Business

ରୁଫ୍‌ଟପ୍ ସୋଲାର ସ୍ଥାପନକୁ ପ୍ରୋତ୍ସାହନ ଲାଗି ଟିପିଡବ୍ଲ୍ୟୁଓଡିଏଲ୍ ଦ୍ୱାରା ପଶ୍ଚିମ ଓଡ଼ିଶାର ୩୮୪ଟି ସ୍ୱାୟତ୍ତ ଶାସନ ସଂସ୍ଥାକୁ ୨୦.୦୩ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ

ସବୁଜ ଶକ୍ତି ଦିଗରେ ଅଗ୍ରସର ହେବା ପ୍ରକ୍ରିୟାରେ ସଂପ୍ରଦାୟର ସକ୍ରିୟ ଅଂଶଗ୍ରହଣକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ୍) ପକ୍ଷରୁ ଆର୍ଥିକ ବର୍ଷ ୨୦୨୪-୨୫ରେ ପଶ୍ଚିମ ଓଡ଼ିଶାର ନଅଟି ଜିଲ୍ଲାର ୩୮୪ଟି ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାକୁ ଘରୋଇ ରୁଫ୍‌ଟପ୍ ସୋଲାର ସ୍ଥାପନକୁ ପ୍ରୋତ୍ସାହିତ କରିବା ପାଇଁ ମୋଟ ୨୦.୦୩ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । କେନ୍ଦ୍ର ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ (MNRE) ପକ୍ଷରୁ ମଞ୍ଜୁର ହୋଇଥିବା ଅର୍ଥରୁ ଏହି ରାଶି ପ୍ରଦାନ କରାଯାଇଛି । ୨,୦୦୦ରୁ ଅଧିକ ଘରେ ରୁଫ୍‌ଟପ୍ ସୋଲାର ସ୍ଥାପନକୁ ଏହା ଅନ୍ତର୍ଭୁକ୍ତ କରୁଥିବା ବେଳେ ସୋଲାର ଶକ୍ତିର ପ୍ରସାରରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ଅବଦାନକୁ ଏହା ସ୍ୱୀକୃତି ପ୍ରଦାନ କରୁଛି ।

ଏହି ପଦକ୍ଷେପ ଅନୁଯାୟୀ, ଯୋଗ୍ୟ ଗ୍ରାମ ପଞ୍ଚାୟତ ଏବଂ ପୌରାଞ୍ଚଳ ସଂସ୍ଥାକୁ ନିଜ ନିଜ ଅଞ୍ଚଳରେ ପ୍ରତିଟି ଘରୋଇ ରୁଫ୍‌ଟପ୍ ସୋଲାର ସ୍ଥାପନ ପାଇଁ ୧,୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଅଛି । ଏହା ମାଧ୍ୟମରେ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ନିଜ ଅଞ୍ଚଳରେ ରୁଫ୍‌ଟପ୍ ସୋଲାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଲୋକଙ୍କୁ ଏଥିରେ ସାମିଲ କରିବା ଏବଂ ଘରୋଇ ସୋଲାର ବ୍ୟବସ୍ଥାର ପ୍ରସାର ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଉତ୍ସାହିତ କରାଯାଉଛି ।

ପ୍ରୋତ୍ସାହନ ରାଶି ପ୍ରଦାନ କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ସର୍ବାଗ୍ରେ ରହିଛି । ଜିଲ୍ଲାର ୭୭ଟି ଗ୍ରାମ ପଞ୍ଚାୟତକୁ ୪.୯୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେହିପରି ବରଗଡ଼ ଜିଲ୍ଲାର ୭୧ଟି ଗ୍ରାମ ପଞ୍ଚାୟତକୁ ୨.୭୧ ଲକ୍ଷ ଟଙ୍କା ଏବଂ ବଲାଙ୍ଗୀର ଜିଲ୍ଲାର ୪୭ଟି ଗ୍ରାମ ପଞ୍ଚାୟତକୁ ୨.୪୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଅବଶିଷ୍ଟ ପ୍ରୋତ୍ସାହନ ରାଶି ସମ୍ବଲପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସୋନପୁର ଓ ଦେବଗଡ଼ ଜିଲ୍ଲାରେ ବଣ୍ଟନ କରାଯାଇଛି । ଆର୍ଥିକ ବର୍ଷ ୨୦୨୫-୨୬ରେ ଯୋଗ୍ୟ ରୁଫ୍‌ଟପ୍ ସୋଲାର ସ୍ଥାପନ ଲାଗି ପ୍ରୋତ୍ସାହନ ରାଶି, ମନ୍ତ୍ରାଳୟ ପକ୍ଷରୁ ସମ୍ପୃକ୍ତ ଅର୍ଥ ମଞ୍ଜୁର ହେବା ପରେ ପୃଥକ୍ ଭାବେ ପ୍ରଦାନ କରାଯିବ ।

ଗତ ୨୦ ନଭେମ୍ବର ୨୦୨୬ ସୁଦ୍ଧା ଟିପିଡବ୍ଲ୍ୟୁଓଡିଏଲ୍ ନିଜ କାର୍ଯ୍ୟକ୍ଷେତ୍ରରେ ମୋଟ ୭୯,୮୧୭ଟି ରୁଫ୍‌ଟପ୍ ସୋଲାର ସ୍ଥାପନରେ ସହଯୋଗ କରିଛି । ଏଥିମଧ୍ୟରୁ ୩୬,୪୩୫ଟି ସ୍ଥାପନ ୟୁଟିଲିଟି-ଲେଡ୍ ଆଗ୍ରିଗେସନ୍ (ULA) ମଡେଲ୍ ଅଧୀନରେ ହୋଇଛି । ଏହି ମଡେଲ୍ ମାଧ୍ୟମରେ ଯୋଗ୍ୟ ପରିବାରମାନେ ମାତ୍ର ୧,୮୭୫ ଟଙ୍କା ନିଜସ୍ୱ ଅଂଶଦାନରେ ୧ କିଲୋୱାଟ୍ କ୍ଷମତା ବିଶିଷ୍ଟ ରୁଫ୍‌ଟପ୍ ସୋଲାର ବ୍ୟବସ୍ଥା ସ୍ଥାପନ କରିପାରୁଛନ୍ତି । ଫଳରେ ଗ୍ରାମାଞ୍ଚଳର ପରିବାରଗୁଡ଼ିକ ପାଇଁ ସ୍ୱଚ୍ଛ ଶକ୍ତିର ବ୍ୟବହାର ଅଧିକ ସହଜ ଓ ସୁଲଭ ହୋଇପାରିଛି ।

ଏହି ୭୯,୮୧୭ଟି ରୁଫ୍‌ଟପ୍ ସୋଲାର ସ୍ଥାପନ ସହ ଟିପିଡବ୍ଲ୍ୟୁଓଡିଏଲ୍ ଓଡ଼ିଶାର ଚାରିଟି ବିଦ୍ୟୁତ୍ ବଣ୍ଟନ କମ୍ପାନୀ ମଧ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛି । ଏହା ସହିତ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜଲି ଯୋଜନା ଅଧୀନରେ ଜାତୀୟ ସ୍ତରରେ ସପ୍ତମ ସ୍ଥାନରେ ଥିବା ଓଡ଼ିଶାର ରୁଫ୍‌ଟପ୍ ସୋଲାର ଅଭିଯାନକୁ ମଧ୍ୟ ଏହି ସଫଳତା ଆଗକୁ ବଢ଼ାଇଛି । ବ୍ୟାପକ ସ୍ତରରେ ସୋଲାର ସ୍ଥାପନ ସହ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ସକ୍ରିୟ ସହଯୋଗକୁ ଯୋଡ଼ି ଟିପିଡବ୍ଲ୍ୟୁଓଡିଏଲ୍ ପଶ୍ଚିମ ଓଡ଼ିଶାରେ ସ୍ୱଚ୍ଛ ଶକ୍ତିର ପ୍ରସାରକୁ ତ୍ୱରାନ୍ୱିତ କରୁଛି ।

ରୁଫ୍‌ଟପ୍ ସୋଲାର ସ୍ଥାପନ ପାଇଁ ଆଗ୍ରହୀ ଗ୍ରାହକମାନେ ଯୋଗ୍ୟତା ଓ ସ୍ଥାପନ ସମ୍ପର୍କିତ ମାର୍ଗଦର୍ଶନ ପାଇଁ ନିକଟସ୍ଥ ଟିପିଡବ୍ଲ୍ୟୁଓଡିଏଲ୍ ସେକ୍ସନ୍ କାର୍ଯ୍ୟାଳୟ କିମ୍ବା କମ୍ପାନୀର ସୋଲାର ସେଲ୍‌- ୯୦୭୮୬୮୨୮୯୪ ନମ୍ବରରେ ଯୋଗାଯୋଗ କରିପାରିବେ ।

ଟିପିଡବ୍ଲୁଓଡିଏଲ୍ ସମ୍ବନ୍ଧରେ: ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ହେଉଛି ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଯୌଥ ଉଦ୍ୟୋଗ, ଯେଉଁଥିରେ ଉଭୟଙ୍କ ଅଂଶଧନ ଯଥାକ୍ରମେ ୫୧:୪୯ ଅଟେ । ଟିପିଡବ୍ଲୁଓଡିଏଲ୍ ସମଗ୍ର ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ ବିତରଣ ଏବଂ ଖୁଚୁରା ଯୋଗାଣ ଦାୟିତ୍ୱରେ ୯ଟି ଜିଲ୍ଲା ଏବଂ ପ୍ରାୟ ୪୮,୦୦୦ ବର୍ଗ କିଲୋମିଟର ବିତରଣ କ୍ଷେତ୍ରରେ ୨୨ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଅଛି । କମ୍ପାନୀ ନିର୍ଭରଯୋଗ୍ୟ, ସୁରକ୍ଷିତ ଏବଂ ଗ୍ରାହକ-କେନ୍ଦ୍ରିକ ବିଦ୍ୟୁତ ସେବା ପ୍ରଦାନ ସହିତ ବିଦ୍ୟୁତ ଭିତ୍ତିଭୂମିର ଆଧୁନିକୀକରଣ, କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା, ଡିଜିଟାଲ ରୂପାନ୍ତରଣ, ସ୍ଥାୟୀ ବିକାଶ ଏବଂ ସମ୍ପ୍ରଦାୟ ବିକାଶ ପଦକ୍ଷେପକୁ ଆଗେଇ ନେବା ପାଇଁ ପ୍ରତିବଦ୍ଧ ଅଟେ । ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା ଏବଂ ଗ୍ରାହକ ସେବାରେ ନିରନ୍ତର ନିବେଶ ମାଧ୍ୟମରେ, ଟିପିଡବ୍ଲୁଓଡିଏଲ୍ ପଶ୍ଚିମ ଓଡ଼ିଶାର ସାମାଜିକ-ଆର୍ଥିକ ଅଭିବୃଦ୍ଧିକୁ ସମର୍ଥନ କରିବା ସହିତ ଏହି ଅଞ୍ଚଳର ଶକ୍ତି ରୂପାନ୍ତରଣ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବାକୁ ଲକ୍ଷ୍ୟ ରଖିଛି ।

Share

Leave a Reply

Your email address will not be published. Required fields are marked *

three × one =