ରୁଫ୍ଟପ୍ ସୋଲାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ଓଡ଼ିଶାର ପ୍ରଥମ ‘ସୌର ରଥ’ର ଶୁଭାରମ୍ଭ
ଭୁବନେଶ୍ୱର, ୧୪ ଜୁଲାଇ ୨୦୨୬: ସ୍ୱଚ୍ଛ ଶକ୍ତିର ବ୍ୟବହାରକୁ ତ୍ୱରାନ୍ୱିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ମିଳିତ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଓଡ଼ିଶାର ପ୍ରଥମ ‘ସୌର ରଥ’ର ଶୁଭାରମ୍ଭ କରାଯାଇଛି। ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନାକୁ ପ୍ରୋତ୍ସାହିତ କରିବା ଏବଂ ଉପଭୋକ୍ତା ମାନଙ୍କୁ ରୁଫ୍ଟପ୍ ସୋଲାର ଲଗାଇବାକୁ ଉତ୍ସାହିତ କରିବା ପାଇଁ ଏହା ଏକ ମୋବାଇଲ୍ ସଚେତନତା ଅଭିଯାନ ଅଟେ।
ଭୁବନେଶ୍ୱର ସ୍ଥିତ ପାୱାର ଡିଷ୍ଟ୍ରିବ୍ୟୁସନ ଟେକ୍ନୋଲୋଜି ସେଣ୍ଟର (ପିଡିଟିସି) ଠାରେ ଟାଟା ପାୱାରର ଚି଼ଫ ଓଡିଶା ଡିଷ୍ଟ୍ରିବ୍ୟୁସନ ବିଜନେସ ତଥା ଟିପିସିଓଡିଏଲ୍ର ସିଇଓ ଶ୍ରୀ ଗଜାନନ ଏସ୍. କାଲେ ଏବଂ ଟାଟା ପାୱାରର ସିଏଚ୍ଆରଓ ଏବଂ ସଷ୍ଟେନେବିଲିଟି ଓ ସିଏସଆର ମୁଖ୍ୟ ହିମଲ ତିୱାରୀ କମ୍ପାନୀର ବରିଷ୍ଠ ନେତୃତ୍ୱ ଦଳଙ୍କ ଉପସ୍ଥିତିରେ ଏହି ସୌର ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଏହି ସଚେତନତା ଅଭିଯାନର ଏକ ଅଂଶ ଭାବରେ, ସୌର ରଥ ଗୁଡ଼ିକ ପୁରୀ ଏବଂ ଢେଙ୍କାନାଳ ଅଞ୍ଚଳ ପରିକ୍ରମା କରିବେ ଏବଂ ରୁଫ୍ଟପ୍ ସୋଲାର ବିଷୟରେ ସିଧାସଳଖ ଉପଭୋକ୍ତା ମାନଙ୍କ ନିକଟରେ ସଚେତନତା ପହଞ୍ଚାଇବେ। ଏହି ଅଭିଯାନ ସହିତ ‘ସୋଲାର ସାଙ୍ଗ’ ନାମକ ଜଣେ ସମର୍ପିତ ପ୍ରତିନିଧି ମଧ୍ୟ ରହିବେ, ଯିଏ ସ୍ଥାନୀୟ ଲୋକମାନଙ୍କୁ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା ବିଷୟରେ ଶିକ୍ଷା ଦେବେ। ସେ ରୁଫ୍ଟପ୍ ସୋଲାର ଲଗାଇବାର ଲାଭ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବସିଡି, ଯୋଗ୍ୟତା ମାପଦଣ୍ଡ ଏବଂ ଆବେଦନ ପ୍ରକ୍ରିୟା ବିଷୟରେ ବୁଝାଇବେ। ଏହା ସହିତ ଉପଭୋକ୍ତା ମାନେ ଯେପରି ନିଜ ବିଦ୍ୟୁତ ଆବଶ୍ୟକତା ଅନୁଯାୟୀ ସର୍ବୋତ୍ତମ ବିକଳ୍ପ ବାଛିପାରିବେ, ସେଥିପାଇଁ ୧ କିଲୋୱାଟ୍ ୟୁଏଲଏ ମଡେଲ୍ ସହିତ ବିଭିନ୍ନ ରୁଫ୍ଟପ୍ ସୋଲାର ସଲ୍ୟୁସନ ବିଷୟରେ ମଧ୍ୟ ସଚେତନତା ସୃଷ୍ଟି କରିବେ।
ଏହି ଅଭିଯାନର ଲକ୍ଷ୍ୟ ହେଉଛି ରୁଫ୍ଟପ୍ ସୋଲାର ବିଷୟରେ ନିର୍ଭରଯୋଗ୍ୟ ତଥ୍ୟକୁ ସହଜରେ ଲୋକମାନଙ୍କ ପାଖରେ ପହଞ୍ଚାଇବା, ଯାହା ଦ୍ୱାରା ପରିବାରଗୁଡ଼ିକ ନିଜର ବିଦ୍ୟୁତ ବିଲ୍ କମାଇ ପାରିବେ, ସ୍ୱଚ୍ଛ ଶକ୍ତି ଉତ୍ପାଦନ କରିପାରିବେ ଏବଂ ଏକ ସୁଦୃଢ଼ ଭବିଷ୍ୟତ ଗଠନରେ ଯୋଗଦାନ ଦେଇପାରିବେ। ଗ୍ରାମ ପରିଦର୍ଶନ, ସମ୍ପ୍ରଦାୟ ସହିତ ଆଲୋଚନା ଏବଂ ସଚେତନତା ଶିବିର ମାଧ୍ୟମରେ ଟିପିସିଓଡିଏଲ୍ ଭାରତ ସରକାରଙ୍କ ଏହି ପ୍ରମୁଖ ରୁଫ୍ଟପ୍ ସୋଲାର କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କ ଭାଗିଦାରୀକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରୁଛି।
ଏହି ଅବସରରେ ଟାଟା ପାୱାରର ଚି଼ଫ ଓଡିଶା ଡିଷ୍ଟ୍ରିବ୍ୟୁସନ ବିଜନେସ ତଥା ଟିପିସିଓଡିଏଲ୍ର ସିଇଓ ଶ୍ରୀ ଗଜାନନ ଏସ୍. କାଲେ କହିଛନ୍ତି ଯେ, “ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା ହେଉଛି ଏକ ପରିବର୍ତ୍ତନଶୀଳ ପଦକ୍ଷେପ, ଯାହା ଉପଭୋକ୍ତାମାନଙ୍କୁ ବିଦ୍ୟୁତ ଖର୍ଚ୍ଚ ହ୍ରାସ କରିବା ସହିତ ନିଜର ସ୍ୱଚ୍ଛ ଶକ୍ତି ଉତ୍ପାଦନ କରିବାକୁ ସକ୍ଷମ କରେ। ଓଡ଼ିଶାର ପ୍ରଥମ ସୌର ରଥ ମାଧ୍ୟମରେ ଆମେ ସିଧାସଳଖ ଲୋକମାନଙ୍କ ପାଖରେ ସଚେତନତା ପହଞ୍ଚାଉଛୁ, ଯାହା ସେମାନଙ୍କୁ ରୁଫ୍ଟପ୍ ସୋଲାରର ଲାଭ ଏବଂ ସରକାରୀ ସହାୟତା ପାଇବାର ସହଜ ଉପାୟ ବୁଝିବାରେ ସାହାଯ୍ୟ କରିବ। ଟିପିସିଓଡିଏଲ୍ରେ ଆମେ ଆମର ସେବା ଯୋଗଣ ଅଞ୍ଚଳରେ ଅକ୍ଷୟ ଶକ୍ତିର ବ୍ୟବହାରକୁ ଅଧିକ ପ୍ରୋତ୍ସାହିତ କରି ଏକ ସବୁଜ ଏବଂ ସୁଦୃଢ଼ ଶକ୍ତି ଭବିଷ୍ୟତ ଗଠନ ପାଇଁ ପ୍ରତିବଦ୍ଧ ରହିଛୁ।”
ଏହି ସୌର ରଥ ବିଭିନ୍ନ ଗ୍ରାମ, ବଜାର ଏବଂ ପ୍ରମୁଖ ସର୍ବସାଧାରଣ ସ୍ଥାନଗୁଡ଼ିକ ପରିକ୍ରମା କରିବ, ଯେଉଁଠାରେ ଉପଭୋକ୍ତାମାନେ ‘ସୋଲାର ସାଙ୍ଗ’ ଙ୍କ ସହିତ କଥାବାର୍ତ୍ତା କରିପାରିବେ ଏବଂ ରୁଫ୍ଟପ୍ ସୋଲାର ଆପଣାଇବା ପାଇଁ ମାର୍ଗଦର୍ଶନ ପାଇପାରିବେ। ଏହିଭଳି ଏକ ପଦକ୍ଷେପ ମାଧ୍ୟମରେ, ଟିପିସିଓଡିଏଲ୍ ଉପଭୋକ୍ତାମାନଙ୍କ ସହ ସମ୍ପର୍କକୁ ଅଧିକ ମଜବୁତ କରିବା ସହିତ ଅକ୍ଷୟ ଶକ୍ତିର ପ୍ରସାର ଏବଂ ଏକ ସ୍ୱଚ୍ଛ ଓ ଶକ୍ତି-ସୁରକ୍ଷିତ ଓଡ଼ିଶା ଗଠନ ପାଇଁ ସରକାରଙ୍କ ଦୂରଦୃଷ୍ଟିକୁ ସମର୍ଥନ କରିବା ଜାରି ରଖିଛି।

