Healthରାଜ୍ୟ

ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ଦୃଷ୍ଟି’ ପ୍ରକଳ୍ପ ଅଧୀନରେ ବ୍ୟାପକ ଚକ୍ଷୁ ସ୍ୱାସ୍ଥ୍ୟ ସମ୍ପର୍କିତ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ

କଳିଙ୍ଗନଗର, ସେପ୍ଟେମ୍ବର ୩୦, ୨୦୨୬: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସଏଫ୍) ପକ୍ଷରୁ ଯାଜପୁର କଳିଙ୍ଗନଗରରେ ଏକ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକଟି ଫାଉଣ୍ଡେସନର ‘ଦୃଷ୍ଟି’ ପ୍ରକଳ୍ପ ଅଧୀନରେ ଆୟୋଜିତ ହୋଇଥିଲା। ଏଥିରେ ବ୍ୟାପକ ଚକ୍ଷୁ ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ତୃଣମୂଳ ସ୍ତରରେ ଲୋକଙ୍କୁ ଉନ୍ନତ ତଥା ସୁଲଭ ଚକ୍ଷୁ ଚିକିତ୍ସା ସେବା ଯୋଗାଇଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏଥି ସହିତ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଏହି ଆଲୋଚନାରେ ଦାନଗଦୀ ଓ ସୁକିନ୍ଦା ବ୍ଲକର ପ୍ରମୁଖ ସରକାରୀ ଅଧିକାରୀମାନଙ୍କ ସମେତ ଅନ୍ୟାନ୍ୟ ପ୍ରମୁଖ ଅଂଶୀଦାରମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ ।

ଚକ୍ଷୁ ରୋଗର ପ୍ରାଥମିକ ଚିହ୍ନଟ, ରେଫରାଲ୍ ବ୍ୟବସ୍ଥାର ସୁଦୃଢ଼ୀକରଣ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଏବଂ ଉପଯୁକ୍ତ ସମୟରେ ଉନ୍ନତ ଚକ୍ଷୁ ଚିକିତ୍ସା ସେବା ନିଶ୍ଚିତ କରିବା ଉପରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥି ସହିତ ସେବା ପ୍ରଦାନ ପ୍ରକ୍ରିୟାକୁ ଅଧିକ ବ୍ୟାପକ କରିବା ପାଇଁ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଡିପିଏଚ୍‌ଓ) ଡାକ୍ତର ପ୍ରଣତିନୀ ନାୟକ, ଜିଲ୍ଲା ବରିଷ୍ଠ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ସ୍ନେହାଶିଷ ଦୀକ୍ଷିତ, ଦାନଗଦୀ ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ) ପ୍ରଦୀପ କୁମାର ସେଠୀ, ଯାଜପୁର ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସକେ) ଟିମର ପ୍ରତିନିଧି, ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ର ପ୍ରତିନିଧି, ମରୁଫ୍ ହସ୍ପିଟାଲ ଚକ୍ଷୁ ଚିକିତ୍ସା ଟିମ୍ ଏବଂ କଳିଙ୍ଗନଗର ଟିଏସଏଫ୍ ଜନସ୍ୱାସ୍ଥ୍ୟ ଟିମର ଅଧିକାରୀମାନେ ଉପସ୍ଥିତ ଥିଲେ।

ବିଶେଷ କରି ଅବହେଳିତ ତଥା ଗ୍ରାମାଞ୍ଚଳର ଜନସାଧାରଣଙ୍କ ଚକ୍ଷୁ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ସରକାରୀ ଅନୁଷ୍ଠାନ, ଆଗ ଧାଡ଼ିର କର୍ମୀ ଏବଂ ବିକାଶ ଭାଗୀଦାରମାନଙ୍କ ମଧ୍ୟରେ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଏହି ସମନ୍ୱୟ ବୈଠକରେ ଗୁରୁତ୍ଵ ଦିଆଯାଇଥିଲା। ଚକ୍ଷୁ ସମସ୍ୟା ଥିବା ବ୍ୟକ୍ତିବିଶେଷ ଯେପରି ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ପାଇପାରିବେ, ସେଥିପାଇଁ ସ୍କ୍ରିନିଂ, ରେଫରାଲ୍ ଏବଂ ପରବର୍ତ୍ତୀ ଯତ୍ନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଉପସ୍ଥିତ ଅଂଶୀଦାରମାନେ ମତବ୍ୟକ୍ତ କରିଥିଲେ।

‘ଦୃଷ୍ଟି’ ପ୍ରକଳ୍ପ ଭଳି ପଦକ୍ଷେପ ମାଧ୍ୟମରେ ଟିଏସଏଫ୍ ସରକାରୀ ଅଂଶୀଦାର ଏବଂ ସ୍ଥାନୀୟ ସହଯୋଗୀମାନଙ୍କ ସହ ମିଶି ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଚକ୍ଷୁ ସ୍ୱାସ୍ଥ୍ୟ ସଚେତନତା, ସ୍କ୍ରିନିଂ ଏବଂ ଉପଯୁକ୍ତ ସେବା ପ୍ରଦାନ ଦିଗରେ ନିରନ୍ତର କାର୍ଯ୍ୟ କରିଆସୁଛି । ଏହି ପଦକ୍ଷେପ ସମଗ୍ର ପ୍ରକଳ୍ପ ଅଞ୍ଚଳରେ ଅଧିକ ସକ୍ରିୟ ତଥା ସୁଲଭ ଚକ୍ଷୁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଗଠନ କରିବାରେ ସହାୟକ ହେବ।

Share

Leave a Reply

Your email address will not be published. Required fields are marked *

thirteen − five =