ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଦାନଗଦି: “ଆନ୍ତର୍ଜାତିକ ମହିଳା ଦିବସ’ ପାଳନ କରିବା ଲାଗି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଓଡ଼ିଶାର ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ୍ ଅନ୍ତର୍ଗତ ଦାନଗଦି ଭବନରେ ଶୁକ୍ରବାର ଏକ ମେଗା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଦାନଗଦି ଓ ସୁକିନ୍ଦା ବ୍ଲକ୍‌ର ୨୪ଟି ପଂଚାୟତର ୫୦୦ରୁ ଅଧିକ ମହିଳା ଅଂଶଗ୍ରହଣ କରିଥିବା ବେଳେ ଏଥିରେ ବିଶିଷ୍ଟ ସମାଜସେବୀ ଋତୁପର୍ଣ୍ଣା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ଅନ୍ୟମାନଙ୍କ ମଧ୍ୟରେ ଦାନଗଦି ବ୍ଲକ୍‌ର ଅଧ୍ୟକ୍ଷା ଅର୍ଚ୍ଚନା ଦାସ, ସୁକିନ୍ଦା ବ୍ଲକ୍‌ର ଉପାଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ସମାଜସେବୀ କନକଲତା ସାହୁ, ଦାନଗଦିର ବ୍ଲକ୍ ଉନ୍ନୟନ ଅଧିକାରୀ ଶାରଦା ପ୍ରସାଦ ପଣ୍ଡା, ସୁକିନ୍ଦା ଓ ଦାନଗଦିର ଓଏଲ୍‌ଏମ୍‌ର ବ୍ଲକ୍ ପ୍ରକଳ୍ପ ପ୍ରବନ୍ଧକ ଶ୍ରୀ ରବିନ୍ଦ୍ର କୁମାର ଜେନା ଓ ଟାଟା ଷ୍ଟିଲ୍ ଓଡ଼ିଶା ସିଏସ୍‌ଆର୍ ମୁଖ୍ୟ ଡକ୍ଟର ଅମ୍ବିକା ପ୍ରସାଦ ନନ୍ଦ ଉପସ୍ଥିତ ଥିଲେ ।
ଏହି ଅବସରରେ ଅଂଶଗ୍ରହଣକାରୀମାନେ ଉପସ୍ଥିତ ମହିଳାମାନଙ୍କ ସହ ଚିନ୍ତାଧାରା ଓ ଅନୁଭୂତିର ଭାବ ବିନିମୟ କରିଥିଲେ ଏବଂ ଦର୍ଶକଙ୍କ ସହିତ ନିଜ ସଫଳତା କାହାଣୀ ବାଂଟିଥିଲେ । ଟାଟା ଷ୍ଟିଲ୍ ଫାଉଣ୍ଡେସନର “ଦିଶା’ ପ୍ରକଳ୍ପର ଅଂଶ ଥିବା ଅଂଶଗ୍ରହଣକାରୀମାନେ ମଧ୍ୟ ସେମାନଙ୍କ ଅନୁଭୂତିକୁ ଦର୍ଶକଙ୍କ ସହ ବାଂଟିଥିଲେ ।
ନିଜ ଅଭିଭାଷଣରେ ଋତୁପର୍ଣ୍ଣା ମହାନ୍ତି କହିଥିଲେ ଯେ, “ମହିଳା ହେଉଛି ଜୀବନ ସୃଷ୍ଟିକାରୀ ଓ ଏହି ଦୁନିଆକୁ ବଂଚାଇ ରଖିବା ଲାଗି ପ୍ରସବ କରିବାରେ ତାଙ୍କ ଯୋଗଦାନ ବେଶ ଉଲ୍ଲେଖନୀୟ । ଯଦି ମହିଳାମାନେ ନିଜ ଭିତରେ ଥିବା ଶକ୍ତିକୁ ଜାଣିପାରିବେ ତେବେ ସେମାନେ ସବୁ କିଛି କରିପାରିବେ ଏବଂ ସବୁ ଉଚ୍ଚ ସୋପାନରେ ପହଂଚିପାରିବେ ।’’ ବାଳିକାମାନେ ଯେଭଳି ନିଜର ପ୍ରଭିତାକୁ ପ୍ରମାଣ କରିବାର ସୁଯୋଗ ପାଇପାରିବେ ସେଥିପାଇଁ ବାଳକ ସନ୍ତାନ ଭଳି ବାଳିକା ସନ୍ତାନଙ୍କୁ ସମାନ ସୁଯୋଗ ଦେବାକୁ ସେ ଅଂଶଗ୍ରହଣକାରୀମାନଙ୍କୁ ଆହ୍ୱାନ ଦେଇଥିଲେ ।
ନାରୀତ୍ୱ ଭାବକୁ ନେଇ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଉଭୟ ବ୍ଲକ୍‌ର ୨୪ଟି ପଂଚାୟତରେ ଗତ ସପ୍ତାହରେ ଆୟୋଜନ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ ଉତ୍କର୍ଷ ହାସଲ କରିଥିବା ୩୦୦ ମହିଳାଙ୍କୁ ଅତିଥିମାନେ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ କରିଥିଲେ ।
ଦର୍ଶକଙ୍କୁ ସମ୍ବୋଧିତ କରି ଡକ୍ଟର ଅମ୍ବିକା ପ୍ରସାଦ ନନ୍ଦ କହିଛନ୍ତି ଯେ, “ମହିଳାଙ୍କ ଅଦମ୍ୟ ଭାବକୁ ସଲାମ କରିବାର ଏକ ମଂଚ ହେଉଛି ଏହି ଉତ୍ସବ । ଗ୍ରାମୀଣ ମହିଳାଙ୍କ ସଶକ୍ତୀକରଣ ଦିଗରେ ଟାଟା ଷ୍ଟିଲ ଫାଉଣ୍ଡେସନର ଏହା ହେଉଛି ଏକ ଛୋଟିଆ କାର୍ଯ୍ୟକ୍ରମ ଏବଂ ଦେଶ ପାଇଁ ଏକ ଉତମ ଭବିଷ୍ୟତ ସୃଷ୍ଟି କରିବା ଲାଗି ଭବିଷ୍ୟତରେ ସେମାନଙ୍କ ସହ ଜଡିତ ହୋଇ ଆମେ କାମ କରିବୁ ।’’
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏକ ସକାରାତ୍ମକ, ସାମାଜିକ, ଅର୍ଥନୈତିକ ଓ ପରିବେଶ ପ୍ରଭାବ ସୃଷ୍ଟି କରିବା ପ୍ରତି ଯୋଗଦାନ ଦେବାରେ ସେମାନଙ୍କୁ ସକ୍ଷମ କରିବା ଲାଗି ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ୨୦୨୨ରେ “ଦିଶା’ ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା । ଶୁଭାରମ୍ଭ ହେବା ପରଠାରୁ ଏହି କାର୍ଯ୍ୟକ୍ରମ ଛଅଟି ମଡ୍ୟୁଲ୍ ଯଥା ନେତୃତ୍ୱ ଓ ବିକାଶ, ସାମାଜିକ ଓ ଅର୍ଥନୈତିକ ନିରାପତା, ପ୍ରଭାବୀ ଯୋଗାଯୋଗ ଦକ୍ଷତା ସହିତ ଡିଜିଟାଲ୍ ସାକ୍ଷରତା, ହିଂସା, ଅଧିକାର, ହକ୍ ଓ ଅନ୍ୟାନ୍ୟ ସାମାଜିକ ସମସ୍ୟା ଉପରେ ସାକ୍ଷରତା ତାଲିମ, ଲିଙ୍ଗକୁ ମୁଖ୍ୟସ୍ରୋତରେ ସାମିଲ କରିବା ଏବଂ ମହିଳା ସଶକ୍ତୀକରଣ ଏବଂ ପାଂଚଟି ସରକାରୀ ପ୍ରତିଷ୍ଠାନରେ ଅଂଶଗ୍ରହଣ କରିବା ଲାଗି ମହିଳାମାନଙ୍କୁ ଉତ୍ସାହିତ କରିବା ଆଦି ଜରିଆରେ ଏହି ଅଂଚଳର ୪୫୦ରୁ ଅଧିକ ମହିଳାଙ୍କୁ ସାମାଜିକ ସମାନତା ପ୍ରଦାନ କରିବାରେ ସହାୟକ ହୋଇଛି । ଆସନ୍ତା ପାଂଚ ବର୍ଷରେ ଚିହ୍ନଟ କରାଯାଇଥିବା ନେତୃତ୍ୱ ସମ୍ଭାବନା ଥିବା ୨୦୦୦ ମହିଳାଙ୍କୁ ଗୋଷ୍ଠୀ ନିଷ୍ପତି ଗ୍ରହଣ ପ୍ରକ୍ରିୟାରେ ପ୍ରଭାବୀ ସ୍ୱର ଭାବେ ସକ୍ଷମ କରିବା ଲାଗି ଦିଶା ଲକ୍ଷ୍ୟ ରଖିଛି ।

Share

Leave a Reply

Your email address will not be published. Required fields are marked *

seven − 6 =