ଗ୍ରାମୀଣ ମହିଳାଙ୍କୁ ସଶକ୍ତ କରୁଛି ନବଜୀବନ କୋଅପରେଟିଭ୍

-ଓଡ଼ିଶା ସରକାରଙ୍କ ପକ୍ଷରୁ କୋଅପରେଟିଭ୍‌ର ୭ ମହିଳାଙ୍କୁ ‘ମାଷ୍ଟର କ୍ରାଫ୍ଟସ୍‌ପର୍ସନ’ ମାନ୍ୟତା
କଳିଙ୍ଗନଗର: ରାଜଧାନୀ ସହର ଭୁବନେଶ୍ୱର ଓ ଅନ୍ୟ ବଡ଼ ବଡ଼ ସହରଗୁଡ଼ିକର ଗିଫ୍ଟ ଦୋକାନଗୁଡ଼ିକରେ ପ୍ରଦର୍ଶିତ ହୋଇଥିବା ଆଦିବାସୀ ଚିତ୍ରକଳାକୁ ଯାଜପୁରର ଆଦିବାସୀ ମହିଳାମାନେ ପ୍ରସ୍ତୁତ କରିଥିବା କଥା ବହୁତ କମ୍ ଲୋକ ଜାଣିଥିବେ ।
ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ୍ ଅଧୀନସ୍ଥ ତ୍ରିଜଙ୍ଗାରେ ଥିବା ଟାଟା ଷ୍ଟିଲ୍‌ର ପୁର୍ନବାସ କଲୋନିର ଏହି ମହିଳାମାନେ ନିଜ ଆଙ୍ଗୁଠି ଜରିଆରେ ଯାଦୁ କରୁଛନ୍ତି । କେବଳ ଆଦିବାସୀ ଚିତ୍ରକଳା ନୁହେଁ ସେମାନେ ଆହୁରି ବହୁ ରଚନାତ୍ମକ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଏହି ମହିଳାମାନେ ହେଉଛନ୍ତି ଓଡ଼ିଶାର ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ଟାଟା ଷ୍ଟିଲ୍ ଦ୍ୱାରା ଗଠିତ ନବଜୀବନ କୋ-ଅପରେଟିଭ୍ ଲିମିଟେଡ୍ (ଏନ୍‌ସିଏଲ୍‌)ର ସଦସ୍ୟା । ଟାଟା ଷ୍ଟିଲ୍‌ର କଳିଙ୍ଗନଗର ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହୋଇଥିବା ପରିବାରର ସଦସ୍ୟମାନେ ଏହାକୁ ଗଠନ କରିଛନ୍ତି ।
ଏନ୍‌ସିଏଲ୍ ଏହାର କଳାତ୍ମକ ଯାତ୍ରାକୁ ୨୦୧୨ରେ ଚିତ୍ରକଳା ଏବଂ ୱାଲ୍ ହ୍ୟାଙ୍ଗିଙ୍ଗ୍‌ରୁ ଆରମ୍ଭ କରିଥିଲା ଏବଂ ପରବର୍ତୀ ସମୟରେ ତାହାକୁ ପୋଷାକ (ଟି-ସାର୍ଟରେ ହାତରେ ତିଆରି ଚିତ୍ରକଳା), ହାତରେ ତିଆରି ଷ୍ଟୋଲ, ଦୁପଟ୍ଟା, ଶାଢ଼ି ଓ ସମ୍ମିଳନୀ ଫାଇଲ ଓ ଫୋଲ୍‌ଡର, ଫୁଲଦାନି, ପେନ୍ ଷ୍ଟାଣ୍ଡ୍‌, ଲାମିନେଟେଡ୍ ଝୋଟ ବ୍ୟାଗ୍ ଓ ମୋବାଇଲ୍ କଭର ଆଦିକୁ ସମ୍ପ୍ରସାରିତ କରିଥିଲା ।
ଏକ ଛୋଟ ପ୍ରକଳ୍ପ ଭାବେ ଆରମ୍ଭ ହୋଇଥିବା ନବଜୀବନ କୋଅପରେଟିଭ୍ ଏବେ ଯାଜପୁରରେ ୮ଟି ୟୁନିଟ୍ ଥିବା ଏକ ବ୍ରାଣ୍ଡ୍‌ରେ ପରିଣତ ହୋଇଛି ଯାହାର ତିନିଟି ପୋଷାକ ୟୂନିଟ୍ ଗୋବରଘାଟି, ତ୍ରିଜଙ୍ଗା ଓ ସାନସାଇଲୋରେ ଥିବା ବେଳେ ଗୋବରଘାଟି ଓ ତ୍ରିଜଙ୍ଗାରେ ଦୁଇଟି ଆଦିବାସୀ କଳା ଓ କଳାକୃତି ୟୂନିଟ୍‌, ତ୍ରିଜଙ୍ଗାରେ ଗୋଟିଏ ଆଦିବାସୀ ଅଳଙ୍କାର ୟୁନିଟ୍‌, ଗୋବରଘାଟିରେ ଗୋଟିଏ ପ୍ରିଟିଂ ଓ ଷ୍ଟେସନାରି ୟୁନିଟ୍ ଏବଂ ସାନସାଇଲୋରେ ଗୋଟିଏ ନୁଡୁଲ୍‌ସ ଉତ୍ପାଦନ ୟୁନିଟ୍ ରହିଛି ।
କୋଅପରେଟିଭ୍‌ର ଜଣେ ସଦସ୍ୟା ମମତା ସୁଣ୍ଡି କହିଛନ୍ତି ଯେ, “ବର୍ତମାନ ଆମ ୟୁନିଟ୍‌ଗୁଡ଼ିକ ଏଭଳି ଏକ ସ୍ତରରେ ପହଂଚିଯାଇଛି ଯେଉଁଠାରେ କାରିଗରମାନେ ଗୁଣାତ୍ମକ ଉତ୍ପାଦ ଉତ୍ପାଦନ କରିବାକୁ ସକ୍ଷମ । ଆମର ସଉରା ଚିତ୍ରକଳା ୟୁନିଟ୍‌ରେ ୩୫ ଜଣ କାରିଗର ସଦସ୍ୟ ରହିଛନ୍ତି ଯେଉଁମାନେ ୱାଲ୍ ହ୍ୟାଙ୍ଗିଙ୍ଗ, ଟି-ସାର୍ଟ, ଦୁପଟ୍ଟା ଓ ସ୍ଲିଭ୍‌, ଶାଢ଼ି ଓ ସାଜସଜ୍ଜା ଏବଂ ଅଫିସ ଷ୍ଟେସନାରି ଭଳି ଅନ୍ୟାନ୍ୟ ଉତ୍ପାଦର ହାତରେ ଚିତ୍ରାଙ୍କନ ଉତ୍ପାଦନରେ ନିୟୋଜିତ ହୋଇଛନ୍ତି । ଆମ ସିଲାଇ ୟୁନିଟ୍‌ରେ ୧୦୭ ଜଣ ମହିଳା ସଦସ୍ୟା ନିୟୋଜିତ ହୋଇଛନ୍ତି । ଏହା ବ୍ୟତୀତ ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ମଧ୍ୟ ରହିଛି ଯେଉଁଥିରେ ୧୦ ଜଣ ମହିଳା ନିୟୋଜିତ ହୋଇ ବିଭିନ୍ନ ପ୍ରକାରର ନୁଡୁଲ୍‌ସ ତିଆରି କରୁଛନ୍ତି ।’’
ଏଥିରେ ପୂର୍ବରୁ ପଶୁ ପାଳନ ଓ ଚାଷ କିମ୍ବା ବିନା କୌଣସି ଆୟରେ କେବଳ ଘର କାମରେ ନିୟୋଜିତ ଥିବା ମହିଳାମାନଙ୍କ ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହି ପରିବାରଗୁଡ଼ିକର ମହିଳା ସଦସ୍ୟାମାନଙ୍କୁ ଜୀବନଜୀବିକା ସୁଯୋଗ ପ୍ରଦାନ କରିବା ଲାଗି ନବଜୀବନର ଶୁଭାରମ୍ଭ ହୋଇଥିଲା । ଏହା ଦୀର୍ଘସ୍ଥାୟୀ ଆୟ ସୃଷ୍ଟିକାରୀ କାର୍ଯ୍ୟକ୍ରମ ଆଣିବା ସହିତ ସାମଗ୍ରିକ ଦୃଷ୍ଟିକୋଣର ଲକ୍ଷ୍ୟ ରଖିଥିଲା ।
ଏହି କୋଅପରେଟିଭ ସେମାନଙ୍କ ଉତ୍ପାଦ ବିକ୍ରି କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ବେଳେ ଫ୍ୟାବ୍‌ଇଣ୍ଡିଆ ଓ ଟ୍ରାଇବ୍‌ସ ଇଣ୍ଡିଆ ଭଳି ଜଣାଣୁଣା ବ୍ରାଣ୍ଡ୍ କୋଅପରେଟିଭ୍‌ଠାରୁ ସାମଗ୍ରୀ ସଂଗ୍ରହ କରୁଛନ୍ତି । କୋଅପରେଟିଭ୍‌ର ଏକ ବଡ଼ ଗ୍ରାହକ ବର୍ଗ ରହିଛି ଯେଉଁଥିରେ ଟାଟା ଷ୍ଟିଲ, ଟାଟା ଷ୍ଟିଲ ଫାଉଣ୍ଡେସନ, ଟ୍ରାଇଫାଏଡ୍‌, ଲିଟିଲ୍ ଲୋକାଲ୍‌, କ୍ଲାସିକ୍ ଷ୍ଟ୍ରିଟ୍‌, ଯାଜପୁର ଜିଲ୍ଳା ପ୍ରଶାସନ, ପରିଶୋଧନ, ଓଡ଼ିଶା ଆଦିବାସୀ ବିକାଶ ସମବାୟ ନିଗମ ଲିମିଟେଡ୍ (ଟିଡିସିସିଓଏଲ୍‌) ଏବଂ ଅଂଚଳର ଅନ୍ୟାନ୍ୟ ନିଗମ ଆଦି ରହିଛନ୍ତି ।
ଗୃହିଣୀରୁ ଦେଶର ଅଗ୍ରଣୀ ଏଜେନ୍ସିଗୁଡ଼ିକ ସହ ବ୍ୟବସାୟ କାରବାର କରିବା ପର୍ଯ୍ୟନ୍ତ ଏହି ମହିଳା କାରିଗରମାନେ କୋଅପରେଟିଭ୍ ଆରମ୍ଭ ହେବା ପରଠାରୁ ପେସାଦାର ହୋଇପାରିଛନ୍ତି । କୋଅପରେଟିଭ୍‌ର ବାର୍ଷିକ କାରବାର ୨୦୨୧-୨୨ରେ ୨୨,୫୦,୨୦୩ ଟଙ୍କା ଓ ୨୦୨୨-୨୩ ଆର୍ଥିକ ବର୍ଷରେ ୬୭,୧୪,୭୬୩ ଟଙ୍କା ଥିଲା ।
୨୦୨୩ ଜୁଲାଇରେ ରାଜ୍ୟ କଳା ଓ କଳାକୃତି ବିକାଶ ପ୍ରତିଷ୍ଠାନ (ଏସଆଇଡିଏସି) ଭୁବନେଶ୍ୱର ତରଫରୁ ଆୟୋଜିତ ଦକ୍ଷତା ପରୀକ୍ଷାକୁ ସଫଳତାର ସହ ପୂରଣ କରିଥିବା ୪୮ ଜଣ କାରିଗରଙ୍କୁ “ମାଷ୍ଟର କ୍ରାଫ୍ଟସପର୍ସନ’ଭାବେ ମାନ୍ୟତା ଦେଇ ଓଡ଼ିଶା ସରକାରଙ୍କ ହସ୍ତତନ୍ତ ନିର୍ଦ୍ଦେଶାଳୟ ପକ୍ଷରୁ ୨୦୨୩ ଅକ୍ଟୋବର ୧୨ରେ ଏକ ତାଲିକା ଜାରି କରାଯାଇଥିଲା । ସେହି ୪୮ ଜଣ କାରିଗରଙ୍କ ମଧ୍ୟରୁ ୭ ଜଣ ହେଉଛନ୍ତି ନବଜୀବନ କୋଅପରେଟିଭ୍‌ର ସଦସ୍ୟା ।
ନବଜୀବନ କୋଅପରେଟିଭ୍‌ର ସଭାପତି କୌଶଲ୍ୟା ପାତ୍ର ନବଜୀନର ଶୁଭାରମ୍ଭ ହେବା ପରଠାରୁ ତାହାର କଳାକାର ରହିଛନ୍ତି । ନିଜ ଯାତ୍ରା ସମ୍ପର୍କରେ ସେ କହିଛନ୍ତି, “ମୁଁ ମୋ ପରିବାରକୁ ସହଯୋଗ କରିବା ସହିତ ନିଜକୁ ଆର୍ଥିକ ସ୍ୱାଧୀନ କରିବାକୁ ଚାହୁଁୁୁଥିଲି । ପିଲାଟି ଦିନରୁ ଚିତ୍ରକଳା ପ୍ରତି ମୋର ଆଗ୍ରହ ଥିଲା, କିନ୍ତୁ ମୁଁ କେବେ ଭାବିନଥିଲି ଯେ ତାହା ମୋର ପେସାରେ ପରିଣତ ହେବ । ଏଠାକୁ ଆସିବା ପରେ ମୁଁ ବହୁତ କିଛି ଶିଖିପାରିଛି ।’’
ନବଜୀବନ କୋଅପରେଟିଭ୍ ଏହି ଗ୍ରାମୀଣ ମହିଳାମାନଙ୍କ ଲାଗି ଆଶାର କୀରଣ ପାଲଟିଛି ଯେଉଁମାନେ ନିଜ ପରିବାରକୁ ଏବେ ସହଯୋଗ ପ୍ରଦାନ କରୁଛନ୍ତି । ଗୃହିଣୀରୁ ଦେଶର ଅଗ୍ରଣୀ ଏଜେନ୍ସିଗୁଡ଼ିକ ସହ କାରବାର କରିବା ପର୍ଯ୍ୟନ୍ତ ଏହି ମହିଳାମାନେ କଳାକାରରୁ ପେସାଦାର ହୋଇଛନ୍ତି, ଫଳରେ ସମଗ୍ର ସମାଜ ପାଇଁ ଏକ ଉତମ ଭବିଷ୍ୟତ ସୃଷ୍ଟି ହୋଇଛି ।

Share

Leave a Reply

Your email address will not be published. Required fields are marked *

9 − six =