Uncategorized

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ୧୮/୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ-୧ରୁ ଶିକ୍ଷା ସମାପ୍ତ କରିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରାଜୁଏସନ୍ ଉତ୍ସବ ଶୁକ୍ରବାର ଆୟୋଜିତ ହୋଇଯାଇଛି ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ-୧ରୁ ଶିକ୍ଷା ସମାପ୍ତ କରିଥିବା ୨୦୨୦-୨୦୨୧ ବ୍ୟାଚ୍‌ର ଏମ୍‌ବିବିଏସ୍‌, ୨୦୨୨-୨୩ ବ୍ୟାଚ୍‌ର ଏମ୍‌ଡି/ଏମ୍‌ଏସ୍ ଓ ୨୦୨୩-୨୪ ବ୍ୟାଚ୍‌ର ଏମ୍‌ଡି/ଏମ୍‌ଏସ୍ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି । ସେହିପରି ୨୦୨୨-୨୩ ଡିଏମ୍‌/ଏମ୍‌ସିଏଚ୍ ଶିକ୍ଷା ବର୍ଷରେ ବିଭିନ୍ନ ସୁପର ସ୍ପେଶିଆଲିଟି ଓ ୨୦୨୧-୨୨ ଓ ୨୦୨୨-୨୩ ବ୍ୟାଚର ମେଡିକାଲ୍ ଟେକ୍‌ନୋଲୋଜି ପ୍ରୋଗ୍ରାମ୍ (ଏମ୍‌ଟିପି)ରେ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ଡିଗ୍ରୀ ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ସୋଆର ଉପ କୁଳପତି ପ୍ରଫେସର ପ୍ରସେନ୍‌ଜିତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଡିଗ୍ରୀ ପ୍ରଦାନ କରିବା ସହ ଶପଥ ପାଠ କରାଇଥିଲେ । ଏହି ଅବସରରେ ଉପକୁଳପତି ପ୍ରଫେସର ମହାନ୍ତି ଡାକ୍ତରୀ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ “ଜଣେ ଭଲ ଡାକ୍ତର ରୋଗର ଚିକିତ୍ସା କରନ୍ତି, କିନ୍ତୁ ଜଣେ ମହାନ୍ ଡାକ୍ତର ରୋଗୀର ଚିକିତ୍ସା କରନ୍ତି ।”

ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍ନାଲ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗସ୍ ୨୦୨୫ରେ ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟ ଗୁଡ଼ିକ ମଧ୍ୟରେ ସୋଆ ୧୫ ତମ ସ୍ଥାନ ହାସଲ କରିଥିବା ବେଳେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ ମଧ୍ୟ ୧୫ତମ ସ୍ଥାନ ହାସଲ କରିଛି । ତେଣୁ ଏଭଳି ଶିକ୍ଷାନୁଷ୍ଠାନରୁ ଶିକ୍ଷା ଲାଭ କରିଥିବାରୁ ନିଜକୁ ସର୍ବଦା ଗର୍ବ ଅନୁଭବ କରିବା ସହିତ ଏହାର ନାମକୁ ବଜାୟ ରଖିବା ନିମେନ୍ତ ପ୍ରଚେଷ୍ଟା କରିବା ଆବଶ୍ୟକ ବୋଲି ପ୍ରଫେସର (ଡାକ୍ତର) ମହାନ୍ତି ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ ।

ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ -୧ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ବାର୍ଷିକ ବିବରଣୀ ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀ ମାନେ ଉଚ୍ଚକୋଟୀର ଶିକ୍ଷା ଲାଭ କରିବା ପରିପ୍ରେକ୍ଷୀରେ ଚିକିତ୍ସା ବିଜ୍ଞାନ ମାଧ୍ୟମରେ ପ୍ରଯୁକ୍ତିବିଦ୍ୟା ଓ ମାନବିକତା ମଧ୍ୟରେ ସନ୍ତୁଳନ ରକ୍ଷା କରି ରୋଗୀମାନଙ୍କୁ ଚିକିତ୍ସା ପ୍ରଦାନ କରିବା ଆବଶ୍ୟକ ବୋଲି କହିଥିଲେ । କୃତ୍ରିମ ବୃଦ୍ଧିମତାକୁ ଚିକିତ୍ସା ମାଧ୍ୟମରେ ବ୍ୟବହାର କରି ଭବିଷ୍ୟତରେ କିପରି ଉନ୍ନତ ମାନର ଚିକିତ୍ସା ପ୍ରଦାନ କରାଯାଇପାରିବ ସେ ବିଷୟରେ ଛାତ୍ରଛାତ୍ରୀ ମାନେ ଆଗ୍ରହୀ ହେବା ନିମନ୍ତେ ପ୍ରଫେସର (ଡାକ୍ତର) ମିଶ୍ର ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ଉପକୁଳପତି ପ୍ରଫେସର (ଡାକ୍ତର) ନୀତା ମହାନ୍ତି, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସଙ୍କ ସମେତ ଏକାଡେମିକ୍ କାଉନ୍‌ସିଲର ସଦସ୍ୟ, ବିଭିନ୍ନ ବିଭାଗୀୟ ମୁଖ୍ୟ ଓ ଫ୍ୟାକଲ୍ଟିମାନେ ଉପସ୍ଥିତ ଥିଲେ । ଆଡିସ୍‌ନାଲ ଡିନ୍ ପ୍ରଫେସର (ଡାକ୍ତର) ଅଜୟ କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

thirteen − five =