ରାଜ୍ୟ

ପାରମ୍ପରିକ କଳାକୃତିରେ ଏଆଇ ଟୁଲ୍‌ସର ବ୍ୟବହାର ଶିଖୁଛନ୍ତି ଗ୍ରାମୀଣ ମହିଳା: ଟିଏସଏଫ୍ ସହାୟତାରେ ବଦଳୁଛି ବ୍ୟବସାୟ ଶୈଳୀ

ଭୁବନେଶ୍ବର, ୧୧/୧୦/୨୦୨୬- ଓଡ଼ିଶାର ଗ୍ରାମାଞ୍ଚରେ କାଳକାଳରୁ ଚାଲିଆସିଥିବା ପାରମ୍ପରିକ କଳା, ଛାଞ୍ଚକାମ, ସିଲେଇ, ଖାଦ୍ୟ ପ୍ରସ୍ତୁତି ଓ ହସ୍ତଶିଳ୍ପ ଆଜି କେବଳ ଘରକରଣା କାମରେ ସୀମିତ ହୋଇ ରହିନାହିଁ। ଏହି କଳାକୃତି ଏବେ ଗ୍ରାମାଞ୍ଚଳ ମହିଳାଙ୍କ ରୋଜଗାରର ମାଧ୍ୟମ ପାଲଟିଛି। ଏଥିସହ ଏଆଇ ଟୁଲ୍‌ସର ବ୍ୟବହାର କରି ମହିଳାମାନେ ନୂତନ ପ୍ରଯୁକ୍ତିବିଦ୍ୟାକୁ ଆପଣାଉଛନ୍ତି। ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସଏଫ୍‌)ର ପ୍ରତ୍ୟକ୍ଷ ସହଯୋଗ ଓ ମାର୍ଗଦର୍ଶନରେ ଓଡ଼ିଶାର ଶହ ଶହ ଗ୍ରାମୀଣ ମହିଳା ଏହାକୁ ସଫଳ ଉଦ୍ୟୋଗରେ ପରିଣତ କରି ସ୍ୱାବଲମ୍ବୀ ହେବା ସହ ପରିବାରକୁ ଆର୍ଥିକ ସହଯୋଗ କରିପାରୁଛନ୍ତି।

ଯାଜପୁର, ଗଞ୍ଜାମ, ଅନୁଗୋଳ ଓ ଢେଙ୍କାନାଳ ଆଦି ଜିଲ୍ଲାରେ “ନବଜୀବନ”, “ସୃଜନିକା” ଏବଂ “ଗୃହଲକ୍ଷ୍ମୀ” ଭଳି ସମବାୟ ସମିତି ମାଧ୍ୟମରେ ମହିଳାମାନେ ଆଜି ସଂଗଠିତ ହୋଇ ରୋଜଗାରକ୍ଷମ ହୋଇଛନ୍ତି। ନୂଆ ବଜାର ସୃଷ୍ଟି କରିବା ସହ ବୃହତ୍ ସାଂସ୍ଥାନିକ ଅର୍ଡର ନେଇପାରୁଛନ୍ତି ଏବଂ ନିଜ ବ୍ୟବସାୟ ସମ୍ବନ୍ଧିତ ନିଷ୍ପତ୍ତି ନିଜେ ନେଉଛନ୍ତି।

ଯାଜପୁର ଜିଲ୍ଲାର ତ୍ରିଜଙ୍ଗା, ସାଂସାଇଲୋ ଓ ଗୋବରଘାଟି ଅଞ୍ଚଳର ପ୍ରାୟ ୮୫ ଜଣ ମହିଳା “ନବଜୀବନ’ ସଂଗଠନ ସହ ଯୋଡ଼ିହୋଇ ପାରମ୍ପରିକ ଚିତ୍ରକଳା, ପୋଷାକ, ଝୋଟ ଓ ଟସର ସାମଗ୍ରୀ ଆଦି ପ୍ରସ୍ତୁତ କରୁଛନ୍ତି। ଟାଟା ମୋଟର୍ସ, ଟ୍ରାଇଫେଡ୍‌, ଟିଏସୟୁଆଇଏସଏଲ୍ ଓ ଟେରୀ ଭଳି ପ୍ରତିଷ୍ଠିତ ସଂସ୍ଥା ଏବଂ ସ୍ଥାନୀୟ ବ୍ୟବସାୟୀଙ୍କ ଜରିଆରେ ସେମାନଙ୍କ ଉତ୍ପାଦ ବିକ୍ରି ହେଉଛି। ୨୦୨୪-୨୫ ଆର୍ôଥକ ବର୍ଷରେ “ନବଜୀବନ’ର ମୋଟ କାରବାର ୨୭.୩୩ ଲକ୍ଷ ଟଙ୍କା ଥିବାବେଳେ, ୨୦୨୫-୨୬ରେ ଏହା ପ୍ରାୟ ଦ୍ୱିଗୁଣିତ ହୋଇ ୫୨.୯୫ ଲକ୍ଷ ଟଙ୍କାରେ ପହଞ୍ଚିଛି।

ଏ ନେଇ ଗୋବରଘାଟୀ, ଯାଜପୁରର ବୀରଙ୍ଗୀ ଜାମୁଡ଼ା କହିଛନ୍ତି, ‘ନବଜୀବନ ସହ ଯୋଡ଼ିହେବା ପରେ ରୋଜଗାର ସହ ଅନେକ ନୂତନ ସୁଯୋଗ ମିଳିଛି। ଏଥିସହ ସମାଜରେ ସମ୍ମାନ ଓ ବିଭିନ୍ନ ସ୍ଥାନ ପରିଭ୍ରମଣ ସହ ବହୁତ କିଛି ଶିଖିପାରିଛି। ଘର ପାଖରେ ରହି ଜୀବିକା ଅର୍ଜନ କରିବା ସହ ଝିଅର ପାଠପଢ଼ା ଓ ପରିବାରକୁ ଆର୍ôଥକ ସହାୟତା କରିପାରୁଥିବାରୁ ମୁଁ ବହୁତ ଖୁସି।’

ଏହି ନବଜୀବନ ସଂସ୍ଥା ଓଡ଼ିଶାର ବିଲୁପ୍ତପ୍ରାୟ “ସଉରା ଚିତ୍ରକଳା’କୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବାକୁ କାର୍ଯ୍ୟ କରୁଛି। ଏହାର ଦୁଇଜଣ ମାଷ୍ଟର କ୍ରାଫ୍ଟସପର୍ସନ୍ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର (ଷ୍ଟେଟ ଆୱାର୍ଡ ଫର୍ କ୍ରାଫ୍ଟସ) ପାଇଁ ମନୋନୀତ ହୋଇଛନ୍ତି।

ଗଞ୍ଜାମ ଜିଲ୍ଲାର ଗୋପାଳପୁର ଅଞ୍ଚଳର “ସୃଜନିକା’ ସଂଗଠନ ପାରମ୍ପରିକ ଓ ଆଦିବାସୀ ଶୈଳୀର   ପୋଷାକ ଓ ହସ୍ତଶିଳ୍ପ ତଆରି କରୁଛି। ମାତ୍ର ଗୋଟିଏ ବର୍ଷରେ ଏହାର ବାର୍ଷିକ କାରବାର ୩.୭ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୧୪ ଲକ୍ଷ ଟଙ୍କାରେ ପହଞ୍ଚିଛି ଏବଂ ୨୦୨୬-୨୭ ଆର୍ôଥକ ବର୍ଷ ପାଇଁ ୭୫ଲକ୍ଷ ଟଙ୍କାର କାରବାର ପାଇଁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶା ପୋଲିସ, ଭାରତୀୟ ନୌସେନା ଓ ଭାରତୀୟ ସେନା ପାଇଁ “ସୃଜନିକା’ ସାମଗ୍ରୀ ଯୋଗାଉଛି। କାଲାଘୋଡ଼ା ଆର୍ଟସ ଫେଷ୍ଟିଭାଲ, ସମ୍ବାଦ ଓ ପଲ୍ଲୀଶ୍ରୀ ମେଳା ଭଳି ଜାତୀୟ ମଞ୍ଚରେ ମଧ୍ୟ ଏହାର ପ୍ରଦର୍ଶନୀ ହୋଇସାରିଛି। ସୃଜନିକା ପକ୍ଷରୁ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ହସ୍ତଶିଳ୍ପ ନିର୍ମିତ ସ୍ମାରକୀ ପ୍ରଦାନ କରାଯାଇଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଭାଗିଦାରୀ ମାଧ୍ୟମରେ ସଉରା କଳାକୁ ଯୁବପିଢ଼ିଙ୍କ ନିକଟରେ ପହଞ୍ଚାଇବାକୁ ନୂଆ ପ୍ରୟାସ ଚାଲିଛି।

ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ୨୬ଟି ଗ୍ରାମର ୨,୨୫୦ରୁ ଊର୍ଦ୍ଧ୍ୱ ମହିଳା ଅଂଶୀଦାରଙ୍କୁ ନେଇ ଗଠିତ ହୋଇଛି “ଗୃହଲକ୍ଷ୍ମୀ’ ସମବାୟ ସମିତି। ୧,୦୬୫ରୁ ଅଧିକ ମହିଳା କ୍ଷୀର ଉତ୍ପାଦନ, କୁକୁଡ଼ା ପାଳନ, ସିଲେଇ, ଛତୁ ଚାଷ, ଖାଦ୍ୟ ପ୍ରସ୍ତୁତି ଆଦି କ୍ଷେତ୍ରରେ ନିଜସ୍ୱ ଉଦ୍ୟୋଗ ଆରମ୍ଭ କରିଛନ୍ତି। “ଗୃହଲକ୍ଷ୍ମୀ’ ବ୍ରାଣ୍ଡ୍ ନାମରେ ଗ୍ରାମୀଣ ଖାଦ୍ୟ ଓ ଗୃହ ଉପକରଣ ବଜାରକୁ ଛଡ଼ାଯାଉଛି। ୨୦୨୪-୨୫ ଆର୍ôଥକ ବର୍ଷରେ ଏହାର କାରବାର ୧ କୋଟି ଟଙ୍କା ଅତିକ୍ରମ କରିସାରିଛି।

ଏ ସମ୍ପର୍କରେ ନୂଆଗାଁ, ଢେଙ୍କାନାଳର ପଦ୍ମିନୀ ସେନାପତି କହିଛନ୍ତି, “ଗୃହଲକ୍ଷ୍ମୀ’ ମୋ ଜୀବନ ଓ ମୋ ସହ ଯୋଡ଼ିହୋଇଥିବା ପ୍ରତ୍ୟେକ ମହିଳାଙ୍କ ଭାଗ୍ୟ ବଦଳାଇଦେଇଛି। ଆଜି ମୁଁ ଗର୍ବର ସହ ପରିବାରର ପ୍ରତିଟି ଆବଶ୍ୟକତା ପୂରଣ କରିପାରୁଛି।’

ଏହି ମହିଳା ଉଦ୍ୟୋଗୀମାନେ କେବଳ ପାରମ୍ପରିକ ଶିଳ୍ପରେ ସୀମିତ ନାହାନ୍ତି, ବରଂ ନୂଆ ପ୍ରଯୁକ୍ତିବିଦ୍ୟାକୁ ଆପଣାଉଛନ୍ତି। ଫେବୃଆରୀ ୨୦୨୬ରେ ଅନୁଷ୍ଠିତ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌’ରେ ଟିଏସଏଫ୍ ସହାୟତାରେ ଯୋଗଦେଇଥିବା ୬୦୦ରୁ ଅଧିକ ଗ୍ରାମୀଣ ମହିଳାଙ୍କ ମଧ୍ୟରେ ଏହି ୩ ସଂସ୍ଥାର ସଦସ୍ୟାମାନେ ସାମିଲ ହୋଇଥିଲେ। ସେଠାରେ ସେମାନେ ଚାଟ୍‌ଜିପିଟି ଏବଂ ଜେମିନି ଏଆଇ ଭଳି ଟୁଲ୍ସ ବ୍ୟବହାର କରି ନୂଆ ପ୍ରଡକ୍ଟ ଡିଜାଇନ୍‌, ବିଜନେସ୍ ଆଇଡିଆ ଓ କମ୍ୟୁନିକେସନ୍ ଦକ୍ଷତା ବିଷୟରେ ଜ୍ଞାନ ଆହରଣ କରିଛନ୍ତି।

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଗ୍ରାମୀଣ ମହିଳାଙ୍କୁ କେବଳ ଆର୍ôଥକ ଭାବେ ସକ୍ଷମ କରୁନାହିଁ, ବରଂ ସେମାନଙ୍କୁ ନିଷ୍ପତ୍ତି ନେବାର କ୍ଷମତା ଓ ନେତୃତ୍ୱ ନେବାର ଦକ୍ଷତା ପ୍ରଦାନ କରୁଛି।

Share

Leave a Reply

Your email address will not be published. Required fields are marked *

1 × 1 =