ରାଜ୍ୟ

ଲୁମେକ୍ସ ଚିଟଫଣ୍ଡ ପୀଡ଼ିତଙ୍କୁ ହତ୍ୟା, ଅପହରଣ ଓ ଏସିଡ୍ ଆକ୍ରମଣର ଧମକ

ଏନସିପିସିଆର ଓ ଏନଏଚଆରସି ନିର୍ଦ୍ଦେଶ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଶୁନ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଲୁମେକ୍ସ ଚିଟଫଣ୍ଡ ମାମଲାର ଅଭିଯୁକ୍ତ ରାଜୀବ ଲୋଚନ ଦାସ ଓ ସୋନିଆ ତ୍ରିପାଠୀ ପ୍ରାୟ ୧୭ କୋଟି ଟଙ୍କାର ଠକେଇ ଓ ଜାଲିଆତି ଅଭିଯୋଗରେ ତିନି ବର୍ଷରୁ ଅଧିକ ସମୟ ଧରି ବିଚାରାଧୀନ ହେପାଜତରେ ଅଛନ୍ତି। ସେମାନଙ୍କର ଏକାଧିକ ଜାମିନ ଆବେଦନକୁ ଉଚ୍ଚ ନ୍ୟାୟାଳୟ ଖାରଜ ମଧ୍ୟ କରିଛନ୍ତି। ବିଭିନ୍ନ ଥାନାରେ ରୁଜୁ ହୋଇଥିବା ମାମଲା ଆଧାରରେ ଦେଶର ବିଭିନ୍ନ ଅଦାଲତରେ ସେମାନଙ୍କ ବିରୋଧରେ ୧୦ଟି ଅପରାଧିକ ମାମଲା ମଧ୍ୟ ବିଚାରାଧୀନ ରହିଛି। ଜାତୀୟ ମାନବାଧିକାର କମିଶନ,ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ଓ ମଞ୍ଚେଶ୍ବର ଥାନାରେ ଅଭିଯୋଗ ମୁତାବକ ଅଭିଯୁକ୍ତମାନେ ସେମାନଙ୍କ ସହଯୋଗୀଙ୍କ ମାଧ୍ୟମରେ ପୀଡ଼ିତଙ୍କୁ ଲଗାତାର ପିଛା କରିବା, ହତ୍ୟାର ଧମକ ଦେବା, ଜାମିନକୁ ବିରୋଧ କରିଥିବା ନାବାଳିକା ଝିଅମାନଙ୍କୁ ଅପହରଣ ଏବଂ ଏସିଡ୍ ଆକ୍ରମଣର ଧମକ ଦେଉଛନ୍ତି।

ଏନସିପିସିଆର ଓ ଏନଏଚଆରସିଙ୍କ ନିର୍ଦ୍ଦେଶ ପରେ ମାମଲା ରୁଜୁ ହୋଇଥିଲେ ମଧ୍ୟ, ଅଭିଯୋଗ ଅନୁସାରେ ପୋଲିସ ପୀଡ଼ିତଙ୍କ ଉପରେ ଅଭିଯୁକ୍ତଙ୍କ ସହ ବୁଝାମଣା କରିବା ପାଇଁ ଚାପ ସୃଷ୍ଟି କରୁଥିବା ଏବଂ ଅଭିଯୁକ୍ତଙ୍କ ବିରୋଧରେ କୌଣସି ଦୃଢ଼ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଏନସିପିସିଆର ଓଡ଼ିଶାର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେବା ସତ୍ତ୍ୱେ ମଧ୍ୟ ପୀଡ଼ିତଙ୍କୁ ସୁରକ୍ଷା କିମ୍ବା ଅଭିଯୁକ୍ତଙ୍କ ବିରୋଧରେ ଯଥୋଚିତ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।

ଅଭିଯୋଗ ଅନୁଯାୟୀ, ଚିଟଫଣ୍ଡ ଅଭିଯୁକ୍ତମାନେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ପର୍କୀୟ। ପୂର୍ବରୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଅଭିଯୁକ୍ତଙ୍କୁ ସୁରକ୍ଷା ମିଳୁଥିବାରୁ ମାମଲାଗୁଡ଼ିକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ଅଭିଯୁକ୍ତଙ୍କୁ ସହଯୋଗ କରିଥିବା ଅଭିଯୋଗରେ କିଛି ବଡ଼ବଡ଼ିଆଙ୍କ ସହ ୬ ଜଣଙ୍କ ବିରୋଧରେ ଆପରାଧିକ ମାମଲା ମଧ୍ୟ ଜାରି ରହିଛି। ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସହଯୋଗ କରୁଥିବା ଅଧିକାରୀଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେବା ଉଚିତ ବୋଲି ଦାବି ହୋଇଛି।

Share

Leave a Reply

Your email address will not be published. Required fields are marked *

seven − 7 =