କ୍ରୀଡା

ଆଜି ଚେନ୍ନାଇ-ହାଇଦ୍ରାବାଦ ଟକ୍କର

ଚଳିତ ଆଇପିଏଲ୍‌ର ୬୩ତମ ଲିଗ୍ ମୁକାବିଲାରେ ଆଜି ୫ ଥର ଚାମ୍ପିଅନ୍ ଚେନ୍ନାଇ ଘରୋଇ ଗ୍ରାଉଣ୍ଡରେ ହାଇଦ୍ରାବାଦକୁ ଭେଟିବ । ଋତୁରାଜ ବାହିନୀଙ୍କ ପାଇଁ ଏହି ମ୍ୟାଚ୍ ‘କର ବା ମର’ ସଦୃଶ ରହିଛି । ଫଳରେ ଘରୋଇ ଦଳ ବିଜୟ ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ଅନ୍ୟ ପଟରେ ହାଇଦ୍ରାବାଦ ମଧ୍ୟ ବିଜୟ ସହ ପ୍ଲେ-ଅଫ୍ ସ୍ଥାନ ଦୃଢ଼ କରିବା ଲକ୍ଷ୍ୟରେ ରହିଛି । ଫଳରେ ଉଭୟ ଦଳ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ଚେନ୍ନାଇ ୧୨ଟି ମ୍ୟାଚ୍ ଖେଳି ୬ବିଜୟ ଓ ୬ ପରାଜୟ ସହ ୧୨ପଏଣ୍ଟ ପାଇଛି । ଦଳର ଆଉ ୨ଟି ମ୍ୟାଚ୍ ବାକି ରହିଛି । ପ୍ଲେ-ଅଫ୍ ଦୌଡ଼ରେ ରହିବାକୁ ହେଲେ ଉଭୟ ମ୍ୟାଚ୍ ଜିତିବା ଜରୁରୀ । ହାଇଦ୍ରାବାଦ ସମାନ ସଂଖ୍ୟକ ମ୍ୟାଚ୍ ଖେଳି ୭ବିଜୟ ଓ ୫ପରାଜୟ ସହ ୧୪ପଏଣ୍ଟ ପାଇଛି । ଆଜି ଚେନ୍ନାଇକୁ ହରାଇଲେ ଦଳର ପଏଣ୍ଟ ସଂଖ୍ୟା ୧୬ରେ ପହଞ୍ଚିବ ଏବଂ ପ୍ଲେ-ଅଫ୍ ସ୍ଥାନ ଦୃଢ଼ ହେବ ।

ଗତ ଏପ୍ରିଲ ୧୮ ତାରିଖରେ ହାଇଦ୍ରାବାଦ ଓ ଚେନ୍ନାଇ ସାମ୍ନାସାମ୍ନି ହୋଇଥିଲେ । ହାଇଦ୍ରାବାଦ ୧୦ରନ୍ରେ ଏହି ମ୍ୟାଚ୍ ଜିତିଥିଲା । ଏଥର ଚେନ୍ନାଇ ଘରୋଇ ଗ୍ରାଉଣ୍ଡରେ ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ଉଭୟ ଦଳ ନିଜ ନିଜର ପୂର୍ବ ମ୍ୟାଚ୍ରେ ପରାଜିତ ହୋଇଥିଲେ । ଗୁଜରାଟର ୫/୧୬୮ରନ୍ ଜବାବରେ ହାଇଦ୍ରାବାଦ ଦଳ ମାତ୍ର ୮୬ରନ୍ରେ ଅଲଆଉଟ୍ ହୋଇଥିଲା । ବ୍ୟାଟିଂ ବିଭାଗର ବିଫଳତା ପରାଜୟର କାରଣ ହୋଇଥିଲା । ଚେନ୍ନାଇ ବିପକ୍ଷ ମ୍ୟାଚ୍ ପୂର୍ବରୁ ଦଳ ସବୁ ତ୍ରୁଟି ସୁଧାରି ନେଇଛି ।

ଆଜି ଦୁର୍ଦ୍ଧର୍ଷ ଓପନର ଅଭିଷେକ ଶର୍ମା, ଟ୍ରେଭିସ୍ ହେଡ୍‌ଙ୍କ ସମେତ ଈଶାନ କିଷନଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଚେନ୍ନାଇ ଗତ ମ୍ୟାଚ୍‌ରେ ଲକ୍ଷ୍ନୌ ଠାରୁ ପରାଜିତ ହୋଇଥିଲା । ବୋଲିଂ ବିଭାଗ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ହାଇଦ୍ରାବାଦକୁ ହରାଇବାକୁ ହେଲେ ବୋଲିଂ ବିଭାଗରେ ଉନ୍ନତି ଆଣିବାକୁ ପଡ଼ିବ । ବ୍ୟାଟିଂ ବିଭାଗରେ ଦଳ ଭଲ ପ୍ରଦର୍ଶନ କରୁଛି ।

ଆଜି ସଞ୍ଜୁ ସାମସନଙ୍କଠୁ ଆଉ ଏକ ବଡ଼ ଇନିଂସ୍ ଆଶା କରାଯାଉଛି । ଆହତ ହେବା ଯୋଗୁ ଚଳିତ ସିଜନରେ ଗୋଟିଏ ବି ମ୍ୟାଚ୍ ଖେଳି ନଥିବା ଅଭିଜ୍ଞ ୱିକେଟ୍ କିପର ବ୍ୟାଟର ମହେନ୍ଦ୍ର ସିଂହ ଧୋନି ଆସନ୍ତାକାଲି ଖେଳିବା ସମ୍ଭାବନା ରହିଛି । ଏହି ମ୍ୟାଚ୍ ଖେଳି ସେ ବିଦାୟ ନେଇପାରନ୍ତି ବୋଲି ଆଲୋଚନା ହେଉଛି । ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଚଳିତ ସିଜନରେ ୬ଟି ମ୍ୟାଚ୍ ଖେଳାଯାଇଛି । ଦ୍ୱିତୀୟ ଭାଗରେ ବ୍ୟାଟିଂ କରିଥିବା ଦଳ ୪ଟି ମ୍ୟାଚ୍ ଜିତିଛନ୍ତି । ଫଳରେ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

fifteen − six =