ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ଆସୁଛି ବାତ୍ୟା
ମେ’ ମାସରେ ପୁଣି ବାତ୍ୟା ଭୟ? ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଆଲର୍ଟରେ ଓଡ଼ିଶା । ମୌସୁମୀ ଆସିବା ପୂର୍ବରୁ ଓଡ଼ିଶା ଉପରେ ପୁଣି ଏକ ବାତ୍ୟାର କଳାବାଦଲ ଘୂରି ବୁଲୁଛି । ବିଶ୍ୱର ପ୍ରମୁଖ ପାଣିପାଗ ମଡେଲ GFS ଅନୁଯାୟୀ, ମେ ମାସର ଦ୍ୱିତୀୟ ସପ୍ତାହ ଅର୍ଥାତ୍ ୮ ରୁ ୧୪ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଯଦି ଏହି ମଡେଲର ଆକଳନ ସତ ହୁଏ, ତେବେ ଏହା କ୍ରମଶଃ ଘନୀଭୂତ ହୋଇ ଅବପାତ ଏବଂ ପରେ ଏକ ବାତ୍ୟାର ରୂପ ନେଇପାରେ । ଏହାର ଗତିପଥ ଯଦି ଉତ୍ତର-ପଶ୍ଚିମ ଦିଗକୁ ରହେ ତାହେଲେ ଓଡ଼ିଶା ସମେତ ଆନ୍ଧ୍ର ଓ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ଓ ଝଡ଼ ପବନ ସମୁଦ୍ରକୁ ଅଶାନ୍ତ କରିପାରେ । କିନ୍ତୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା କିମ୍ବା ବାତ୍ୟାର ନାମ ଘୋଷଣା କରାଯାଇ ନାହିଁ ।
ତଥାପି ରାଜ୍ୟ ସରକାର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି, ସବୁ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯିବା ସହ ଉପକୂଳବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି । ଓଡ଼ିଶା ପାଇଁ ମେ ମାସ ସବୁବେଳେ ‘ବିପଦର ମାସ’ ଭାବେ ଉଭା ହୋଇଛି । ପ୍ରାୟ ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ସମୁଦ୍ରର ଉଷ୍ମତା ବଢ଼ିବା କାରଣରୁ ଏଠାରେ ବଡ଼ ବଡ଼ ବାତ୍ୟା ସୃଷ୍ଟି ହୋଇଥାଏ । ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ, ବର୍ତ୍ତମାନର ଆକଳନ କେବଳ ଏକ ସୂଚନା। ବାତ୍ୟାର ଗତିପଥ ଓ ତୀବ୍ରତା କ’ଣ ହେବ ତାହା ଲଘୁଚାପ ସୃଷ୍ଟି ହେବା ପରେ ହିଁ ସ୍ପଷ୍ଟ ହେବ । ତେଣୁ ଭୟଭୀତ ନ ହୋଇ କେବଳ ସରକାରୀ ସୂଚନା ଉପରେ ବିଶ୍ୱାସ କରିବାକୁ କୁହାଯାଇଛି ।

