୪ ଘଣ୍ଟା ପରେ ଷ୍ଟାଲିନଙ୍କୁ ପୁଲିସ କରିଛି ମୁକ୍ତ
ଫିଲ୍ମ ଅଭିନେତ୍ରୀ ତ୍ରିଷାଙ୍କୁ ନେଇ ଦ୍ବିଅର୍ଥବୋଧକ ମନ୍ତବ୍ୟ ଦେବା ଘଟଣାରେ ଗିରଫ ହୋଇଥିଲେ ତାମିଲନାଡୁ ବିଧାନସଭାର ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ । ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ପ୍ରାୟ ୪ ଘଣ୍ଟା ପରେ ପୁଲିସ ମୁକ୍ତ କରିଛି । ଡିଏମକେ ନେତା ଷ୍ଟାଲିନଙ୍କୁ ତଦନ୍ତରେ ସହାୟତା କରିବାକୁ କହିଛନ୍ତି ହାଇକୋର୍ଟ ।
ଅଦାଲତରେ ଶୁଣାଣି ସମୟରେ ତାଞ୍ଜାବୁର ପୁଲିସ ପକ୍ଷରୁ ହାଜର ହୋଇଥିବା ଆଡଭୋକେଟ୍ ଜେନେରାଲ ବିଜୟ ନାରାୟଣ କହିଥିଲେ ଯେ, ଉଦୟନିଧିଙ୍କୁ ତାଞ୍ଜାବୁର ନିଆଯାଇଛି ସତ, କିନ୍ତୁ ପୁଲିସ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ଚାହୁଁନାହିଁ। ତାଙ୍କୁ କେବଳ ପଚରାଉଚରା କରି ଥାନାରୁ ଜାମିନରେ ମୁକ୍ତ କରିବା ହିଁ ସରକାରଙ୍କ ଉଦ୍ଦେଶ୍ୟ ।
ଦଳୀୟ ସୂତ୍ରରୁ ପ୍ରକାଶ ଯେ, ସୋମବାର ତାଞ୍ଜାବୁରରେ କାବେରୀ ମୁଦ୍ଦାକୁ ନେଇ ଆୟୋଜିତ ପ୍ରତିବାଦ ସଭାରେ ଦେଇଥିବା ମନ୍ତବ୍ୟ ସମ୍ପର୍କରେ ପଚରାଉଚରା ପାଇଁ ପୁଲିସ ଉଦୟନିଧିଙ୍କ ନୀଲାଙ୍କରାଇ ସ୍ଥିତ ବାସଭବନରେ ପହଞ୍ଚିବା ମାତ୍ରେ ଏକ ଅଗ୍ରିମ ଜାମିନ ଆବେଦନ କରାଯାଇଥିଲା। ତଥାପି, ଡିଏମକେ ନେତାଙ୍କୁ ଗିରଫ କରାଯାଇ ପଚରାଉଚରା ପାଇଁ ତାଞ୍ଜାବୁର ନିଆଯାଇଥିଲା।
ପୁଲିସ ଗାଡ଼ିରେ ନିଆଯିବା ପୂର୍ବରୁ ଉଦୟନିଧି ସାମ୍ବାଦିକମାନଙ୍କୁ କହିଥିଲେ, ‘ମୁଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଆଉ କାହାର ନାମ ନେଇଥିଲି କି ? କୋର୍ଟଙ୍କୁ ନିଷ୍ପତ୍ତି ନେବାକୁ ଦିଅନ୍ତୁ । ତେବେ ଅଶ୍ଳୀଳ ଶବ୍ଦ ବ୍ୟବହାର ଏବଂ ମହିଳାଙ୍କ ସମ୍ମାନହାନୀ ସମେତ ବିଭିନ୍ନ ଧାରାରେ ପୁଲିସ ତାଙ୍କ ନାମରେ ମାମଲା ରୁଜୁ କରିଛି। ସାମ୍ପ୍ରଦାୟିକ ଶତ୍ରୁତା ବୃଦ୍ଧି, ଦଙ୍ଗା ସୃଷ୍ଟି ଉଦ୍ଦେଶ୍ୟରେ ଉସୁକାଇବା ଏବଂ ଅପରାଧିକ ଧମକ ଭଳି ୯ଟି ଧାରା ଉଦୟନିଧିଙ୍କ ବିରୋଧରେ ଲଗାଯାଇଛି। ଏହାସହ ତାମିଲନାଡୁ ମହିଳା ନିର୍ଯାତନା ନିଷେଧ ଆଇନ ଅଧୀନରେ ମଧ୍ୟ ମାମଲା ରୁଜୁ ହୋଇଛି।
ମୁଖ୍ୟମନ୍ତ୍ରୀ ବିଜୟଙ୍କ ଦଳ ‘ଟିଭିକେ’ ଉଦୟନିଧିଙ୍କ ଅଭଦ୍ର ମନ୍ତବ୍ୟ ବିରୋଧରେ ସ୍ଥାନୀୟ ପୁଲିସ ଏବଂ ଜାତୀୟ ମହିଳା କମିଶନ (NCW) ନିକଟରେ ଅଭିଯୋଗ ଦାଖଲ କରି ନିଜର ପ୍ରତିବାଦକୁ ଜୋରଦାର କରିଛି। ତାଞ୍ଜାବୁର ପୂର୍ବ ଥାନାରେ ଟିଭିକେ କେନ୍ଦ୍ରୀୟ ଜିଲ୍ଲା ମହିଳା ମୋର୍ଚ୍ଚା ସଂଯୋଜିକା ଏସ. ଭୈରବୀଙ୍କ ପକ୍ଷରୁ ଏକ ଅଭିଯୋଗ ଦାଖଲ କରାଯାଇଛି।
ଅଭିଯୋଗରେ କୁହାଯାଇଛି ଯେ, ଅଗଷ୍ଟ ୩ ରେ କାବେରୀ ପ୍ରସଙ୍ଗରେ ବିରୋଧୀ ଦଳ ନେତା ଭାଷଣ ଦେଉଥିବା ସମୟରେ ଜନସାଧାରଣ ‘ତ୍ରିଷା, ତ୍ରିଷା’ ନାରା ଦେଇଥିଲେ, ଯାହାର ଉତ୍ତରରେ ସେ ଏକ ଦ୍ୱିଅର୍ଥବୋଧକ ତଥା ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ। ଅଭିଯୋଗକାରୀ ଦର୍ଶାଇଛନ୍ତି ଯେ, ସେ ଏବଂ ଡିଏମକେ ଆଇଟି ସେଲ୍ର କର୍ମକର୍ତ୍ତାମାନେ ଉଦ୍ଦେଶ୍ୟମୂଳକ ଭାବରେ ମହିଳାମାନଙ୍କୁ ଅସମ୍ମାନ କରିଛନ୍ତି । ଅଭିନେତ୍ରୀ ଓ ସାଧାରଣ ମହିଳାଙ୍କୁ ମାନସିକ ଯନ୍ତ୍ରଣା ଦେବା ଲାଗି ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ୨ ମିନିଟ୍ ୩୯ ସେକେଣ୍ଡର ଭିଡିଓ ଭାଇରାଲ କରିଛନ୍ତି। ସେପଟେ ଉଦୟନିଧିଙ୍କ ଗିରଫଦାରୀକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରି ଡିଏମକେ କର୍ମୀମାନେ ରାଜ୍ୟସାରା ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।

