଜ ରଖିବା ପାଇଁ ମିଳିତ ଦାୟିତ୍ୱ ଗ୍ରହଣ କରିବାକୁ ଉତ୍ସାହିତ କରିଥିଲା । ବୁର୍ଲା ସ୍ଥିତ ହୀରାକୁଦ ଡ୍ୟାମ୍ ସ୍ଥିତ ‘ରାଇଟ୍ ଡାଇକ୍’ (Right Dyke) ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟିପିଡ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମାଙ୍କ ସମେତ ସମ୍ବଲପୁର ମହାନଗର ନିଗମର ଡେପୁଟି କମିଶନର ଶ୍ରୀ ହରିଓମ୍ ଭୋଇ, ଶ୍ରୀ ଭିକ୍ଟର ସୋରେନ୍ ଓ ଶ୍ରୀ ଦେବେନ୍ଦ୍ର ରାଉତ ଏବଂ ସମ୍ବଲପୁରର ବନ ବିଭାଗ ଅଧିକାରୀ (ଫରେଷ୍ଟ ରେଞ୍ଜର) ଶ୍ରୀ ରାଜେଶ ମହାକୁଡ଼ ଯୋଗ ଦେଇଥିଲେ ।

ଏହି ଅବସରରେ ଟିପିଡ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଥିଲେ, “ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ । ଟାଟା ଭଲ୍ୟୁଣ୍ଟିୟରିଂ ୱିକ୍ ଭଳି ପଦକ୍ଷେପ ଜରିଆରେ ଆମେ ଆମର କର୍ମଚାରୀ, ବ୍ୟବସାୟିକ ସହଯୋଗୀ, ସେମାନଙ୍କ ପରିବାର ଓ ସ୍ଥାନୀୟ ସମୁଦାୟକୁ ଏକାଠି କରି ଏକ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ପାଇଁ ଉଦ୍ୟମ କରୁଛୁ । ଏଭଳି ସାମୂହିକ ପ୍ରୟାସ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ାଇବା ସହ ଦୀର୍ଘସ୍ଥାୟୀ ଜନସହଭାଗିତାକୁ ଉତ୍ସାହିତ କରିଥାଏ।“

ଏହି କାର୍ଯ୍ୟକ୍ରମରେ ‘ଟଚିଂ ବିଏ ଲାଇଭ୍ସ’ ପଦକ୍ଷେପ ମାଧ୍ୟମରେ ବ୍ୟବସାୟ ସହଯୋଗୀ ଏବଂ ହାଉସକିପିଂ କର୍ମଚାରୀଙ୍କ ପରିବାର ନୃତ୍ୟ ଏବଂ ସଂଗୀତ ପ୍ରଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜଳୀ ଯୋଜନା ଏବଂ ୟୁଏଲଏ ଯୋଜନା ବିଷୟରେ ସଚେତନତା ପ୍ରସାର କରିବା ପାଇଁ ଏକ ପଥପ୍ରାନ୍ତ ନାଟକ (ନୁକ୍କଡ ନାଟକ) ମଧ୍ୟ ମଞ୍ଚସ୍ଥ କରାଯାଇଥିଲା, ଯାହା ଏକ ଆକର୍ଷଣୀୟ, ସ୍ଥାନୀୟ ଯୋଗାଯୋଗ ଫର୍ମାଟ୍ ମାଧ୍ୟମରେ ସମ୍ପ୍ରଦାୟ ସହିତ ସଂଯୋଗ ସ୍ଥାପନ କରିଥିଲା।

ସେହିପରି ଟିପିଡବ୍ଲୁଓଡିଏଲ୍‌ର ନୂଆପଡ଼ା ବିଦ୍ୟୁତ୍ ଡିଭିଜନ୍ ପକ୍ଷରୁ ନୂଆପଡ଼ା ସହର ସ୍ଥିତ ମିନି ଷ୍ଟାଡିୟମରେ ସମାନ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ କର୍ମଚାରୀମାନେ ଯୋଗଦେଇ ସ୍ୱଚ୍ଛତା ଓ ନାଗରିକ ଦାୟିତ୍ୱବୋଧର ବାର୍ତ୍ତା ଦେଇଥିଲେ। ସେହିପରି ବୁର୍ଲାରେ କମ୍ପାନୀର ସୁରକ୍ଷା କର୍ମୀମାନେ ମଧ୍ୟ ବିଭିନ୍ନ କାର୍ଯ୍ୟାଳୟ ପରିସରରେ ସଫେଇ କାର୍ଯ୍ୟ କରି ଏହି ଅଭିଯାନର ବାର୍ତ୍ତାକୁ କାର୍ଯ୍ୟସ୍ଥଳୀ ପର୍ଯ୍ୟନ୍ତ ପହଞ୍ଚାଇଥିଲେ ।
ଟାଟା ଭଲ୍ୟୁଣ୍ଟିୟରିଂ ୱିକ୍ ୨୦୨୬ର ଅଂଶବିଶେଷ ଭାବେ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା, ପରିବେଶ ସଚେତନତା, ନାଗରିକ ଦାୟିତ୍ୱବୋଧ ଓ ଜନସହଭାଗିତାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

3 + one =