ଟିପିଏସ୍ଓଡିଏଲକୁ ସିଏସ୍ଆର୍ ଇମ୍ପ୍ୟାକ୍ଟ ଆଓ୍ୱାର୍ଡ ୨୦୨୬
• ସାମାଜିକ ପରିବର୍ତ୍ତନ ଓ ସଂପ୍ରଦାୟ ବିକାଶ ପାଇଁ ମିଳିଲା ସମ୍ମାନ
ବ୍ରହ୍ମପୁର, ଅଗଷ୍ଟ: ଦକ୍ଷିଣ ଓଡ଼ିଶାରେ ଦୀର୍ଘସ୍ଥାୟୀ ପରିବର୍ତ୍ତନ ଆଣିବା ଦିଗରେ ନିରନ୍ତର ପ୍ରୟାସ ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍)କୁ ସିଏସ୍ଆର୍ ଇମ୍ପ୍ୟାକ୍ଟ ଆଓ୍ୱାର୍ଡ ୨୦୨୬ ସମ୍ମାନ ପ୍ରଦାନ କରାଯାଇଛି । ଓଡ଼ିଶା ସରକାରଙ୍କ ପବ୍ଲିକ୍ ଏଣ୍ଟରପ୍ରାଇଜ ବିଭାଗ ଓ ଓଡ଼ିଶା କର୍ପୋରେଟ୍ ଫାଉଣ୍ଡେସନ୍ ଓ ଫ୍ରିଡମ୍ ଏଡୁ ମିଳିତ ଉଦ୍ୟମରେ ଏହି ପୁରସ୍କାର ସମାରୋହ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟସେବା, ଜୀବିକା, ଦକ୍ଷତା ବିକାଶ ଓ ସଂପ୍ରଦାୟ ସଶକ୍ତିକରଣ ଭଳି କ୍ଷେତ୍ରରେ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରୁଥିବା ହେତୁ ଟିପିଏସ୍ଓଡିଏଲ୍ କୁ ଏହି ସମ୍ମାନ ମିଳିଛି ।
ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ଉଦ୍ଘାଟନ କରିଥିଲେ। ଏହି ଅବସରରେ ଓଡ଼ିଶା ସରକାରଙ୍କ ପବ୍ଲିକ୍ ଏଣ୍ଟରପ୍ରାଇଜ ବିଭାଗର କମିଶନର-ତଥା-ସଚିବ ଶ୍ରୀ ଏମ୍.ଡି. ସାଦିକ୍ ଆଲମ୍; ଫୁଲବାଣୀର ମାନ୍ୟବର ସାଂସଦ ଶ୍ରୀ ସୁକାନ୍ତ ପାଣିଗ୍ରାହୀ ଏବଂ ଯାଜପୁରର ମାନ୍ୟବର ସାଂସଦ ଶ୍ରୀ ରବୀନ୍ଦ୍ର ନାରାୟଣ ବେହେରା ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ଉଦ୍ଯାପନୀ ଅଧିବେଶନରେ ରାଜ୍ୟସଭାର ମାନ୍ୟବର ସାଂସଦ ଶ୍ରୀ ସୁଜିତ କୁମାର ଟିପିଏସ୍ଓଡିଏଲର ସିଏସ୍ଆର୍ ବିଭାଗ ମୁଖ୍ୟ ଦିଲ୍ଲୀପ କୁମାର ସାହୁ ଓ ଟିମ୍ କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ନାଲକୋର ପୂର୍ବତନ ସି.ଏମ୍.ଡି ଶ୍ରୀ ତପନ ଚାନ୍ଦ, ଗ୍ରୀଡକୋର ନିର୍ଦ୍ଦେଶକ(ଅର୍ଥ) ଶ୍ରୀ ଗଗନ ସ୍ୱାଇଁ ଏବଂ ସେଣ୍ଟର ଅଫ୍ କର୍ପୋରେଟ୍ ଗଭର୍ଣ୍ଣାନ୍ସ, ସିଏସ୍ଆର୍ ଓ ସଷ୍ଟେନେବିଲିଟିର ଅଧ୍ୟକ୍ଷ ଶ୍ରୀ ଅରୁଣ ରଥଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ଏହି ସମ୍ମାନ ସମ୍ପର୍କରେ ଟିପିଏସ୍ଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଏହି ପୁରସ୍କାର ଆମ ଟିମ୍, ସହଯୋଗୀ ସଂସ୍ଥା ଏବଂ ଆମ ସହ କାମ କରୁଥିବା ସମୁଦାୟର ମିଳିତ ପ୍ରୟାସର ସ୍ୱୀକୃତି। ଆମେ ବିଶ୍ୱାସ କରୁ ଯେ ଦାୟିତ୍ୱବୋଧର ପ୍ରକୃତ ମାପକ କେବଳ ପଦକ୍ଷେପରେ ନୁହେଁ, ବରଂ ଏହା ଲୋକଙ୍କ ଜୀବନରେ କେତେ ପରିବର୍ତ୍ତନ ଆଣିପାରିଛି ତାହା ଉପରେ ନିର୍ଭର କରେ । ଜୀବିକାକୁ ମଜବୁତ କରିବା, ସ୍ୱାସ୍ଥ୍ୟ ଓ ଶିକ୍ଷା ସେବାକୁ ଅଧିକ ସୁଲଭ କରିବା ଏବଂ ଅସୁରକ୍ଷିତ ବର୍ଗଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଆମ ପ୍ରୟାସ କ୍ରମାଗତ ଭାବେ ଅଧିକ ସଫଳ ହେଉଥିବା ଆମେ ଦେଖିପାରୁଛୁ । ଆମ ଉପଭୋକ୍ତା ପରିବାର ନିମନ୍ତେ ଏହି ପ୍ରଭାବକୁ ଆହୁରି ଗଭୀର ଓ ଦୀର୍ଘସ୍ଥାୟୀ କରିବା ଦିଗରେ ଆମେ କାର୍ଯ୍ୟ କରୁଛୁ ।”
ଦକ୍ଷିଣ ଓଡ଼ିଶାରେ ବିଭିନ୍ନ ସଂପ୍ରଦାୟଗୁଡ଼ିକର ଆବଶ୍ୟକତାକୁ ନଜରରେ ରଖି ଟିପିଏସ୍ଓଡିଏଲ୍ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଭ୍ରାମ୍ୟମାନ ଚିକିତ୍ସା କେନ୍ଦ୍ର ଭଳି କାର୍ଯ୍ୟକ୍ରମ ଦୁର୍ଗମ ଅଞ୍ଚଳର ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଉଛି । ଏହା
ସହିତ, ଲ୍ୟାବ୍-ଅନ୍-ହ୍ୱିଲ୍ସ ସୁବିଧା ମାଧ୍ୟମରେ ସ୍ୱାସ୍ଥ୍ୟ ପରୀକ୍ଷା, ପାଥୋଲୋଜିକାଲ୍ ଟେଷ୍ଟ, ଡାକ୍ତରୀ ପରାମର୍ଶ ଏବଂ ମାଗଣାରେ ଔଷଧ ପ୍ରଦାନ କରାଯାଉଛି। କମ୍ପାନୀ ଆଦିବାସୀ ବହୁଳ ଅଞ୍ଚଳରେ ଜୈବିକ ଚାଷକୁ ପ୍ରୋତ୍ସାହନ ଦେବା ସହିତ ଧୂପକାଠି ଉତ୍ପାଦନ ଓ ବିକ୍ରୟ, ଧନ୍ଦାମୂଳକ ପ୍ରଶିକ୍ଷଣ, ଶେଫ୍ ପ୍ରଶିକ୍ଷଣ ଏବଂ ବ୍ୟୁଟି ଥେରାପି ପାଠ୍ୟକ୍ରମ ଭଳି ପଦକ୍ଷେପ ମାଧ୍ୟମରେ ଜୀବିକାର ସୁଯୋଗକୁ ସମର୍ଥନ କରୁଛି।
‘ଅନୋଖା ଧାଗା’ ମାଧ୍ୟମରେ ପାରମ୍ପରିକ କୌଶଳ ଓ ଜୀବିକା ସହ ଜଡ଼ିତ ସୁଯୋଗ ସୃଷ୍ଟି କରିବା ପାଇଁ ସମୁଦାୟଗୁଡ଼ିକୁ ସହାୟତା ଦିଆଯାଉଛି। କମ୍ପାନୀ ଯୁବପିଢ଼ିର କୌଶଳ ବିକାଶ ଏବଂ ନିଯୁକ୍ତି ଦିଗରେ ମଧ୍ୟ କାର୍ଯ୍ୟ କରୁଛି। ଏହା ମାଧ୍ୟମରେ ଯୁବକ ଯୁବତୀମାନେ ବ୍ୟାବହାରିକ ଦକ୍ଷତା ହାସଲ କରିବା ସହିତ ଜୀବିକାର ସୁଯୋଗ ପାଇପାରୁଛନ୍ତି।
ସମଗ୍ର ଅଞ୍ଚଳରେ ବିକାଶର ଗୁରୁତ୍ୱକୁ ଅନୁଭବ କରି କମ୍ପାନୀ କ୍ରୀଡ଼ା ଏବଂ କ୍ରୀଡ଼ା ପ୍ରତିଭାକୁ ମଧ୍ୟ ସମର୍ଥନ କରୁଛି। ଏହା ଯୁବମାନଙ୍କୁ ନିଜ ପ୍ରତିଭା ବିକଶିତ କରିବା ଏବଂ ନିଜର ଆକାଂକ୍ଷା ପୂରଣ କରିବାର ସୁଯୋଗ ପ୍ରଦାନ କରୁଛି।
ଦକ୍ଷିଣ ଓଡ଼ିଶାର ସ୍ଥାନୀୟ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ସଂପ୍ରଦାୟର ସହନଶୀଳତା ବଢ଼ାଇବା ଏବଂ ଦକ୍ଷିଣ ଓଡ଼ିଶାରେ ଦୀର୍ଘସ୍ଥାୟୀ ସାମାଜିକ ପ୍ରଭାବ ସୃଷ୍ଟି କରିବା ଦିଗରେ ଟିପିଏସ୍ଓଡିଏଲ୍ ନିଜର କାର୍ଯ୍ୟ ଜାରି ରଖିଛି ।

