ରୁଫଟପ୍ ସୋଲାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ କଟକରେ ‘ସୋଲାର ରଥ’ ର ଶୁଭାରମ୍ଭ
ଅଗଷ୍ଟ ୦୫, ୨୦୨୬: ସ୍ୱଚ୍ଛ ଏବଂ ଦୀର୍ଘସ୍ଥାୟୀ ଶକ୍ତିର ପ୍ରସାର ପାଇଁ ନିଜର ପ୍ରତିବଦ୍ଧତାକୁ ଆହୁରି ମଜବୁତ କରି, ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ‘ସୋଲାର ରଥ’ର ଶୁଭାରମ୍ଭ କରାଯାଇଛି। ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସମଗ୍ର ଜିଲ୍ଲାରେ ରୁଫଟପ୍ ସୋଲାର ଆପଣେଇବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ଏହି ରଥର ମୁଖ୍ୟ ଉଦ୍ଦେଶ୍ୟ।
କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଏବଂ ଅତିରିକ୍ତ ଜିଲ୍ଲାପାଳ (ଉନ୍ନୟନ) ଡ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଟିପିସିଓଡିଏଲ୍ର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ସୋଲାର ରଥର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସଚେତନତା ଗାଡ଼ିଟି ସମଗ୍ର ଜିଲ୍ଲା ପରିକ୍ରମା କରି ରୁଫଟପ୍ ସୋଲାରର ଲାଭ, ସରକାରୀ ସବ୍ସିଡି ଏବଂ ଏହାର ସହଜ ସଂସ୍ଥାପନ ପ୍ରକ୍ରିୟା ବିଷୟରେ ଉପଭୋକ୍ତାମାନଙ୍କୁ ସୂଚନା ଦେବ। ଏହି ଅଭିଯାନ ସହିତ ଏକ ସ୍ୱତନ୍ତ୍ର ‘ସୋଲାର ସାଙ୍ଗ’ ଟିମ୍ ମଧ୍ୟ ନିୟୋଜିତ ରହିବେ, ଯେଉଁମାନେ ଉପଭୋକ୍ତାମାନଙ୍କ ସହ ସିଧାସଳଖ ଆଲୋଚନା କରିବେ ଏବଂ ସେମାନଙ୍କର ପ୍ରଶ୍ନର ଉତ୍ତର ଦେବେ।
ଏହି ଅବସରରେ କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ କହିଛନ୍ତି ଯେ, “ସୋଲାର ରଥ ଅଭିଯାନ ରୁଫଟପ୍ ସୋଲାର ବିଷୟରେ ସଚେତନତାକୁ ସିଧାସଳଖ ଲୋକମାନଙ୍କ ପାଖରେ ପହଞ୍ଚାଇବାରେ ସାହାଯ୍ୟ କରିବ, ଯାହା ଦ୍ୱାରା ଅଧିକରୁ ଅଧିକ ପରିବାର ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନାର ଲାଭ ଉଠାଇପାରିବେ। ଅକ୍ଷୟ ଶକ୍ତିକୁ ପ୍ରୋତ୍ସାହିତ କରିବାରେ ଏବଂ ନିରନ୍ତର ବିକାଶ କରିବାରେ ଏହିପରି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।”
ସେହିପରି କଟକ ଅତିରିକ୍ତ ଜିଲ୍ଲାପାଳ (ଉନ୍ନୟନ) ଡ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର କହିଛନ୍ତି ଯେ, “ରୁଫଟପ୍ ସୋଲାରର ବ୍ୟବହାର ବୃଦ୍ଧି କରିବା ପାଇଁ ତୃଣମୂଳ ସ୍ତରରେ ସଚେତନତା ସୃଷ୍ଟି କରିବା ଅତ୍ୟନ୍ତ ଆବଶ୍ୟକ। ସୋଲାର ରଥ ପଦକ୍ଷେପ ଉପଭୋକ୍ତାମାନଙ୍କୁ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନାର ଫାଇଦା ବୁଝିବାରେ ସାହାଯ୍ୟ କରିବ ଏବଂ ରାଜ୍ୟର ସ୍ୱଚ୍ଛ ଶକ୍ତି ରୂପାନ୍ତରଣରେ ଅଧିକରୁ ଅଧିକ ଭାଗିଦାରୀ ପାଇଁ ପ୍ରୋତ୍ସାହିତ କରିବ।”
ଏହି ପଦକ୍ଷେପ ସମ୍ପର୍କରେ ଟିପିସିଓଡିଏଲ୍ର ସିଇଓ ଶ୍ରୀ ଗଜାନନ ଏସ୍. କାଲେ କହିଛନ୍ତି ଯେ, “ସୋଲାର ରଥ ଅଭିଯାନ ଆମକୁ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନାର ଲାଭ ସିଧାସଳଖ ଉପଭୋକ୍ତାମାନଙ୍କ ପାଖରେ ପହଞ୍ଚାଇବାରେ ସାହାଯ୍ୟ କରୁଛି। ନିରନ୍ତର ସଚେତନତା ଏବଂ ଲୋକଙ୍କ ଘର ପାଖରେ ପହଞ୍ଚି, ଆମେ ରୁଫଟପ୍ ସୋଲାରର ବ୍ୟବହାରକୁ ଦ୍ରୁତଗାମୀ କରିବା ସହିତ ଓଡ଼ିଶାର ସ୍ୱଚ୍ଛ ଶକ୍ତିର ଯାତ୍ରାରେ ଯୋଗଦାନ ଦେବା ପାଇଁ ଲକ୍ଷ୍ୟ ରଖିଛୁ।”
ଟିପିସିଓଡିଏଲ୍ ନିଜର ସେବାଯୋଗାଣ ଅଞ୍ଚଳ ଗୁଡ଼ିକରେ ‘ମୋ ଛାତ, ମୋ ସଞ୍ଚୟ’, ଗ୍ରାମସଭା ଏବଂ ସୋଲାର ରଥ ଅଭିଯାନ ଭଳି ପଦକ୍ଷେପ ମାଧ୍ୟମରେ ରୁଫଟପ୍ ସୋଲାରକୁ ପ୍ରୋତ୍ସାହିତ କରିବା ଜାରି ରଖିଛି, ଯାହା ଉପଭୋକ୍ତାମାନଙ୍କ ପାଇଁ ସ୍ୱଚ୍ଛ ଏବଂ ସୁଲଭ ସୌର ଶକ୍ତିକୁ ଆହୁରି ସହଜଲଭ୍ୟ କରିପାରିଛି।

