ହାଇକୋର୍ଟରେ ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ଶେଷ
ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ପୁଣି ଚର୍ଚ୍ଚାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା । ହାଇକୋର୍ଟରେ ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଛି । ଏବେ ହାଇକୋର୍ଟଙ୍କ ରାୟକୁ ଅପେକ୍ଷା ।
୨୦୨୧ ଜୁଲାଇ ୧୧ ତାରିଖରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ଗୁରୁତର ଭାବେ ପୋଡ଼ି ଯାଇଥିଲେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର । ତାଙ୍କୁ ଚିକିତ୍ସା ପାଇଁ କଟକର ଏକ ଘରୋଇ ହସ୍ପିଟାଲକୁ ଅଣାଯାଇଥିଲା । ହେଲେ ଜୁଲାଇ ୧୨ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ସେତେବେଳେ ରାଜ୍ୟବ୍ୟାପୀ ଚର୍ଚ୍ଚା ହୋଇଥିଲା । ଏହି ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଅନ୍ୟତମ ଅଭିଯୁକ୍ତ ଅଛନ୍ତି । ତାଙ୍କୁ ପାରଳାଖେମୁଣ୍ଡି ଏସ୍ ଡିଜେଏମ୍ କୋର୍ଟରେ ହାଜର ହେବାକୁ ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ପ୍ରଥମେ ଅକ୍ଟୋବର ୧ ତାରିଖ ସୁଦ୍ଧା ହାଜର ହେବାକୁ କୁହାଯାଇଥିଲା । ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବିଦ୍ୟାଭାରତୀ ସୁପ୍ରିମକୋର୍ଟ ଯାଇଥିଲେ । ତେବେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାଏମ ରଖିବା ସହ ଆଗୁଆ ଜାମିନ ଆବେଦନ କରିବାର ସୁଯୋଗ ଦେଇଥିଲେ । ପରେ ନିମ୍ନ ଅଦାଲତରେ ହାଜର ହେବା ପାଇଁ ଅଧିକ ସମୟ ଲୋଡ଼ିଥିଲେ ବିଦ୍ୟାଭାରତୀ । ତାଙ୍କ ଆବେଦନକୁ ଗ୍ରହଣ କରି ଅକ୍ଟୋବର ୩୦ ତାରିଖ ସୁଦ୍ଧା ପାରଳାଖେମୁଣ୍ଡି ଏସ୍ ଡିଜେଏମ୍ କୋର୍ଟରେ ହାଜର ହେବାକୁ ଅନୁମତି ଦେଇଥିଲେ ହାଇକୋର୍ଟ ।
ଏହାପରେ ସମ୍ଭାବ୍ୟ ଗିରଫଦାରୀରୁ ସୁରକ୍ଷା ପାଇଁ ବିଦ୍ୟାଭାରତୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ପୂର୍ବ ଶୁଣାଣିରେ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିବା ସହ ମାମଲାର କେସ୍ ଡାଏରୀ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ । ଅନ୍ୟପଟେ ଆଜି ସୁଦ୍ଧା ପାରଳାଖେମୁଣ୍ଡି ଏସ୍ ଡିଜେଏମ୍ କୋର୍ଟରେ ହାଜର ହେବା କଥା ବିଦ୍ୟାଭାରତୀ ।

