Business

ସମ୍ବଲପୁର ଅଇଁଠାପାଲିଠାରେ ଟିପିଡବ୍ଲୁଓଡିଏଲର ପ୍ରଥମ ‘ଅନୋଖା ଧାଗା’ କେନ୍ଦ୍ର ପ୍ରତିଷ୍ଠିତ

ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ସମ୍ବଲପୁର ଅଇଁଠାପାଲି ଠାରେ ନିଜର ପ୍ରଥମ ‘ଅନୋଖା ଧାଗା’ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହା ପାରମ୍ପରିକ ହସ୍ତକଳାର ସଂରକ୍ଷଣ ପାଇଁ ହେଉଥିବା ପ୍ରୟାସକୁ ସୁଦୃଢ଼ କରିବା ସହିତ ସ୍ଥାନୀୟ କାରିଗର ମାନଙ୍କ ପାଇଁ ଦୀର୍ଘସ୍ଥାୟୀ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି କରୁଛି। ଏହି କେନ୍ଦ୍ରଟି କାରିଗରମାନଙ୍କୁ, ବିଶେଷକରି ମହିଳାମାନଙ୍କୁ ମାଗଣା ଦକ୍ଷତା ବିକାଶ, ଉତ୍ପାଦନରେ ସହାୟତା ଏବଂ ବଜାର ସୁବିଧା ପ୍ରଦାନ କରିବ, ଯାହା ସେମାନଙ୍କୁ ସେମାନଙ୍କର ପାରମ୍ପରିକ ଦକ୍ଷତାକୁ ନିର୍ଭରଯୋଗ୍ୟ ଆୟ ସୃଷ୍ଟିକାରୀ ଉଦ୍ୟୋଗରେ ପରିଣତ କରିବାରେ ସାହାଯ୍ୟ କରିବ ।

ଅନୋଖା ଧାଗା ହେଉଛି ଟାଟା ପାୱାରର ସାମାଜିକ ବିକାଶ ଶାଖା ‘ଟାଟା ପାୱାର୍ କମ୍ୟୁନିଟି ଡେଭଲପମେଣ୍ଟ ଟ୍ରଷ୍ଟ’ (ଟିପିସିଡିଟି)ର ଏକ ପ୍ରମୁଖ ଜୀବିକା ଏବଂ କ୍ଷୁଦ୍ର-ଉଦ୍ୟୋଗ ପଦକ୍ଷେପ। ଏହି କାର୍ଯ୍ୟକ୍ରମ ମହିଳା ମାନଙ୍କ ଦ୍ବାରା ପରିଚାଳିତ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି), କୃଷକ ମହାସଂଘ, ଭିନ୍ନକ୍ଷମ ବ୍ୟକ୍ତି ଏବଂ ସ୍ଥାନୀୟ କାରିଗର ଗୋଷ୍ଠୀମାନଙ୍କ ସହିତ ମିଶି କାର୍ଯ୍ୟ କରେ । ସେମାନଙ୍କୁ ଦକ୍ଷତା, ଉଦ୍ୟୋଗ କ୍ଷମତା ଏବଂ ବଜାର ସଂଯୋଗ ପ୍ରଦାନ କରି ଏକ ଦୀର୍ଘସ୍ଥାୟୀ ଜୀବିକା ଗଢ଼ିବାରେ ସକ୍ଷମ କରିଥାଏ ।
ଏହି ପଦକ୍ଷେପ ସାରା ଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହା ୨୫ଟି କେନ୍ଦ୍ର ମାଧ୍ୟମରେ ୧୫,୦୦୦ରୁ ଅଧିକ ସକ୍ରିୟ ଏସଏଚଜି ସଦସ୍ୟାଙ୍କୁ ଯୋଡ଼ିପାରିଛି ଏବଂ ୫୦ରୁ ଅଧିକ ବି୨ବି ସହଭାଗିତା ମାଧ୍ୟମରେ ୫ କୋଟିରୁ ଅଧିକ ଟଙ୍କାର ରାଜସ୍ୱ ଆଦାୟ କରିଛି । ଏହାର ନେଟୱାର୍କରେ ୨,୭୦୦ରୁ ଅଧିକ ଏସଏଚଜି ଏବଂ ୫,୫୦୦ରୁ ଅଧିକ ଉତ୍ପାଦକ ସଦସ୍ୟ ମଧ୍ୟ ସାମିଲ ଅଛନ୍ତି ।

ପଶ୍ଚିମ ଓଡ଼ିଶାରେ, ପ୍ରାୟ ୫,୨୭୫ ଜଣ କାରିଗର ପୂର୍ବରୁ ହିଁ ଅନୋଖା ଧାଗା କାର୍ଯ୍ୟକ୍ରମ ଅଧୀନରେ ପାରମ୍ପରିକ କଳା ସହିତ ଜଡ଼ିତ ଅଛନ୍ତି । ନୂତନ ଭାବେ ପ୍ରତିଷ୍ଠିତ ସମ୍ବଲପୁର କେନ୍ଦ୍ର ଏହି ଅଞ୍ଚଳର ସାଂସ୍କୃତିକ ଐତିହ୍ୟ, ଯେପରିକି ସମ୍ବଲପୁରୀ ବସ୍ତ୍ର, ବାଉଁଶ ଶିଳ୍ପ, ଟେରାକୋଟା ଏବଂ ଏମ୍ବ୍ରଏଡେରୀ ର ପ୍ରଚାର ପ୍ରସାର ଉପରେ ଧ୍ୟାନ ଦେବ । ଏହା କମ୍ୟୁନିଟି ସଂଗଠନ, ଦକ୍ଷତା ବୃଦ୍ଧି, ଉତ୍ପାଦ ବିକାଶ ଏବଂ ଉତ୍ପାଦନରେ ସହାୟତା ପରି ଏକ ବ୍ୟବସ୍ଥିତ ପ୍ରକ୍ରିୟା ମାଧ୍ୟମରେ କାରିଗରମାନଙ୍କୁ ସହାୟତା ଯୋଗାଇବ, ଯାହା ସେମାନଙ୍କୁ ଉତ୍ପାଦର ଗୁଣବତ୍ତା ସୁଧାରିବା ଏବଂ ବଜାର ଉପଯୋଗୀ ସାମଗ୍ରୀ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ।

ଏହି ପଦକ୍ଷେପ ଉପରେ ମତବ୍ୟକ୍ତ କରି ଟିପିଡବ୍ଲୁଓଡିଏଲ୍‌ର ସିଇଓ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି ଯେ, “ଯେତେବେଳେ କାରିଗରମାନଙ୍କୁ ସଠିକ୍ ଦକ୍ଷତା ଏବଂ ବଜାରର ସୁବିଧା ମିଳିଥାଏ, ସେତେବେଳେ ପାରମ୍ପରିକ କଳା ଜୀବିକାର ସ୍ଥାୟୀ ମାଧ୍ୟମ ପାଲଟିପାରେ। ଅନୋଖା ଧାଗା ମାଧ୍ୟମରେ ଆମର ଲକ୍ଷ୍ୟ ହେଉଛି ପଶ୍ଚିମ ଓଡ଼ିଶାର ସମୃଦ୍ଧ କଳା ଐତିହ୍ୟକୁ ସଂରକ୍ଷଣ କରିବା ଏବଂ ସ୍ଥାନୀୟ କାରିଗର, ବିଶେଷକରି ମହିଳାମାନଙ୍କୁ ସ୍ୱାଧୀନ ତଥା ଦୀର୍ଘସ୍ଥାୟୀ ଉଦ୍ୟୋଗ ଗଢ଼ିବାରେ ସକ୍ଷମ କରିବା। ସମ୍ବଲପୁର କେନ୍ଦ୍ର ସେହି ଦିଗରେ ଏକ ପଦକ୍ଷେପ ।”
ସ୍ଥାନୀୟ ସାମଗ୍ରୀର ପହଞ୍ଚକୁ ବୃଦ୍ଧି କରିବା ପାଇଁ, ଟିପିଡବ୍ଲୁଓଡିଏଲ୍ ସିଧାସଳଖ ବିକ୍ରି ସହିତ ଆମାଜନ, ଫ୍ଲିପକାର୍ଟ ଏବଂ ମିଶୋ ଭଳି ଇ-କମର୍ସ ପ୍ଲାଟଫର୍ମରେ ଉତ୍ପାଦ ପ୍ରଦର୍ଶନର ସୁଯୋଗକୁ ଯୋଡ଼ି ଏକ ବହୁମୁଖୀ ମାର୍କେଟିଂ ନେଟୱାର୍କ ବିକଶିତ କରୁଛି। ଏହି ସଂଯୋଗଗୁଡ଼ିକ କାରିଗରମାନଙ୍କୁ ପଶ୍ଚିମ ଓଡ଼ିଶା ବାହାରେ ଥିବା ଗ୍ରାହକମାନଙ୍କ ନିକଟରେ ପହଞ୍ଚିବା ଏବଂ ଅଧିକ ଶକ୍ତିଶାଳୀ ବ୍ୟବସାୟିକ ସୁଯୋଗ ସୃଷ୍ଟି କରିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।
ପାରମ୍ପରିକ କଳା ବ୍ୟତୀତ, ଅନୋଖା ଧାଗା ସ୍ମାର୍ଟ ସର୍କୁଲାରିଟି ଏବଂ ଅନ୍ୟାନ୍ୟ କମ୍ୟୁନିଟି -ଭିତ୍ତିକ ଉଦ୍ୟୋଗ କାର୍ଯ୍ୟକଳାପ ମାଧ୍ୟମରେ ମଧ୍ୟ ଦୀର୍ଘସ୍ଥାୟୀ ଜୀବିକାକୁ ପ୍ରୋତ୍ସାହିତ କରିଥାଏ। ଏହାର ବ୍ୟାପକ କାର୍ଯ୍ୟକ୍ରମ ମଧ୍ୟରେ ପୁନଃଚକ୍ରିତ ସାମଗ୍ରୀକୁ ଉପଯୋଗୀ ସାମଗ୍ରୀରେ ପରିଣତ କରିବା ସହିତ କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟକଳାପରେ ଜୀବିକା ନିର୍ବାହର ସୁଯୋଗ ଯୋଗାଇବା ଅନ୍ତର୍ଭୁକ୍ତ।
ଏହି ନୂତନ କେନ୍ଦ୍ର ମାଧ୍ୟମରେ, ଟିପିଡବ୍ଲୁଓଡିଏଲ୍ ପାରମ୍ପରିକ ଦକ୍ଷତାକୁ ପ୍ରଶିକ୍ଷଣ, ଉଦ୍ୟୋଗ ବିକାଶ ଏବଂ ବଜାର ସୁଯୋଗ ସହିତ ଯୋଡ଼ି ସ୍ଥାନୀୟ କାରିଗରମାନଙ୍କୁ ସହାୟତା କରୁଥିବା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି, ଯାହା ପଶ୍ଚିମ ଓଡ଼ିଶାର ସମୃଦ୍ଧ କଳା ଐତିହ୍ୟର ସଂରକ୍ଷଣ ଏବଂ ବ୍ୟାପକ ସ୍ୱୀକୃତି ଦେବାରେ ସହାୟକ ହେବ।

Share

Leave a Reply

Your email address will not be published. Required fields are marked *

5 × five =