ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ରେକର୍ଡ ବିଦ୍ୟୁତ ଚାହିଦା ମଧ୍ୟରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡ଼ିକ ପକ୍ଷରୁ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା
ଭୁବନେଶ୍ୱର, ୨୩ ମେ, ୨୦୨୬: ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସହ ଚଳିତ ଗ୍ରୀଷ୍ମ ଋତୁରେ ସର୍ବାଧିକ ବିଦ୍ୟୁତ ଚାହିଦାର ରେକର୍ଡ ସୃଷ୍ଟି ହୋଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡ଼ିକ ପକ୍ଷରୁ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଏବଂ ଦ୍ରୁତ ମରାମତି ସେବା ନିଶ୍ଚିତ କରିବା ପାଇଁ ଏକ ବ୍ୟାପକ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ସହିତ ୨୪ ଘଣ୍ଟିଆ ନେଟୱର୍କ ନିରୀକ୍ଷଣ ଏବଂ ଗ୍ରାହକ ସହାୟତା ବ୍ୟବସ୍ଥାକୁ ସକ୍ରିୟ କରାଯାଇଛି।
ଡିସକମ୍ ଗୁଡ଼ିକ ବର୍ତ୍ତମାନ ସାରା ଓଡ଼ିଶାରେ ୬,୭୩୯ମେଗାୱାଟ୍ର ସର୍ବାଧିକ ଚାହିଦା ପରିଚାଳନା କରୁଛନ୍ତି, ଯାହା ଗତ ବର୍ଷର ସର୍ବାଧିକ ଚାହିଦା ୬,୪୪୭ ମେଗାୱାଟ୍ ଅପେକ୍ଷା ପ୍ରାୟ ୩୦୦ ମେଗାୱାଟ୍ ଅଧିକ। କେବଳ ଭୁବନେଶ୍ୱରରେ ହିଁ ସର୍ବାଧିକ ବିଦ୍ୟୁତ ଚାହିଦା ୧୭% ବୃଦ୍ଧି ପାଇଛି, ଯାହା ଗତ ଆର୍ôଥକ ବର୍ଷର ୬୪୧ ମେଗାୱାଟ୍ରୁ ବଢ଼ି ଏହି ଗ୍ରୀଷ୍ମ ଋତୁରେ ୭୫୦ ମେଗାୱାଟ୍ରେ ପହଞ୍ଚିଛି। ଏହା ପ୍ରଚଣ୍ଡ ତାପମାତ୍ରା ଯୋଗୁଁ ବିଦ୍ୟୁତ ବ୍ୟବହାରରେ ହୋଇଥିବା ତୀବ୍ର ବୃଦ୍ଧିକୁ ଦର୍ଶାଉଛି।
ଚଳିତ ଗ୍ରୀଷ୍ମ ଋତୁରେ ଶୀଘ୍ର ମରାମତି ଏବଂ ବିଶ୍ୱସନୀୟ ସେବା ପ୍ରଦାନ ନିଶ୍ଚିତ କରିବା ପାଇଁ ରକ୍ଷଣାବେକ୍ଷଣ ଦଳ, ବ୍ରେକଡାଉନ ରେସପନ୍ସ ଦଳ, ସୁପରଭାଇଜର ଏବଂ ସୁରକ୍ଷା ଅଧିକାରୀଙ୍କୁ ମିଶାଇ ୨୬,୦୦୦ ରୁ ଅଧିକ ପ୍ରଶିକ୍ଷିତ ଫିଲ୍ଡ ଷ୍ଟାଫ ଦିନରାତି ଫିଲ୍ଡ କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ଜରୁରୀକାଳୀନ ପରିସ୍ଥିତିରେ ବିଦ୍ୟୁତ ସେବାକୁ ତୁରନ୍ତ ସ୍ୱାଭାବିକ କରିବା ପାଇଁ ଡିସକମ୍ ଗୁଡ଼ିକ ସେମାନଙ୍କ ସେବା ଯୋଗାଣ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଏବଂ ମରାମତି ଉପକରଣ ଗୁଡ଼ିକୁ ରଣନୀତିକ ଭାବେ ପ୍ରସ୍ତୁତ କରି ରଖିଛନ୍ତି, ଯେଉଁଥିରେ ୬୭ଟି ପାୱାର ଟ୍ରାନ୍ସଫର୍ମର, ପ୍ରାୟ ୫,୦୦୦ ଟି ବିତରଣ ଟ୍ରାନ୍ସଫର୍ମର, ୬୦,୦୦୦ ରୁ ଅଧିକ ବିଦ୍ୟୁତ ଖୁଣ୍ଟ ଏବଂ ପ୍ରାୟ ୯,୦୦୦ କିଲୋମିଟର ଲମ୍ବର କଣ୍ଡକ୍ଟର ଓ କେବୁଲ ସାମିଲ ଅଛି।
ଏହା ସହିତ ଟାୱାର ୱାଗନ, ମ୍ୟାନ୍-ଲିଫ୍ଟର, ହାଇଡ୍ରୋଲିକ ଉପକରଣ, ଜଳ ନିଷ୍କାସନ ପମ୍ପ, ମୋବାଇଲ ବିଦ୍ୟୁତ ବିତରଣ ସବ୍-ଷ୍ଟେସନ ଏବଂ ଗଛ କଟା ମେସିନ ଭଳି ଜରୁରୀକାଳୀନ ଭିତ୍ତିଭୂମି ଗୁଡ଼ିକୁ ମଧ୍ୟ ତୁରନ୍ତ ବ୍ୟବହାର ପାଇଁ ପ୍ରସ୍ତୁତ କରି ରଖାଯାଇଛି।
ଏକ ସେଣ୍ଟ୍ରାଲାଇଜ୍ଡ୍ ପାୱାର ଡିଷ୍ଟ୍ରିବ୍ୟୁସନ ଟେକ୍ନୋଲୋଜି ସେଣ୍ଟର (ପିଡିଟିସି) ସହିତ ସର୍କଲ ଏବଂ ଡିଭିଜନ ସ୍ତରୀୟ କଣ୍ଟ୍ରୋଲ ରୁମ ଗୁଡ଼ିକ ମାଧ୍ୟମରେ ବିଦ୍ୟୁତ ବିତରଣ ନେଟୱର୍କ ଉପରେ କ୍ରମାଗତ ନଜର ରଖାଯାଇଛି, ଯାହାଦ୍ୱାରା କାଳବୈଶାଖୀ ଝଡ଼ବର୍ଷା, ବଜ୍ରପାତ ଏବଂ ପ୍ରବଳ ପବନ ଯୋଗୁଁ ହେଉଥିବା ବିଦ୍ୟୁତ ବ୍ୟାଘାତ ଏବଂ ପାଣିପାଗ ଜନିତ ସମସ୍ୟାର ତୁରନ୍ତ ସମାଧାନ କରାଯାଇପାରିବ।
ପିକ ଗ୍ରୀଷ୍ମ ଋତୁରେ ଉପଭୋକ୍ତା ମାନଙ୍କ ସହାୟତାକୁ ଅଧିକ ସୁଦୃଢ଼ କରିବା ପାଇଁ ଡିସକମ୍ ଗୁଡ଼ିକ ୨୦୦ ଆସନ ବିଶିଷ୍ଟ ଏକ ୨୪ ଘଣ୍ଟିଆ ସମନ୍ୱିତ ଗ୍ରାହକ ସେବା କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିଛନ୍ତି। ଉପଭୋକ୍ତା ମାନେ ଆଇଭିଆରଏସ, ମୋବାଇଲ ଆପ୍, ୱେବସାଇଟ୍, ହ୍ୱାଟ୍ସଆପ୍ ଏବଂ ମିସଡ୍-କଲ୍ ସୁବିଧା ଭଳି ବିଭିନ୍ନ ମାଧ୍ୟମରେ ନିଜର ଅଭିଯୋଗ ପଞ୍ଜିକରଣ କରିପାରିବେ। ଏହାଛଡ଼ା ବିଦ୍ୟୁତ କାଟ ଏବଂ ତାହା କେତେ ସମୟ ମଧ୍ୟରେ ଠିକ୍ ହେବ, ସେହି ସମ୍ପର୍କିତ ରିଅଲ-ଟାଇମ ଅପଡେଟ୍ ଏବଂ ଆନୁମାନିକ ସମୟସୀମା ବିଷୟରେ ଏସଏମଏସ, ହ୍ୱାଟ୍ସଆପ୍ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଉପଭୋକ୍ତା ମାନଙ୍କୁ ଜଣାଇ ଦିଆଯାଉଛି।
ଝଡ଼ବର୍ଷା ଏବଂ ଚରମ ପାଣିପାଗ ସମୟରେ ବିଦ୍ୟୁତ ଭିତ୍ତିଭୂମିକୁ ପ୍ରଭାବିତ କରୁଥିବା ଭାଙ୍ଗି ପଡ଼ିଥିବା ଗଛ ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକ ଗୁଡ଼ିକୁ ଶୀଘ୍ର ହଟାଇବା ପାଇଁ ଡିସକମ୍ ଗୁଡ଼ିକ ଜିଲ୍ଲା ପ୍ରଶାସନ, ଅଗ୍ନିଶମ ସେବା, ଓଡ୍ରାଫ ଏବଂ ସ୍ଥାନୀୟ ପୌରସଂସ୍ଥା ଗୁଡ଼ିକ ସହିତ ମିଳିତ ଭାବେ ନିବିଡ଼ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି।
ଗ୍ରୀଷ୍ମ ଋତୁ ପୂର୍ବରୁ କରାଯାଇଥିବା ବ୍ୟାପକ ଆଗୁଆ ପ୍ରତିଷେଧକ ମୂଳକ ରକ୍ଷଣାବେକ୍ଷଣ ଏବଂ ନେଟୱର୍କ ସୁଦୃଢ଼ୀକରଣ କାର୍ଯ୍ୟ ଯୋଗୁଁ ଏହି ସବୁ ପ୍ରସ୍ତୁତି ପଦକ୍ଷେପ ସମ୍ଭବ ହୋଇପାରିଛି, ଯାହା ବିଦ୍ୟୁତ ସେବାର ବିଶ୍ୱସନୀୟତାକୁ ବୃଦ୍ଧି କରିବା ସହ ବିଦ୍ୟୁତ ବ୍ୟାଘାତକୁ ହ୍ରାସ କରିବାରେ ସାହାଯ୍ୟ କରୁଛି।
ଏହି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଏବଂ ବଢ଼ୁଥିବା ବିଦ୍ୟୁତ ଚାହିଦା ମଧ୍ୟରେ ଓଡ଼ିଶାର ୫ କୋଟିରୁ ଅଧିକ ଲୋକଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବା ପାଇଁ ଡିସକମ୍ର କର୍ମଚାରୀମାନେ ଦିନରାତି କାମ କରୁଛନ୍ତି। ଅପରେସନ ଏବଂ ଫଲ୍ଟ ରେସପନ୍ସ ଦଳ ଗୁଡ଼ିକ ଅତ୍ୟଧିକ ତାପମାତ୍ରା ଏବଂ ଆହ୍ୱାନପୂର୍ଣ୍ଣ ପାଣିପାଗ ପରିସ୍ଥିତିକୁ ସାମ୍ନା କରି କ୍ରମାଗତ ଭାବେ ଫିଲ୍ଡ ଡ୍ୟୁଟିରେ ରହିଛନ୍ତି, ଯାହାଦ୍ୱାରା ବିଦ୍ୟୁତ ସେବା ଶୀଘ୍ର ସ୍ୱାଭାବିକ ହୋଇପାରୁଛି ଏବଂ ତୃଣମୂଳ ସ୍ତରରେ ନେଟୱର୍କର ବିଶ୍ୱସନୀୟତା ବଜାୟ ରହୁଛି।
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏବଂ ଦୀର୍ଘ ସମୟ ଧରି ବାହାରେ କାମ କରିବା ଯୋଗୁଁ, ଅନେକ ଲାଇନ୍ମ୍ୟାନ ଏବଂ ଫିଲ୍ଡ କର୍ମଚାରୀ ମଧ୍ୟ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କରିବା ସମୟରେ ଡିହାଇଡ୍ରେସନ୍ ଏବଂ ହିଟ୍ ଷ୍ଟ୍ରେସ୍ ର ସମ୍ମୁଖୀନ ହେଉଛନ୍ତି। ଏହି ଆଗଧାଡ଼ିର କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପାଇଁ, ଡିସକମ୍ ଗୁଡ଼ିକ ଓଆରଏସ ପ୍ୟାକେଟ୍ ବଣ୍ଟନ କରିଛନ୍ତି ଏବଂ ଫିଲ୍ଡ କାର୍ଯ୍ୟ ସମୟରେ ଜଳାଭାବ ଓ ଅଂଶୁଘାତ ରୋକିବା ପାଇଁ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରିଛନ୍ତି।
ଅତ୍ୟଧିକ ଗରମ ଏବଂ ଅପ୍ରତ୍ୟାଶିତ ବିଦ୍ୟୁତ ଚାହିଦା ଯୋଗୁଁ ସୃଷ୍ଟି ହୋଇଥିବା ଜରୁରୀ ପରିସ୍ଥିତିକୁ ସମ୍ଭାଳିବା ପାଇଁ ଉପଭୋକ୍ତା ମାନେ କର୍ମଚାରୀମାନଙ୍କୁ ସହଯୋଗ କରନ୍ତୁ ଏବଂ ଧୈର୍ଯ୍ୟ ରଖନ୍ତୁ ବୋଲି ଡିସକମ୍ ଗୁଡ଼ିକ ପକ୍ଷରୁ ଅନୁରୋଧ କରାଯାଇଛିି।
“ଫର୍ ୟୁ, ୱିଥ୍ ୟୁ, ଅଲୱେଜ୍” (ଆପଣଙ୍କ ପାଇଁ, ଆପଣଙ୍କ ସହିତ, ସଦାସର୍ବଦା) ମନ୍ତ୍ରରେ ଅନୁପ୍ରାଣିତ ହୋଇ ରାଜ୍ୟସାରା ଥିବା ସମସ୍ତ ବିଭାଗୀୟ ଦଳ ଏହି ଆହ୍ୱାନପୂର୍ଣ୍ଣ ସମୟରେ ଉପଭୋକ୍ତା ମାନଙ୍କୁ ସମ୍ପୂର୍ଣ୍ଣ ନିଷ୍ଠା ଓ ସମର୍ପଣର ସହ ସେବା ଯୋଗାଇ ଚାଲିଛନ୍ତି।

