ମୌସୁମୀ ଋତୁରେ ବିଦ୍ୟୁତ ସୁରକ୍ଷା ନିୟମ ପାଳନ କରିବାକୁ ଉପଭୋକ୍ତାମାନଙ୍କୁ ଟିପିସିଓଡିଏଲ୍ ର ପରାମର୍ଶ
ମୌସୁମୀ ଋତୁରେ ପ୍ରବଳ ବର୍ଷା, ବଜ୍ରପାତ ଏବଂ ଜୋରରେ ପବନ ହେଉଥିବାରୁ, ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ମିଳିତ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ), ସମସ୍ତ ଉପଭୋକ୍ତାମାନଙ୍କୁ ବିଦ୍ୟୁତ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଏବଂ ବିଦ୍ୟୁତ ସରଞ୍ଜାମ ଗୁଡ଼ିକ ଆଖପାଖରେ ସତର୍କ ଏବଂ ସଜାଗ ରହିବାକୁ ପରାମର୍ଶ ଦେଇଛିି।
ଉପଭୋକ୍ତାମାନଙ୍କୁ ବିଦ୍ୟୁତ ଖୁଣ୍ଟ, ଟ୍ରାନ୍ସଫର୍ମର, ଫିଡର ପିଲାର ଏବଂ ଅନ୍ୟାନ୍ୟ ବିଦ୍ୟୁତ ଉପକରଣ ନିକଟରେ ଥିବା ଜଳବନ୍ଦୀ ସ୍ଥାନଗୁଡିକରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଯଦି କେଉଁଠି ବିଦ୍ୟୁତ ତାର ଛିଣ୍ଡି ପଡ଼ିଥାଏ, କଣ୍ଡକ୍ଟର ଭାଙ୍ଗିଯାଇଥାଏ କିମ୍ବା ବିଦ୍ୟୁତ ଭିତ୍ତିଭୂମି ନଷ୍ଟ ହୋଇଯାଇଥାଏ, ତେବେ ସେଠାରୁ ନିରାପଦ ଦୂରତା ବଜାୟ ରଖିବା ସହିତ ତୁରନ୍ତ ଏ ବିଷୟରେ ଟିପିସିଓଡିଏଲ୍କୁ ଖବର ଦିଅନ୍ତୁ। କୌଣସି ପରିସ୍ଥିତିରେ ବି କୌଣସି ବୈଦ୍ୟୁତିକ ଉପକରଣ ବା କେବୁଲ୍କୁ ଛୁଇଁବାକୁ କିମ୍ବା ଘୁଞ୍ଚାଇବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ସମସ୍ତ ପରିବାର ନିଜ ଘରର ଆର୍ଥିଙ୍ଗ୍ ଠିକ୍ ଅଛି କି ନାହିଁ ତାହା ନିଶ୍ଚିତ କରିବା ଉଚିତ, ଘର ଭିତରର ୱାୟରିଂକୁ ସୁରକ୍ଷିତ ରଖିବା ଉଚିତ ଏବଂ ବଜ୍ରପାତ କିମ୍ବା ପ୍ରବଳ ବର୍ଷା ସମୟରେ ଅନାବଶ୍ୟକ ବୈଦ୍ୟୁତିକ ଉପକରଣଗୁଡ଼ିକର ପ୍ଲଗ୍ ବାହାର କରିଦେବା ଉଚିତ। ଉପଭୋକ୍ତାମାନେ ବିଦ୍ୟୁତ ସମ୍ବନ୍ଧୀୟ ଯେକୌଣସି ଜରୁରୀକାଳୀନ ପରିସ୍ଥିତି ବିଷୟରେ ଟିପିସିଓଡିଏଲ୍ର ୨୪ ଘଣ୍ଟିଆ ଟୋଲ୍-ଫ୍ରି ହେଲ୍ପଲାଇନ ନମ୍ବର ୧୯୧୨ ମାଧ୍ୟମରେ ତୁରନ୍ତ ଜଣାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ଏହି ଅବସରରେ ଟିପିସିଓଡିଏଲ୍ର ସିଇଓ ଗଜାନନ ଏସ୍. କାଲେ କହିଛନ୍ତି ଯେ “ଟିପିସିଓଡିଏଲ୍ରେ ଉପଭୋକ୍ତା ମାନଙ୍କ ସୁରକ୍ଷା ସବୁବେଳେ ଆମର ସର୍ବୋଚ୍ଚ ପ୍ରାଥମିକତା, ବିଶେଷ କରି ମୌସୁମୀ ଋତୁରେ ଯେତେବେଳେ ପ୍ରବଳ ବର୍ଷା ଏବଂ ବଜ୍ରପାତ ହେତୁ ବିଦ୍ୟୁତ ଜନିତ ବିପଦ ବଢିଯାଇଥାଏ। ଆମର ଟିମ୍ ଗୁଡ଼ିକ ଉପଭୋକ୍ତା ମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବା ଏବଂ ଯେକୌଣସି ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଏହା ସହିତ ଆମେ ଉପଭୋକ୍ତା ମାନଙ୍କୁ ବିଦ୍ୟୁତ ସରଞ୍ଜାମ ଗୁଡ଼ିକ ପାଖରେ ସତର୍କତା ଅବଲମ୍ବନ କରିବାକୁ, ବିଦ୍ୟୁତ ଭିତ୍ତିଭୂମି ନିକଟରେ ଥିବା ଜଳବନ୍ଦୀ ଅଞ୍ଚଳରୁ ଦୂରେଇ ରହିବାକୁ ଏବଂ କୌଣସି ନଷ୍ଟ ହୋଇଯାଇଥିବା ତାର କିମ୍ବା ଉପକରଣ ବିଷୟରେ ଟିପିସିଓଡିଏଲ୍ କୁ ତୁରନ୍ତ ଜଣାଇବାକୁ ଅନୁରୋଧ କରୁଛୁ। ସାଧାରଣ ବିଦ୍ୟୁତ ସୁରକ୍ଷା ନିୟମାବଳୀ ପାଳନ କରି, ଆମେ ସମସ୍ତେ ମିଶି ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ଏବଂ ଦୁର୍ଘଟଣାମୁକ୍ତ ମୌସୁମୀ ଋତୁ ନିଶ୍ଚିତ କରିପାରିବା।”
ଆପଣଙ୍କ ସୁରକ୍ଷା ଆମର ପ୍ରାଥମିକତା। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ମୌସୁମୀ ଋତୁ ନିଶ୍ଚିତ କରିବାରେ ଆମକୁ ସାହାଯ୍ୟ କରନ୍ତୁ। ଆସନ୍ତୁ ସମସ୍ତେ ମିଳିମିଶି ବିଦ୍ୟୁତ ଦୁର୍ଘଟଣାକୁ ରୋକିବା ଏବଂ ସମଗ୍ର ସେଣ୍ଟ୍ରାଲ ଓଡ଼ିଶାରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା, ବୋଲି ଟିପିସିଓଡିଏଲ୍ ଆହ୍ୱାନ କରିଛି।

