Business

ଗ୍ରୀଷ୍ମ ଋତୁର ୨,୬୯୧ ମେଗାୱାଟ୍ ଆକଳିତ ଚାହିଦାକୁ ପୂରଣ କରିବା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ ନେଟୱର୍କ ସୁଦୃଢ଼

ଭୁବନେଶ୍ୱର: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ) ଗ୍ରୀଷ୍ମ ଋତୁ ପାଇଁ ଆକଳିତ ୨,୬୯୧ ମେଗାୱାଟର ପିକ ବିଦ୍ୟୁତ ଡିମାଣ୍ଡ କୁ ପୂରଣ କରିବା ପାଇଁ ନିଜର ନେଟୱର୍କକୁ ସୁଦୃଢ଼ କରିଛି। କମ୍ପାନୀ ପକ୍ଷରୁ ୧୫୩ ଏମଭିଏ ନେଟୱର୍କ କ୍ଷମତା ବୃଦ୍ଧି କରାଯାଇଛି, ରିଅଲ-ଟାଇମ୍ ଗ୍ରୀଡ୍ ମନିଟରିଂ ବ୍ୟବସ୍ଥାକୁ ଉନ୍ନତ କରାଯାଇଛି ଏବଂ ନିଜର ସେବା ଯୋଗାଣ ଅଞ୍ଚଳ ମଧ୍ୟରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବାକୁ ୯,୦୦୦ରୁ ଅଧିକ କ୍ଷେତ୍ର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ଭୁବନେଶ୍ୱରସ୍ଥିତ ପାୱାର ଡିଷ୍ଟ୍ରିବ୍ୟୁସନ ଟେକ୍ନୋଲୋଜି ସେଣ୍ଟର ଗ୍ରୀଷ୍ମକାଳୀନ ପିକ ଡିମାଣ୍ଡ ସମୟରେ ବିତରଣ ନେଟୱର୍କ ପରିଚାଳନାର କେନ୍ଦ୍ର ବିନ୍ଦୁ ଭାବେ କାର୍ଯ୍ୟ କରେ। ଇଣ୍ଟିଗ୍ରେଟେଡ୍
ସୁପରଭାଇଜରୀ କଣ୍ଟ୍ରୋଲ ଆଣ୍ଡ ଡାଟା ଆକ୍ୱିଜିସନ୍ (ସ୍କାଡା) ଏବଂ ଆଡଭାନ୍ସଡ ଡିଷ୍ଟ୍ରିବ୍ୟୁସନ ମ୍ୟାନେଜମେଣ୍ଟ ସିଷ୍ଟମ (ଏଡ଼ିଏମଏସ) ପ୍ଲାଟଫର୍ମ ମାଧ୍ୟମରେ, ଅପରେଟରମାନେ ଲୋଡ୍ ଫ୍ଲୋ ପରିଚାଳନା କରିବା ଏବଂ ଯୋଗାଣରେ ବ୍ୟାଘାତ ସମୟରେ ତୁରନ୍ତ ସମାଧାନ ପାଇଁ ୩୩ କେଭି ଫିଡର, ପ୍ରାଇମେରୀ ସବଷ୍ଟେସନ ଏବଂ ୧୧ କେଭି ଫିଡରଗୁଡ଼ିକୁ ରିଅଲ-ଟାଇମରେ କ୍ରମାଗତ ଭାବେ ନିରୀକ୍ଷଣ କରନ୍ତି। ଏହି ବ୍ୟବସ୍ଥା ଦ୍ୱାରା ବିଦ୍ୟୁତ ତ୍ରୁଟିକୁ ତୁରନ୍ତ ଚିହ୍ନଟ କରାଯାଇପାରିବ, ଦୂର ସ୍ଥାନରୁ ସୁଇଚିଂ କରାଯାଇପାରିବ ଏବଂ ସର୍ବାଧିକ ଚାହିଦା ସମୟରେ ବିଦ୍ୟୁତ ଭାରର ସଠିକ୍ ପରିଚାଳନା କରାଯାଇପାରିବ।

ବିଦ୍ୟୁତ ପରିଚାଳନା ବ୍ୟବସ୍ଥାରେ ଥିବା ବିକଳ୍ପ ସଂଯୋଗ ଜରୁରୀ ପରିସ୍ଥିତିରେ ଗ୍ରୀଡ୍‌କୁ ଅଟକିବାକୁ ଦିଏନାହିଁ। ସେହିପରି ସହରାଞ୍ଚଳର ମୁଖ୍ୟ ସବଷ୍ଟେସନଗୁଡ଼ିକରେ ଥିବା ହଟ୍ ଷ୍ଟାଣ୍ଡବାଏ ବ୍ୟବସ୍ଥା ଯୋଗୁଁ ଯଦି କେଉଁଠି ପାୱାର ଫେଲ୍ ହୁଏ, ତେବେ ତୁରନ୍ତ ବିଦ୍ୟୁତ ସେବା ପୁନଃସ୍ଥାପନ କରାଯାଇପାରିବ।

ସବଷ୍ଟେସନ ଏବଂ ବିଦ୍ୟୁତ ଲାଇନଗୁଡ଼ିକରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ପ୍ରତିଷେଧକ ରକ୍ଷଣାବେକ୍ଷଣ କରାଯାଇଛି, ଯାହା ଯନ୍ତ୍ରପାତି ଉପରେ ପଡୁଥିବା ସମ୍ଭାବ୍ୟ ଚାପକୁ ଶୀଘ୍ର ଚିହ୍ନଟ କରିବାରେ ସାହାଯ୍ୟ କରିବ ଏବଂ ଯୋଗାଣ ବ୍ୟାଘାତକୁ କମ୍ କରିବା ପାଇଁ ସଠିକ୍ ସମୟରେ ପଦକ୍ଷେପ ନେବାକୁ ସକ୍ଷମ କରିବ।

କାଳବୈଶାଖୀ ଝଡ଼ ସମୟରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଟିପିସିଓଡିଏଲ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କମ୍ପାନୀର ବିଜନେସ୍ କଣ୍ଟିନ୍ୟୁଟି ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟ ପ୍ଲାନ ଅନୁସାରେ ଉପଯୁକ୍ତ ମାନବ ସମ୍ବଳ ଓ ସମସ୍ତ ଯାନ୍ତ୍ରିକ ଉପକରଣକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି।

ଗ୍ରୀଷ୍ମ ଋତୁ ପାଇଁ ଉପଭୋକ୍ତା ସେବା ବ୍ୟବସ୍ଥାକୁ ଅଧିକ ବ୍ୟାପକ କରାଯାଇଛି। ଟିପିସିଓଡିଏଲ୍ ଏହାର ଫ୍ୟୁଜ୍ କଲ୍ ସେଣ୍ଟର କୁ ଏଫସିସି ୨.୦ ମୋବାଇଲ୍ ଆପ୍ ଜରିଆରେ ଆହୁରି ଶକ୍ତିଶାଳୀ କରିଛି। ଗ୍ସେହିଭଳି ରୀଷ୍ମ ଋତୁ ପାଇଁ କଲ୍ ସେଣ୍ଟରର ପ୍ରସ୍ତୁତିକୁ ମଧ୍ୟ ସୁଦୃଢ଼ କରାଯାଇଛି। ବିଦ୍ୟୁତ ସେବା ସମ୍ବନ୍ଧୀୟ ଅନୁରୋଧ ଏବଂ ଅଭିଯୋଗଗୁଡ଼ିକୁ ଏକ ୨୪×୭ କଲ୍ ସେଣ୍ଟର ଓ ଡିଜିଟାଲ କମାଣ୍ଡ ସେଣ୍ଟର ମାଧ୍ୟମରେ ତଦାରଖ କରାଯାଉଛି, ଯାହା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଉପଭୋକ୍ତାଙ୍କ ମତାମତ ଏବଂ ଅଭିଯୋଗକୁ ଟ୍ରାକ୍ କରୁଛି। ଏହା ସହିତ ଏସଏମଏସ ଆଲର୍ଟ, ମିସଡ୍ କଲ୍ ସେବା ଏବଂ ସ୍ୱୟଂଚାଳିତ କଲ୍-ବ୍ୟାକ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।

ଏହିସବୁ ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଦ୍ୟୁତ ନେଟୱର୍କକୁ ଅଧିକ ସୁଦୃଢ଼ କରିବା, ଯାହାଫଳରେ ଅଧିକ ଚାହିଦା କିମ୍ବା ଖରାପ ପାଗ ସମୟରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହେଲେ ତାହାକୁ ଅତି ଶୀଘ୍ର ପୁନଃସ୍ଥାପନ କରାଯାଇପାରିବ।

Share

Leave a Reply

Your email address will not be published. Required fields are marked *

16 + eighteen =