ପିଏମ ସୂର୍ଯ୍ୟଘର ଯୋଜନାରେ ୬,୩୦୦ରୁ ଊର୍ଦ୍ଧ୍ଵ ଉପଭୋକ୍ତାଙ୍କ ଶୂନ ୟୁନିଟ ବିଲିଂ
ବାଲେଶ୍ଵର: ସୁଫଳ ଆଣିଛି ପିଏମ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା । ସରକାରଙ୍କ ଏହି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ସ୍ଥାପନ କରି ଉପଭୋକ୍ତମାନେ ନିଜର ବିଜୁଳି ବିଲ୍ ରେ ଆଶାତୀତ ହ୍ରାସ କରିବାରେ ସଫଳ ହୋଇଥିବା ଦେଖିବାକୁ ମିଳିଛି। ବିଶେଷ କରି ଅନେକ ବିଜୁଳି ଉପଭୋକ୍ତାଙ୍କ ଘରର ବିଦ୍ୟୁତ୍ ବ୍ୟବହାର ପାଇଁ ଶୂନ୍ୟ ୟୁନିଟ ବିଲିଂ ଆସିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି I ସାଧାରଣତଃ ଗ୍ରୀଷ୍ମରେ ଉପଭୋକ୍ତାମାନେ ବିଜୁଳି ବିଲ୍କୁ ନେଇ ଅଧିକ ଚିନ୍ତା ପ୍ରକଟ କରୁଥିଲେ ହେଁ ଏବେ ଏହି ଯୋଜନା ସେମାନଙ୍କ ପାଇଁ ବରଦାନ ସାଜିଛି।
ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନଓଡିଏଲ୍), ପିଏମ୍ ସୂର୍ଯ୍ୟ ଘର ମୁପ୍ତ ବିଜୁଳି ଯୋଜନାର ୟୁଟିଲିଟି ଲେଡ ଏଗ୍ରିଗେସନ (ୟୁଏଲ୍ଏ) ମଡେଲ୍ ଅଧୀନରେ ରୁଫଟପ୍ ସୋଲାର ସ୍ଥାପନକୁ ଆହୁରି ତ୍ୱରାନ୍ଵିତ କରିଛି। ସଂସ୍ଥା ପକ୍ଷରୁ ୧-କିଲୋୱାଟ୍ ବିଦ୍ୟୁତ୍ ସଂଯୁକ୍ତ ଘରୋଇ ଉପଭୋକ୍ତାଙ୍କୁ ମାତ୍ର ୫୬୨୨ ଟଙ୍କାରେ ଉଚ୍ଚ ଗୁଣମାନ ଓ ସୁରକ୍ଷିତ ସୌର ପ୍ୟାନେଲ ସ୍ଥାପନା କରାଯାଉଛି I ଏହି କ୍ରମରେ ଏଯାବତ ବାଲେଶ୍ଵର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର ଓ ଯାଜପୁର ଜିଲ୍ଲାର ୧୦,୫୦୭ ଜଣ ଉପଭୋକ୍ତା ନିଜ ଘର ଛାତରେ ୧ କିଲୋୱାଟର ସୌରତନ୍ତ୍ର ସ୍ଥାପନ କରିଛନ୍ତି I ସେହି ପରି, ପିଏମ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ମଧ୍ୟ ପାଞ୍ଚଟି ଜିଲ୍ଲାରେ ୧୧,୫୦୦ରୁ ଅଧିକ ଉପଭୋକ୍ତା ୧ ରୁ ୩କିଲୋୱାଟ ପର୍ଯ୍ୟନ୍ତ ସୌର ପ୍ୟାନେଲ ସ୍ଥାପନ କରି ଲାଭବାନ ହୋଇଛନ୍ତି।
ସୂଚନା ମୁତାବକ ପିଏମ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ଏବଂ ୟୁଏଲ୍ଏ ମଡେଲରେ ବାଲେଶ୍ଵର ଜିଲ୍ଲାରେ ଏଯାବତ ୮,୧୨୭ ଜଣ ଉପଭୋକ୍ତା ଘର ଛାତରେ ସୌର ପ୍ୟାନେଲ ସ୍ଥାପନ କରିଥିବାବେଳେ ଭଦ୍ରକରେ ୨୭୫୧, ଯାଜପୁରରେ ୩୫୭୩, କେନ୍ଦୁଝରରେ ୨୯୦୦ ଓ ମୟୂରଭଞ୍ଜରେ ୪୬୭୬ଜଣ ଉପଭୋକ୍ତା ସୌର ପ୍ୟାନେଲ ସ୍ଥାପନ କରିଛନ୍ତି। ଏହିପରି ଉତ୍ତର ଓଡିଶାରେ ଉପଭୋକ୍ତମାନେ ଏହି ଯୋଜନାରେ ଏ ଯାଏଁ ସର୍ବମୋଟ ୪୭ମେଗାୱାଟର ରୁଫ ଟଫ ସୋଲାର ସ୍ଥାପନ କରିଛନ୍ତି I ସବୁଠୁ ଆନନ୍ଦର ବିଷୟ ହେଲା ଯେ ଗତ ମାସରେ ପ୍ରାୟ ୬,୩୦୨ ଉପଭୋକ୍ତାଙ୍କ ଘରେ ମାସିକ ଶୂନ ୟୁନିଟ ବିଦ୍ୟୁତ ବିଲ୍ ଆସିଛି। ଏହା ସହ ଅର୍ଦ୍ଧାଧିକ ଉପଭୋକ୍ତାଙ୍କ ବିଲିଂରେ ମଧ୍ୟ ଆଶାତୀତ ହ୍ରାସ ଘଟିଥିବା ସେମାନେ ଦର୍ଶାଇବା ସହ ଏହାକୁ ନେଇ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି।
ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ରମ୍ଭାମଣୀ ସେଠୀ କହନ୍ତି ଯେ, ସେ ବିଗତ ଦୁଇ ମାସ ହେବ ୧-କିଲୋୱାଟର ସୋଲାର ପ୍ୟାନେଲ ଘରେ ସ୍ଥାପନ କରିଛନ୍ତି। ଦୁଇ ମାସ ହେଲା ବିଦ୍ୟୁତ ଦେୟ ବାବଦକୁ ଶୂନ୍ୟ ୟୁନିଟ ବିଲିଂ ମଧ୍ୟ ହୋଇଛି। ଏହି ଯୋଜନା ତାଙ୍କ ପରିବାର ପାଇଁ ବେଶ୍ ସହାୟକ ହୋଇଥିବା ସେ କହିଛନ୍ତି। ପିଏମ ସୂର୍ଯ୍ୟଘର ଯୋଜନାରେ ୩କିଲୋୱାଟ ସୋଲାର ବ୍ୟବସ୍ଥା ସ୍ଥାପନ କରିଥିବା କେନ୍ଦୁଝର ଘଟଗାଁ ଅଞ୍ଚଳର ସବିତା ପଲେଇ କହିଛନ୍ତି ଯେ, ପୂର୍ବରୁ ମାସକୁ ୧୨୦୦/୧୫୦୦ ବିଦ୍ୟୁତ୍ ବିଲ୍ ଆସୁଥିବାବେଳେ ଏବେ ୧୫୦ରୁ ୨୦୦ଟଙ୍କାକୁ ତାହା ଖସି ଆସିଛି ।
ଏହି ଯୋଜନା ବିଷୟରେ ଟିପିଏନଓଡ଼ିଏଲ ପକ୍ଷରୁ ବହୁବିଧ ଜନ ସଚେତନତା କାର୍ଯ୍ୟକ୍ରମ ଜାରି ରହିଥିବାବେଳେ ଅଧିକ ଜାଣିବା ପାଇଁ ଉପଭୋକ୍ତାଙ୍କୁ ନିକଟସ୍ଥ ଟିପିଏନଓଡ଼ିଏଲ କାର୍ଯ୍ୟIଳୟ ଅଥବା ଦେୟମୁକ୍ତ ଗ୍ରାହକ ସେବା ନମ୍ବର ୧୮୦୦-୩୪୫୬-୭୧୮ କିମ୍ବା ୧୯୧୨ରେ ଯୋଗାଯୋଗ କରିବାପାଇଁ ସଂସ୍ଥା ପକ୍ଷରୁ ଦର୍ଶାଯାଇଛି I

