କ୍ରୀଡା

ଟେଷ୍ଟ କ୍ରିକେଟ୍ କୁ ମହମ୍ମଦ ସାମିଙ୍କ ଅଲବିଦା

ଟେଷ୍ଟ କ୍ରିକେଟ୍ କୁ ମହମ୍ମଦ ସାମିଙ୍କ ଅଲବିଦା, ୧୩ ବର୍ଷର କ୍ୟାରିୟରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ୬୪ ଟେଷ୍ଟରେ ୨୨୯ ୱିକେଟ୍, ଭାବବିହ୍ୱଳ ପୋଷ୍ଟ କରି ଅବସର ଘୋଷଣା କଲେ ଭାରତର ଷ୍ଟାର ପେସର୍ । ଭାରତୀୟ କ୍ରିକେଟ୍ ରୁ ବଡ଼ ଖବର। ଟେଷ୍ଟ କ୍ରିକେଟ୍ କୁ ଅଲବିଦା କହିଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ଦ୍ରୁତ ବୋଲର ମହମ୍ମଦ ସାମି । ଶୁକ୍ରବାର ରାତିରେ ସୋସିଆଲ ମିଡିଆରେ ଏକ ଭାବବିହ୍ୱଳ ପୋଷ୍ଟ କରି ଟେଷ୍ଟ କ୍ରିକେଟ୍ ରୁ ଅବସର ଘୋଷଣା କରିଛନ୍ତି ସାମି । ଏଥିସହ ତାଙ୍କର ୧୩ ବର୍ଷର ଟେଷ୍ଟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ୨୦୧୩ ନଭେମ୍ବର ୬ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ସାମି ।

ଠିକ୍ ୧୩ ବର୍ଷ ପରେ ସେହି ନଭେମ୍ବର ୬ରେ ହିଁ ଅବସର ଘୋଷଣା କରିଛନ୍ତି। ଭାରତ ପାଇଁ ୬୪ଟି ଟେଷ୍ଟ ମ୍ୟାଚ୍ ଖେଳି ୨୨୯ଟି ୱିକେଟ୍ ନେଇଛନ୍ତି ଏହି ଦ୍ରୁତ ବୋଲର । ଗୋଟିଏ ଇନିଂସରେ ୫୬ ରନ୍ ଦେଇ ୬ଟି ୱିକେଟ୍ ହେଉଛି ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ । ଟେଷ୍ଟରେ ତାଙ୍କ ବୋଲିଂ ହାରାହାରି ୨୭.୭୧ ରହିଛି। ଅବସର ଘୋଷଣା କରି ସାମି ଲେଖିଛନ୍ତି, ସେ ଧଳା ଜର୍ସିକୁ ବିଦାୟ ଦେଉଛନ୍ତି, କିନ୍ତୁ ଏହା ସହ ଜଡ଼ିତ ସ୍ମୃତିକୁ କେବେ ନୁହେଁ। ଦେଶ ପାଇଁ କିଛି କରିବାର ସ୍ୱପ୍ନ ନେଇ ସେ ପ୍ରଥମଥର ଭାରତର ଟେଷ୍ଟ ଜର୍ସି ପିନ୍ଧିଥିଲେ । ପ୍ରତ୍ୟେକ ୱିକେଟ୍, ସଂଘର୍ଷ, ଆଘାତ ଏବଂ ପ୍ରତ୍ୟାବର୍ତ୍ତନ ତାଙ୍କୁ ଅନେକ କିଛି ଶିଖାଇଛି ବୋଲି ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ସାମି ।

୨୦୨୩ରେ ଶେଷଥର ପାଇଁ ଭାରତ ପକ୍ଷରୁ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ସାମି । ଏହାପରେ ଆଘାତଜନିତ ସମସ୍ୟା ଏବଂ ଦଳ ଚୟନରୁ ବାଦ୍ ପଡ଼ିବା ଯୋଗୁଁ ଟେଷ୍ଟ ଦଳକୁ ଫେରିପାରି ନଥିଲେ । ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଘୋଷିତ ଭାରତୀୟ ଟେଷ୍ଟ ଦଳରେ ମଧ୍ୟ ତାଙ୍କୁ ସ୍ଥାନ ମିଳି ନଥିଲା । ନିଜର ଘାତକ ସିମ୍ ବୋଲିଂ, ରିଭର୍ସ ସୁଇଂ ଏବଂ ନିଖୁଣ ଲାଇନ୍ ଲେନ୍ଥ୍ ପାଇଁ ପରିଚିତ ସାମି ଦୀର୍ଘବର୍ଷ ଧରି ଭାରତୀୟ ପେସ୍ ଆକ୍ରମଣର ଅନ୍ୟତମ ପ୍ରମୁଖ ସଦସ୍ୟ ରହିଥିଲେ । ତାଙ୍କ ଅବସର ସହ ଭାରତୀୟ ଟେଷ୍ଟ କ୍ରିକେଟ୍ ର ଏକ ସ୍ମରଣୀୟ ଅଧ୍ୟାୟର ଅନ୍ତ ଘଟିଛି । ସାମି ୬୪ ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ମୋଟ ୨୨୯ ୱିକେଟ୍ ନେଇଛନ୍ତି । ତାଙ୍କର୨୭.୭୧ ବୋଲିଂ ହାରାହାରି । ସାମିଙ୍କର ୬/୫୬ ଶ୍ରେଷ୍ଠ ଇନିଂସ ବୋଲିଂ ।

Share

Leave a Reply

Your email address will not be published. Required fields are marked *

two − 1 =