ପ୍ରୋଜେକ୍ଟ ସକ୍ଷମ ମାଧ୍ୟମରେ ପଶ୍ଚିମ ଓଡ଼ିଶାର ମହିଳା କୃଷି ଉଦ୍ୟୋଗୀଙ୍କୁ ଅଧିକ ସଶକ୍ତ କରୁଛି ଟିପିଡବ୍ଲୁଓଡିଏଲ୍
ସୁନ୍ଦରଗଡ଼ର ସରିତା ବାରାଙ୍କ ସଫଳତା କାହାଣୀ; ମହିଳା କୃଷି ଉଦ୍ୟୋଗୀଙ୍କ ମାଧ୍ୟମରେ ସୁଦୃଢ଼ ହେଉଛି ଗ୍ରାମୀଣ ଅର୍ଥନୀତି
ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଡମ୍ପୋଷ ଗ୍ରାମର ସରିତା ବାରାଙ୍କ ନର୍ସରୀରୁ ପ୍ରତ୍ୟେକ ଋତୁରେ ଶହ ଶହ ପନିପରିବା ଚାରା ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଚାଷୀଙ୍କ ପାଖକୁ ପହଞ୍ଚୁଅଛି । ପ୍ରତ୍ୟେକ ଚାରା ପଛରେ ରହିଛି ଜଣେ ଆଦିବାସୀ ମହିଳାଙ୍କ ସଂଘର୍ଷ, ଆତ୍ମବିଶ୍ୱାସ ଓ ସଫଳତାର ପ୍ରେରଣାଦାୟୀ କାହାଣୀ ।
ଆଜି ସରିତା ବାରା ସୁନ୍ଦରଗଡ଼ର ଅଗ୍ରଣୀ ମହିଳା କୃଷି ଉଦ୍ୟୋଗୀ ଭାବେ ପରିଚିତ । ଚଳିତ ବର୍ଷ ସେ ଜିଲ୍ଲାର ଶ୍ରେଷ୍ଠ ମହିଳା ଉଦ୍ୟାନ କୃଷକ ଭାବେ ସମ୍ମାନଜନକ ‘ସମ୍ମାନ’ ପୁରସ୍କାର ପାଇଛନ୍ତି । ଜନଜାତି ବ୍ୟାପାର ମନ୍ତ୍ରଣାଳୟର ମାନ୍ୟବର ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ସମ୍ମାନ ତାଙ୍କ ଉଦ୍ୟୋଗୀ ମନୋଭାବ ଏବଂ ସ୍ଥାୟୀ କୃଷି ପ୍ରତି ଅବଦାନର ସ୍ୱୀକୃତି ।
ପଶ୍ଚିମ ଓଡ଼ିଶାର ଗ୍ରାମୀଣ ଅର୍ଥନୀତିର ମୁଖ୍ୟ ଆଧାର ହେଉଛି କୃଷି । ତଥାପି ଗୁଣାତ୍ମକ ଚାରା, ଆଧୁନିକ କୃଷି ପରାମର୍ଶ ଓ ସମୟୋପଯୋଗୀ କୃଷି ସେବା ପାଇବାରେ ଅନେକ ଚାଷୀ ଏବେ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ପ୍ରମୁଖ ସିଏସଆର୍ ପଦକ୍ଷେପ ‘ଅନୋଖା ଧାଗା’ ଅଧୀନରେ ଏବଂ ଏହାର ଏନଜିଓ ସହଯୋଗୀ ‘ପ୍ରଦାନ’ର ସହଯୋଗରେ ‘ପ୍ରୋଜେକ୍ଟ ସକ୍ଷମ’ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି ପଦକ୍ଷେପ ମାଧ୍ୟମରେ ମହିଳା କୃଷି ଉଦ୍ୟୋଗୀଙ୍କୁ ଚିହ୍ନଟ କରି ପ୍ରଶିକ୍ଷଣ, ମାର୍ଗଦର୍ଶନ ଓ ବଜାର ସଂଯୋଗ ଯୋଗାଇ ଗ୍ରାମାଞ୍ଚଳରେ କୃଷି ସେବାକୁ ଅଧିକ ସୁଲଭ କରାଯାଉଛି ।
ସରିତା ବାରା ଏହି କାର୍ଯ୍ୟକ୍ରମରେ ମନୋନୀତ ହୋଇଥିବା ମହିଳାଙ୍କ ମଧ୍ୟରୁ ଜଣେ ।
ନର୍ସରୀ ପରିଚାଳନା, ଉଦ୍ୟୋଗ ବିକାଶ ଓ ବଜାର ସଂଯୋଗ ସମ୍ବନ୍ଧୀୟ ପ୍ରଶିକ୍ଷଣ ପାଇବା ପରେ ସେ ଏକ ମୃତ୍ତିକାବିହୀନ (Soilless) ନର୍ସରୀ ସ୍ଥାପନ କରିଛନ୍ତି । କୋକୋପିଟ୍ ଓ ଭର୍ମିକମ୍ପୋଷ୍ଟ ବ୍ୟବହାର କରି ପ୍ରସ୍ତୁତ ହେଉଥିବା ଏହି ଚାରାଗୁଡ଼ିକ ଅଧିକ ସୁସ୍ଥ, ମଜବୁତ ମୂଳଯୁକ୍ତ ଏବଂ ଉଚ୍ଚ ଜୀବନ୍ତତା ହାର ବିଶିଷ୍ଟ ହୋଇଥିବାରୁ ଚାଷୀମାନେ ଅଧିକ ଉତ୍ପାଦନ ପାଇବାରେ ସକ୍ଷମ ହେଉଛନ୍ତି ।
ଏହି ନର୍ସରୀ ସରିତାଙ୍କ ଜୀବନରେ ମଧ୍ୟ ଆର୍ଥିକ ପରିବର୍ତ୍ତନ ଆଣିଛି । ସମୟୋପଯୋଗୀ ଭାବେ ଗୁଣାତ୍ମକ ଚାରା ଯୋଗାଇ ସେ ବର୍ଷକୁ ପ୍ରାୟ ୬୦ ହଜାର ଟଙ୍କା ଅତିରିକ୍ତ ଆୟ କରୁଛନ୍ତି । ସେହିପରି ପାରମ୍ପରିକ ଏକଫସଲି ଚାଷରୁ ବାହାରି ଅଧିକ ଲାଭଦାୟକ ପନିପରିବା ଚାଷ ଆପଣାଇବାରେ ସ୍ଥାନୀୟ ଚାଷୀଙ୍କୁ ସହଯୋଗ କରୁଛନ୍ତି । ବୈଜ୍ଞାନିକ ନର୍ସରୀ ପରିଚାଳନା ଯୋଗୁଁ ଫସଲ ଉତ୍ପାଦନରେ ମଧ୍ୟ ୧୦ରୁ ୧୨ ପ୍ରତିଶତ ବୃଦ୍ଧି ଦେଖାଦେଇଛି ।
ସରିତା ବାରା କୁହନ୍ତି ଯେ, “ପୂର୍ବରୁ କେବଳ କୃଷି ପରିବାରର ଜୀବିକାର ମାଧ୍ୟମ ଥିଲା । ‘ପ୍ରୋଜେକ୍ଟ ସକ୍ଷମ’ ସହ ଯୋଡ଼ି ହେବା ପରେ ବୁଝିଲି, କୃଷି ମାଧ୍ୟମରେ ଆତ୍ମନିର୍ଭରଶୀଳତା ଓ ଉଦ୍ୟୋଗୀ ହେବାର ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରେ । ଆଜି ଗୁଣାତ୍ମକ ଚାରା ଯୋଗାଇ ଅନ୍ୟ ଚାଷୀଙ୍କ ଉତ୍ପାଦନ ବଢ଼ାଇବା ସହ ଅନ୍ୟ ମହିଳାମାନଙ୍କୁ ଆତ୍ମବିଶ୍ୱାସୀ ହେବାକୁ ପ୍ରେରଣା ଦେଇ ପାରୁଥିବାରୁ ମୁଁ ଗର୍ବ ଅନୁଭବ କରୁଅଛି ।”
ସରିତାଙ୍କ ସଫଳତା କେବଳ ଏକ ବ୍ୟକ୍ତିଗତ କାହାଣୀ ନୁହେଁ; ବରଂ ‘ପ୍ରୋଜେକ୍ଟ ସକ୍ଷମ’ ମାଧ୍ୟମରେ ଘଟୁଥିବା ଏକ ବୃହତ୍ ପରିବର୍ତ୍ତନର ପ୍ରତିଫଳନ । ଏହି ପଦକ୍ଷେପ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ଚାରିଟି ମୃତ୍ତିକାବିହୀନ ନର୍ସରୀ ଏବଂ ପାଞ୍ଚଟି ମଦର ଚିକ୍ ୟୁନିଟ୍ ସହିତ ମୋଟ ନଅ ଜଣ ମହିଳା ଉଦ୍ୟୋଗୀଙ୍କୁ ସ୍ୱାବଲମ୍ବୀ କରାଯାଇଛି । ଫଳସ୍ୱରୂପ ଗ୍ରାମାଞ୍ଚଳରେ ଏକ ବିକେନ୍ଦ୍ରୀକୃତ କୃଷି ସହାୟତା ବ୍ୟବସ୍ଥା ଗଢ଼ି ଉଠିଛି ।
ଏହି ପଦକ୍ଷେପ ଦ୍ୱାରା ପ୍ରାୟ ୪,୧୦୦ ଜଣ ମହିଳା ଚାଷୀ ଉନ୍ନତମାନର ଚାରା, ଆଧୁନିକ କୃଷି ପରାମର୍ଶ ଓ ଜଳବାୟୁ-ଉପଯୋଗୀ କୃଷି ପଦ୍ଧତିର ସୁବିଧା ପାଇଛନ୍ତି । ଘରୋଇ କୁକୁଡ଼ା ପାଳନ କ୍ଷେତ୍ରରେ ହୋଇଥିବା ହସ୍ତକ୍ଷେପ ପରିବାରର ଆୟ ଓ ପୌଷ୍ଟିକ ସୁରକ୍ଷା ବୃଦ୍ଧି କରିଛି । ଗତ ଆର୍ଥିକ ବର୍ଷରେ ‘ପ୍ରୋଜେକ୍ଟ ସକ୍ଷମ’ ସହ ଜଡ଼ିତ ମହିଳା ଉଦ୍ୟୋଗୀମାନେ ମିଳିତ ଭାବେ ୩.୫୬ ଲକ୍ଷ ଟଙ୍କାରୁ ଅଧିକ ଆୟ କରିଥିବାବେଳେ, ଏହା ଗ୍ରାମୀଣ ଅର୍ଥନୈତିକ ଓ ସାମାଜିକ ବିକାଶରେ ମହିଳାଙ୍କ ନେତୃତ୍ୱର ପ୍ରଭାବକୁ ସ୍ପଷ୍ଟ କରିଛି ।
ଏ ସମ୍ପର୍କରେ ଟିପିଡବ୍ଲୁଓଡିଏଲ୍ର ମୁଖ୍ୟ ନିର୍ବାହୀ ଅଧିକାରୀ, ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି, “ ‘ଅନୋଖା ଧାଗା’ ମାଧ୍ୟମରେ ଟିପିଡବ୍ଲୁଓଡିଏଲ୍ ସମୁଦାୟକୁ ଆତ୍ମନିର୍ଭରଶୀଳ କରି ସ୍ଥାୟୀ ଜୀବିକା ସୃଷ୍ଟି ପାଇଁ ପ୍ରତିବଦ୍ଧ ଅଟେ । ‘ପ୍ରୋଜେକ୍ଟ ସକ୍ଷମ’ ପ୍ରମାଣ କରିଛି ଯେ, ମହିଳା ଉଦ୍ୟୋଗୀଙ୍କ ଶସକ୍ତ କରି ପାରିଲେ ସ୍ଥାନୀୟ କୃଷି ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ ଦୀର୍ଘସ୍ଥାୟୀ ସାମାଜିକ ଓ ଆର୍ଥିକ ପରିବର୍ତ୍ତନ ସମ୍ଭବ। ସରିତାଙ୍କ ସଫଳତା ଏହାର ଏକ ପ୍ରେରଣାଦାୟକ ଉଦାହରଣ ।”
ଆଜି ସରିତାଙ୍କ ନର୍ସରୀ କେବଳ ଉନ୍ନତମାନର ପନିପରିବା ଚାରା ଉତ୍ପାଦନ କରୁନାହିଁ; ବରଂ ଏହା ଆତ୍ମବିଶ୍ୱାସ, ଉଦ୍ୟୋଗୀ ମନୋଭାବ ଓ ନୂଆ ଆଶାର ବୀଜ ମଧ୍ୟ ବୁଣୁଛି । ‘ପ୍ରୋଜେକ୍ଟ ସକ୍ଷମ’ ପରି ପଦକ୍ଷେପ ମାଧ୍ୟମରେ ଟିପିଡବ୍ଲୁଓଡିଏଲ୍ ପଶ୍ଚିମ ଓଡ଼ିଶାରେ ମହିଳା ସଶକ୍ତିକରଣ, ଗ୍ରାମୀଣ ଜୀବିକାର ବିକାଶ ଏବଂ ସ୍ୱାବଲମ୍ବୀ ସମୁଦାୟ ଗଠନ ଦିଗରେ ନିରନ୍ତର କାର୍ଯ୍ୟ କରିଆସୁଛି ।
ଟିପିଡବ୍ଲୁଓଡିଏଲ୍ ସମ୍ବନ୍ଧରେ: ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ହେଉଛି ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଯୌଥ ଉଦ୍ୟୋଗ, ଯେଉଁଥିରେ ଉଭୟଙ୍କ ଅଂଶଧନ ଯଥାକ୍ରମେ ୫୧:୪୯ ଅଟେ । ଟିପିଡବ୍ଲୁଓଡିଏଲ୍ ସମଗ୍ର ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ ବିତରଣ ଏବଂ ଖୁଚୁରା ଯୋଗାଣ ଦାୟିତ୍ୱରେ ୯ଟି ଜିଲ୍ଲା ଏବଂ ପ୍ରାୟ ୪୮,୦୦୦ ବର୍ଗ କିଲୋମିଟର ବିତରଣ କ୍ଷେତ୍ରରେ ୨୧ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଅଛି । କମ୍ପାନୀ ନିର୍ଭରଯୋଗ୍ୟ, ସୁରକ୍ଷିତ ଏବଂ ଗ୍ରାହକ-କେନ୍ଦ୍ରିକ ବିଦ୍ୟୁତ ସେବା ପ୍ରଦାନ ସହିତ ବିଦ୍ୟୁତ ଭିତ୍ତିଭୂମିର ଆଧୁନିକୀକରଣ, କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା, ଡିଜିଟାଲ ରୂପାନ୍ତରଣ, ସ୍ଥାୟୀ ବିକାଶ ଏବଂ ସମ୍ପ୍ରଦାୟ ବିକାଶ ପଦକ୍ଷେପକୁ ଆଗେଇ ନେବା ପାଇଁ ପ୍ରତିବଦ୍ଧ ଅଟେ । ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା ଏବଂ ଗ୍ରାହକ ସେବାରେ ନିରନ୍ତର ନିବେଶ ମାଧ୍ୟମରେ, ଟିପିଡବ୍ଲୁଓଡିଏଲ୍ ପଶ୍ଚିମ ଓଡ଼ିଶାର ସାମାଜିକ-ଆର୍ଥିକ ଅଭିବୃଦ୍ଧିକୁ ସମର୍ଥନ କରିବା ସହିତ ଏହି ଅଞ୍ଚଳର ଶକ୍ତି ରୂପାନ୍ତରଣ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବାକୁ ଲକ୍ଷ୍ୟ ରଖିଛି ।

