ଜଳ ପରିଚାଳନାରେ ଶ୍ରେଷ୍ଠତା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍କୁ ସମ୍ମାନଜନକ “ସିଆଇଆଇ ଜାତୀୟ ପୁରସ୍କାର-୨୦୨୬”
କଳିଙ୍ଗନଗର/ନୂଆଦିଲ୍ଲୀ, ୧୦/୧୦/୨୦୨୬: ଜଳ ସଂରକ୍ଷଣ, ପରିଚାଳନା ଏବଂ ଗ୍ରାମୀଣ ଜୀବିକାରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସଏଫ୍) କୁ “ସିଆଇଆଇ (ସିଆଇଆଇ) ଜାତୀୟ ଜଳ ପରିଚାଳନା ଶ୍ରେଷ୍ଠତା ପୁରସ୍କାର-୨୦୨୬’ରେ ସମ୍ମାନିତ କରାଯାଇଛି। କଳିଙ୍ଗନଗରରେ କାର୍ଯ୍ୟକାରୀ ହେଉଥିବା ‘ସମନ୍ୱିତ ଜଳଛାୟା ପରିଚାଳନା ଏବଂ ଜଳବାୟୁ ପରିବର୍ତ୍ତନ ଅନୁକୂଳ ପ୍ରକଳ୍ପ’ ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ୍ “ବିୟଣ୍ଡ ଦି ଫେନ୍ସ” ବର୍ଗରେ ବିଜେତା ବିବେଚିତ ହୋଇଛି।
ଏହି ସମନ୍ୱିତ ଜଳଛାୟା ପ୍ରକଳ୍ପଟି ବ୍ରାହ୍ମଣୀ ନଦୀ ଅବବାହିକା ପରିସରଭୁକ୍ତ। ଯାଜପୁର ଜିଲ୍ଲାର ଦାନଗଦୀ ଏବଂ ସୁକିନ୍ଦା ବ୍ଲକ ଅନ୍ତର୍ଗତ ୯ଟି ପଞ୍ଚାୟତର ୧୨ ଗ୍ରାମରେ ମୋଟ ୩,୨୭୦.୮୭ ହେକ୍ଟର ପରିମିତ ଅଞ୍ଚଳରେ ଏହି ପ୍ରକଳ୍ପ ସମ୍ପାଦିତ ହେଉଛି। ବର୍ଷା ଜଳ ଉପରେ ନିର୍ଭରଶୀଳତା, ଜମିର ଉର୍ବରତା ହ୍ରାସ, କମ୍ କୃଷି ଉତ୍ପାଦନ ଏବଂ ଜୀବିକାର ଅନିଶ୍ଚିତତା ପରି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା।
ବିଗତ ୪ ବର୍ଷର ଉଦ୍ୟମ ଫଳରେ ଏହି ପ୍ରକଳ୍ପ ଜରିଆରେ ଅତିରିକ୍ତ ୨୦୭ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି। ୪୨୭ ହେକ୍ଟର ଜମିର ଭୂମି ସଂରକ୍ଷଣ ଓ ଉନ୍ନତୀକରଣ କରାଯାଇଛି। ଭୂତଳ ଜଳସ୍ତରରେ ପ୍ରାୟ ୧ ମିଟର ବୃଦ୍ଧି ଘଟିଛି। ୧୪୩ ହେକ୍ଟର ଜମିକୁ ପୁନରୁଦ୍ଧାର କରାଯାଇ କୃଷି ଉପଯୋଗୀ କରାଯାଇଛି। ଜଳ ସଂରକ୍ଷଣ ସହ ସ୍ଥାୟୀ କୃଷି ପ୍ରଣାଳୀ, ଫସଲ ବିବିଧକରଣ ଏବଂ ସମୁଦାୟ-ଭିତ୍ତିକ ପ୍ରାକୃତିକ ସମ୍ପଦ ପରିଚାଳନା ଯୋଗୁଁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଆର୍ଥିକ ସ୍ଥିତିରେ ବ୍ୟାପକ ସୁଧାର ଆସିଛି। ଏହି ପଦକ୍ଷେପ ମାଧ୍ୟମରେ ମୁଖ୍ୟତଃ ଅବହେଳିତ ବର୍ଗର ୪,୮୨୦ଜଣ ଉପକୃତ ହୋଇଥିବା ବେଳେ ପରିବାରଗୁଡ଼ିକର ହାରାହାରି ବାର୍ଷିକ ଆୟରେ ୩୩.୧୩% ବୃଦ୍ଧି ରେକର୍ଡ କରାଯାଇଛି।
ହି ପ୍ରଭାବଶାଳୀ ପରିଣାମ ଏବଂ ସମୁଦାୟ-ଭିତ୍ତିକ ଜଳ ପରିଚାଳନା ପ୍ରତି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର ପ୍ରତିବଦ୍ଧତା ଯୋଗୁଁ, ‘ସିଆଇଆଇ ଜାତୀୟ ଜଳ ପରିଚାଳନା ଶ୍ରେଷ୍ଠତା ପୁରସ୍କାର-୨୦୨୬’ରେ ଏହି ପଦକ୍ଷେପକୁ ଜାତୀୟ ସ୍ତରରେ ପ୍ରଶଂସା କରାଯାଇଛି। ସମାରୋହରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଡ. ରାଜ ଭୂଷଣ ଚୌଧୁରୀ, ଜାତୀୟ ସ୍ୱଚ୍ଛ ଗଙ୍ଗା ମିଶନ୍ (ଏନ୍ଏମସିଜି)ର ମହାନିର୍ଦ୍ଦେଶକ ରାଜୀବ କୁମାର ମିତ୍ତଲ, ପାନୀୟ ଜଳ ଓ ପରିମଳ ବିଭାଗର ଯୁଗ୍ମ ସଚିବ ଡି. ସେନ୍ଥିଲଙ୍କ ସମେତ ଅନେକ ବରିଷ୍ଠ ନୀତି ନିର୍ଦ୍ଧାରକ ଓ ବିଶେଷଜ୍ଞ ଉପସ୍ଥିତ ଥିଲେ। ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଚିଫ୍ ଅପରେଟିଂ ଅଫିସର (ସିଓଓ) ଦେବଦୂତ ମହାନ୍ତି, କୃଷି ବିଭାଗ ମୁଖ୍ୟ ଅନନ୍ତ ସିଂହ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଗୌରବଜନକ ପୁରସ୍କାର ଗ୍ରହଣ କରିଥିଲେ।
ଏହି ସଫଳତା ସମ୍ପର୍କରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର ମୁଖ୍ୟ ନିର୍ବାହୀ ଅଧିକାରୀ ସୌରଭ ରାୟ କହିଛନ୍ତି, “ଏହି ଜାତୀୟ ସମ୍ମାନ ସ୍ଥାନୀୟ ଗ୍ରାମବାସୀଙ୍କ ମିଳିତ ପ୍ରୟାସ ଏବଂ ଆମ ଟିମ୍ର ନିରନ୍ତର ପ୍ରୟାସର ପ୍ରତୀକ। କଳିଙ୍ଗନଗର ଅଞ୍ଚଳରେ ଜଳ ସୁରକ୍ଷା ଓ ଜୀବିକାର ଆହ୍ୱାନକୁ ସଫଳତାର ସହ ସାମ୍ନା କରିବା ଦିଗରେ ଏହା ଆମକୁ ଅଧିକ ଉତ୍ସାହିତ କରିଛି। ଆଗାମୀ ଦିନରେ ଜଳ ସୁରକ୍ଷାକୁ ଆହୁରି ସୁଦୃଢ଼ କରି ଗ୍ରାମୀଣ ଜୀବନଜୀବିକାକୁ ସଶକ୍ତ କରିବା ସହ ସ୍ଥାୟୀ ବିକାଶ ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ଆମେ ପ୍ରତିବଦ୍ଧ।’ ଜଳ ସଙ୍କଟର ସ୍ଥାୟୀ ସମାଧାନ ଏବଂ ଗ୍ରାମୀଣ ଅଞ୍ଚଳର ଆର୍ଥିକ-ସାମାଜିକ ବିକାଶ ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସ୍ଥାନୀୟ ଅନୁଷ୍ଠାନ, ସରକାରୀ ବିଭାଗ ଏବଂ ଜନସାଧାରଣଙ୍କ ସହଯୋଗରେ ଆଗାମୀ ଦିନରେ ଏହିପରି ଜନକଲ୍ୟାଣକାରୀ କାର୍ଯ୍ୟ ଜାରି ରଖିବ।

