ରାଜ୍ୟ

ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ବନ୍ଦ ଘୋଷଣା

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ବନ୍ଦ ଘୋଷଣା କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ଶିକ୍ଷା, ଖୋର୍ଦ୍ଧାର ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କିତ ଆଦେଶ ଜାରି ହୋଇଛି।

ଏହି ଆଦେଶ ଅନୁଯାୟୀ, ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଓଏଭିଏସ୍‌ (OAVS) ଏବଂ ଘରୋଇ ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ଶିଶୁ ବାଟିକାଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ୨୭ ଅକ୍ଟୋବର ଅପରାହ୍ନ ୧ଟାରୁ ୨୮ ଅକ୍ଟୋବର ପର୍ଯ୍ୟନ୍ତ ବନ୍ଦ ରହିବ।

୨୭ ତାରିଖ ଦିନ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ ପରେ ଅପରାହ୍ନ ୧ଟାରୁ ବିଦ୍ୟାଳୟ ବନ୍ଦ କରାଯିବ। ତେବେ ଏହି ସମୟରେ ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ପଡ଼ିବ। ଏହି ଅବଧି ମଧ୍ୟରେ କୌଣସି ଛୁଟି ମଞ୍ଜୁର କରାଯିବ ନାହିଁ।

ସମ୍ଭାବ୍ୟ ବାତ୍ୟା ଓ ବର୍ଷା ଜନିତ ପରିସ୍ଥିତିର ମୁକାବିଲା ପାଇଁ ବିଦ୍ୟାଳୟ ଗୃହକୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର ଉପଯୋଗୀ କରିବା ସହ ଆବଶ୍ୟକୀୟ ସୁବିଧା ଓ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ପ୍ରଧାନଶିକ୍ଷକମାନେ ୨୭ ଅକ୍ଟୋବରଠାରୁ ରୋଷ୍ଟର ଡ୍ୟୁଟି ବ୍ୟବସ୍ଥା କରି ବିଦ୍ୟାଳୟକୁ ୨୪ ଘଣ୍ଟା ଖୋଲା ରଖିବା ସୁନିଶ୍ଚିତ କରିବେ। ଜିଲ୍ଲା ପ୍ରଶାସନ ଯେକୌଣସି ସମୟରେ ଆବଶ୍ୟକ କରୁଥିବା ସହଯୋଗ ଯୋଗାଇଦେବାକୁ ମଧ୍ୟ ଆଦେଶରେ ଉଲ୍ଲେଖ ରହିଛି।

Share

Leave a Reply

Your email address will not be published. Required fields are marked *

three + 12 =