କ୍ରୀଡା

ନାଭାଲ ଟାଟା ହକି ଏଚ୍‌ପିସିର ସଫଳତା: ଜୁନିୟର ଇଣ୍ଡିଆ କ୍ୟାମ୍ପରେ ଓଡ଼ିଶାର ୧୪ଖେଳାଳି

ଭୁବନେଶ୍ୱର, ୩୦/୦୬/୨୦୨୬: ଭାରତୀୟ ହକି ପ୍ରତିଭାର ଏନ୍ତୁଡ଼ିଶାଳ ଭାବେ ପରିଚିତ ଓଡ଼ିଶାକୁ ଆଉ ଏକ ବଡ଼ ସଫଳତା ମିଳିଛି। ଜୁନିୟର ଇଣ୍ଡିଆ କ୍ୟାମ୍ପ ପାଇଁ ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଣ୍ଟର(ଏଚ୍‌ପିସି)ର ୧୪ଜଣ ଖେଳାଳି ମନୋନିତ ହୋଇଛନ୍ତି। ଏହା ରାଜ୍ୟରେ ତୃଣମୂଳସ୍ତରରେ ହକି ପ୍ରତିଭାଙ୍କ ବିକାଶ ଏବଂ ସେମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ସୁଦୃଢ଼ କ୍ରୀଡ଼ା ଭିତ୍ତିଭୂମିର ସଫଳତାକୁ ପ୍ରମାଣିତ କରୁଛି।

ମନୋନୀତ ୧୪ଜଣ ଖେଳାଳିଙ୍କ ମଧ୍ୟରେ ୯ ଜଣ ପୁଅ ଏବଂ ୫ ଜଣ ଝିଅ ଅଛନ୍ତି। ପୁଅମାନଙ୍କ ମଧ୍ୟରେ ଅନମୋଲ ଏକ୍କା, ଆଦ୍ରୋହିତ ଏକ୍କା, ରୋହିତ କୁଲ୍ଲୁ, ମୁକେଶ ଟପ୍ପୋ, ବିବେକ ଲାକ୍ରା, ସଞ୍ଜିତ ତିର୍କୀ, ନୀତେଶ ମିଞ୍ଜ, ଅଧିକାରୀମାୟୁମ ସୁରେଶ ଶର୍ମା ଏବଂ ଆର‌୍ୟନ ଖେସ୍ ରହିଛନ୍ତି। ସେହିପରି ଝିଅମାନଙ୍କ ମଧ୍ୟରେ ନେହାରିକା ଟପ୍ପୋ, ଦ୍ରୌପଦୀ ନାଏକ, ସୋନାଲୀ ଏକ୍କା, ସୁପ୍ରିୟା କୁଜୁର ଏବଂ ଏଞ୍ଜେଲ ହର୍ଷରାଣୀ ମିଞ୍ଜଙ୍କୁ ମନୋନୀତ କରାଯାଇଛି।

ସେହିପରି ୟୁନାଇଟେଡ୍ କିଙ୍ଗଡମ୍ (ୟୁକେ) ଟୁର୍‌-୨୦୨୬ ପାଇଁ ଏଚ୍‌ପିସିର ଦୁଇ ପ୍ରତିଭାବାନ ମହିଳା ଖେଳାଳି ଏଞ୍ଜିଲ ହର୍ଷରାଣୀ ମିଞ୍ଜ ଏବଂ ସୁପ୍ରିୟା କୁଜୁରଙ୍କୁ ମନୋନିତ କରାଯାଇଛି। ୨୧ବର୍ଷରୁ କମ୍ ବର୍ଗ ମହିଳା ଟିମ୍‌ରେଏହି ଦୁଇ ଖେଳାଳି ସାମିଲ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ହାଇ ପରଫରମାନ୍ସ ସେଣ୍ଟରରୁ ଜାତୀୟ ଦଳ ପର୍ଯ୍ୟନ୍ତ ଏହି ଯାତ୍ରା, ସେମାନଙ୍କର ନିଷ୍ଠା, ଶୃଙ୍ଖଳା ଏବଂ ଅକ୍ଳାନ୍ତ ପରିଶ୍ରମର ପ୍ରତିଫଳନ। ଏହି ଦୁଇ ପ୍ରତିଭା ଏବେ ଆନ୍ତର୍ଜାତୀୟ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରିବା ସହ ଅନ୍ତର୍ଜାତୀୟସ୍ତରର ଅଭିଜ୍ଞତା ହାସଲ କରିବେ।

ଓଡ଼ିଶା ସରକାର, ଟାଟା ଷ୍ଟିଲ୍ ଏବଂ ଟାଟା ଟ୍ରଷ୍ଟର ମିଳିତ ସହଯୋଗରେ ପ୍ରତିଷ୍ଠିତ ‘ଓଡ଼ିଶା ନଭାଲ ଟାଟା ହକି ହାଇ ପରଫରମାନ୍ସ ସେଣ୍ଟର’ ଆଜି ବିଶ୍ୱସ୍ତରୀୟ କୋଚିଂ, ସ୍ପୋର୍ଟସ୍ ସାଇନ୍ସ, ଶିକ୍ଷା ଏବଂ ଖେଳାଳିଙ୍କ ବିକାଶ କ୍ଷେତ୍ରରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି।

ଏହି ସଫଳତା ସମ୍ପର୍କରେ ହକି ଏସିଇ ଫାଉଣ୍ଡେସନର ସିଇଓ ତଥା ଟାଟା ଷ୍ଟିଲ୍ ଫାଉଣ୍ଡେସନର ସ୍କିଲ୍ ଡେଭଲପମେଣ୍ଟ, ଡିସାବିଲିଟି ଓ ସ୍ପୋର୍ଟସ୍ ହେଡ୍ କ୍ୟାପଟେନ ଅମିତାଭ କହିଛନ୍ତି, “ଆମ ସେଣ୍ଟରରୁ ୧୪ ଜଣ ଆଥଲେଟ୍ ଜାତୀୟ ଜୁନିୟର କ୍ୟାମ୍ପ ପାଇଁ ମନୋନୀତ ହେବା ଓଡ଼ିଶା ନଭାଲ ଟାଟା ହକି ହାଇ ପାଫରମାନ୍ସ ସେଣ୍ଟର ପାଇଁ ଗର୍ବର ମୁହୂର୍ତ୍ତ। ଏହା ଆମ ଖେଳାଳିମାନଙ୍କ ନିଷ୍ଠା ଏବଂ କୋଚ୍ ତଥା ସପୋର୍ଟ ଷ୍ଟାଫ୍‌‌ଙ୍କ ଅକ୍ଳାନ୍ତ ପରିଶ୍ରମର ଫଳ। ଏଞ୍ଜିଲ ହର୍ଷରାଣୀ ମିଞ୍ଜ ଏବଂ ସୁପ୍ରିୟା କୁଜୁର ୨୧ ବର୍ଷରୁ କମ୍ ବର୍ଗ ଭାରତୀୟ ଦଳରେ ସାମିଲ ହୋଇ ୨୦୨୬ ୟୁକେ ଟୁର୍‌ରେ ଯାଉଥିବାରୁ ଆମେ ବହୁତ ଖୁସି। ସେମାନଙ୍କର ଏହି ସଫଳତା ଏଚ୍‌ପିସିର ଅନ୍ୟ ଯୁବ ଖେଳାଳିଙ୍କୁ ପ୍ରେରଣା ଦେବ।’

ଏହି ସଫଳତା ସହିତ ଭାରତୀୟ ହକିର ଶକ୍ତିକେନ୍ଦ୍ର ଭାବେ ଓଡ଼ିଶାର ସୁନାମ ଆହୁରି ବଢ଼ିଛି। ସେଣ୍ଟରର ଦୁଇ ପ୍ରତିଭା ଏଞ୍ଜିଲ ଓ ସୁପ୍ରିୟା ଆଗାମୀ ୟୁକେ ଟୁର୍‌ରେ ଅନ୍ତର୍ଜାତୀୟ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯାଉଥିବା ବେଳେ, ଏହା ଓଡ଼ିଶା ହକିର ଉଜ୍ଜଳ ଭବିଷ୍ୟତର ସଙ୍କେତ ଦେଉଛି।

Share

Leave a Reply

Your email address will not be published. Required fields are marked *

sixteen − 11 =