ଜାତୀୟ

ସୋନମ୍ ରଘୁବଂଶୀଙ୍କ ଜାମିନ ରଦ୍ଦ ପାଇଁ ସୁପ୍ରିମକୋର୍ଟରେ ମେଘାଳୟ ସରକାର

ମେଘାଳୟର ବହୁଚର୍ଚ୍ଚିତ ରାଜା ରଘୁବଂଶୀ ହନିମୁନ୍ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୋନମ୍ ରଘୁବଂଶୀଙ୍କୁ ମିଳିଥିବା ଜାମିନକୁ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମେଘାଳୟ ସରକାର। ମେଘାଳୟ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସରକାରଙ୍କ ପକ୍ଷରୁ ଦାୟର ହୋଇଥିବା ଏହି ଆବେଦନ ଉପରେ ଶୁକ୍ରବାର ଦିନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି।

ସୁପ୍ରିମକୋର୍ଟରେ ମେଘାଳୟ ସରକାରଙ୍କ ଯୁକ୍ତି

ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ବିଚାରପତି ଏମ୍.ଏମ୍. ସୁନ୍ଦରେଶ ଏବଂ ବିଚାରପତି ଶୀଲ୍ ନାଗୁଙ୍କ ଖଣ୍ଡପୀଠଙ୍କ ଆଗରେ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ନିବେଦନ କରିଥିଲେ। ଶ୍ରୀ ମେହେଟ୍ଟା ଯୁକ୍ତି ବାଢ଼ିଥିଲେ ଯେ ମେଘାଳୟ ହାଇକୋର୍ଟ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବାବେଳେ ତ୍ରୁଟି କରିଛନ୍ତି। ପୋଲିସ ଦ୍ୱାରା ଦାୟର ହୋଇଥିବା କାଗଜପତ୍ରରେ ଏକ ସାଧାରଣ ଟାଇପିଂ ଭୁଲ୍ କାରଣରୁ ଏହି ଜାମିନ ପ୍ରଦାନ କରାଯାଇଛି। ଅଭିଯୁକ୍ତ ଫେରାର ହୋଇଯିବାର ଯଥେଷ୍ଟ ଆଶଙ୍କା ଥିବାରୁ ଏହାର ତୁରନ୍ତ ଶୁଣାଣିର ଆବଶ୍ୟକତା ରହିଛି ବୋଲି ସେ ଦର୍ଶାଇଥିଲେ।

ହାଇକୋର୍ଟ ଦେଇଥିଲେ କି ରାୟ?

 

ଗତ ଜୁନ୍ ୨୯ ତାରିଖରେ ମେଘାଳୟ ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ କାୟମ ରଖି ସୋନମ୍ ରଘୁବଂଶୀଙ୍କ ଜାମିନକୁ ଅନୁମୋଦନ କରିଥିଲେ। ଗିରଫ ସମୟରେ ଅଭିଯୁକ୍ତଙ୍କୁ ଉପଯୁକ୍ତ କାରଣ ନଦର୍ଶାଇ ପୋଲିସ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରିଛି ବୋଲି କୋର୍ଟ କହିଥିଲେ। ହତ୍ୟାକାଣ୍ଡ ମାମଲାରେ ବିଏନଏସ୍ (BNS) ର ଧାରା ୧୦୩(୧) ବଦଳରେ ପୋଲିସ ଭୁଲବଶତଃ ଧାରା ୪୦୩(୧) ଦର୍ଶାଇଥିଲା, ଯାହାକୁ ହାଇକୋର୍ଟ ପୋଲିସର ଖାମଖିଆଲି ମନୋଭାବ ବୋଲି ଟିପ୍ପଣୀ ଦେଇଥିଲେ।

ପରିବାର ଲୋକଙ୍କ ଅସନ୍ତୋଷ ଓ ପଦକ୍ଷେପ

ଅନ୍ୟପକ୍ଷରେ ରାଜା ରଘୁବଂଶୀଙ୍କ ପରିବାର ମଧ୍ୟ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିରେ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାଜାଙ୍କ ବଡ଼ ଭାଇ ବିପିନ ରଘୁବଂଶୀ କହିଛନ୍ତି ଯେ ତଦନ୍ତକାରୀ ସଂସ୍ଥାର ଚରମ ଅବହେଳା କାରଣରୁ ମୁଖ୍ୟ ଅଭିଯୁକ୍ତଙ୍କୁ ଜାମିନ ମିଳିଛି। ତେଣୁ ସେମାନେ ନ୍ୟାୟ ପାଇଁ ଏକ ବ୍ୟକ୍ତିଗତ ଓକିଲଙ୍କ ମାଧ୍ୟମରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ଏବଂ ଜାମିନ ରଦ୍ଦ ପାଇଁ ଆବେଦନ କରିବେ ବୋଲି ସ୍ପଷ୍ଟ କରିଛନ୍ତି।

କ’ଣ ଥିଲା ଘଟଣା?

ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶ ଇନ୍ଦୋରର ରାଜା ରଘୁବଂଶୀ ଏବଂ ତାଙ୍କ ପତ୍ନୀ ସୋନମ୍ ରଘୁବଂଶୀ ମେ’ ୨୦୨୫ରେ ହନିମୁନ୍ ପାଇଁ ମେଘାଳୟ ଯାଇଥିଲେ। ମେ’ ୨୩ ତାରିଖରେ ଉଭୟ ନିଖୋଜ ହୋଇଯାଇଥିଲେ ଏବଂ ଜୁନ୍ ୨, ୨୦୨୫ ତାରିଖରେ ଏକ ଗଭୀର ଖାଇରୁ ରାଜାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପରବର୍ତ୍ତୀ ସମୟରେ ତଦନ୍ତରୁ ଜଣାପଡ଼ିଥିଲା ଯେ ସୋନମ୍ ନିଜ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ସୁପାରି କିଲରଙ୍କ ସହ ମିଶି ଷଡ଼ଯନ୍ତ୍ର ରଚିଥିଲେ ଏବଂ ଆର୍ଥିକ ଲାଭ ପାଇଁ ଏହି ଘଟଣା ଘଟାଇଥିଲେ। ଏହାପରେ ମେଘାଳୟ ପୋଲିସ ତାଙ୍କୁ ଗିରଫ କରିଥିଲା।

Share

Leave a Reply

Your email address will not be published. Required fields are marked *

10 + three =