ଶିକ୍ଷା

ସ୍ପେସ୍ ସାଇନ୍ସର ଅନୁଭୂତି ସାଉଁଟିଲେ ଟାଟା ଷ୍ଟିଲ୍ ‘ୟାଟ୍ସ’ ବିଜେତା

ଭୁବନେଶ୍ୱର, ୨.୦୬.୨୦୨୬: ଓଡ଼ିଶାର ଯୁବ ଜ୍ୟୋତିର୍ବିଜ୍ଞାନୀଙ୍କ ପାଇଁ ଏକ ବିରାଟ  ସ୍ୱପ୍ନ ସତ ହୋଇଛି। ଟାଟା ଷ୍ଟିଲ୍‌ର ‘ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ଵେଷଣ-୨୦୨୫ର ବିଜେତାମାନେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ପ୍ରମୁଖ ଲଞ୍ଚ୍ ହବ୍, ସତୀଶ ଧାୱନ ସ୍ପେସ୍ ସେଣ୍ଟର, ଶ୍ରୀହରିକୋଟାରେ ଏକ ସଫଳ ଶିକ୍ଷଣୀୟ ଭ୍ରମଣ ଶେଷ କରି ଫେରିଛନ୍ତି।

ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନରେ ଥିବା ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଏବଂ ଟାଟା ଷ୍ଟିଲ୍‌ର ମିଳିତ ସହଯୋଗରେ ଆୟୋଜିତ ଏହି ଚାରିଦିନିଆ ଶିକ୍ଷଣୀୟ ଯାତ୍ରାରେ ଛାତ୍ରଛାତ୍ରୀମାନେ ଭାରତର ମହାକାଶ କାର୍ଯ୍ୟକ୍ରମକୁ ପ୍ରତ୍ୟେକ୍ଷ ଦେଖିବା ସହ ବୈଜ୍ଞାନିକମାନଙ୍କୁ ଭେଟିଥିଲେ।

ଏହି ପରିଦର୍ଶନ ସମୟରେ ଛାତ୍ରଛାତ୍ରୀମାନେ ଇସ୍ରୋର ବୈଜ୍ଞାନିକ ଏବଂ ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କ ସହ ବିଭିନ୍ନ ମହାକାଶ ମିଶନ ଓ ନୂତନ ପ୍ରଯୁକ୍ତିବିଦ୍ୟା ବିଷୟରେ ପଚାରି ବୁଝିଥିଲେ। ଭବିଷ୍ୟତର ମାନବ ମହାକାଶ ଯାତ୍ରା ପାଇଁ ଇସ୍ରୋ ଦ୍ୱାରା ପ୍ରସ୍ତୁତ ଏଆଇ-ଚାଳିତ ହ୍ୟୁମାନଏଡ୍ ‘ବ୍ୟୋମମିତ୍ର’ ବିଷୟରେ ଜାଣିବା ଏହି ଗସ୍ତର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା।

ଛାତ୍ରଛାତ୍ରୀମାନେ ଆଇଏସଟିଆରଏସି-ଏସଏଚଏଆର ର ଡେପୁଟି ଡିଭିଜନ ହେଡ୍ ତଥା ଡେପୁଟି ପ୍ରୋଜେକ୍ଟ ଡିରେକ୍ଟର (ଟେଲିମେଟ୍ରି) ସିଏଚ. ଭେଙ୍କଟ ରମଣ, ଏସଡିଏସସି ଏସଏଚଏଆର ର ଇପି ଆଣ୍ଡ ଏଫଏମଡି ହେଡ୍ ଅମିତାଭ ମହାନ୍ତି ଏବଂ ଲାଇବ୍ରେରୀ ଅଫିସର ଏନ୍. କୁମାରଙ୍କ ସହ ମତ ବିନିମୟ କରି ରକେଟ୍ ଲଞ୍ଚ୍ ପୂର୍ବର ପ୍ରସ୍ତୁତି ଏବଂ ଇସ୍ରୋର ବୈଜ୍ଞାନିକ ଇକୋସିଷ୍ଟମ ବିଷୟରେ ଗଭୀର ଜ୍ଞାନ ଆହରଣ କରିଥିଲେ।

ଛାତ୍ରଛାତ୍ରୀମାନେ ଶ୍ରୀହରିକୋଟା ସ୍ପେସ୍‌ପୋର୍ଟର ମିଶନ କଣ୍ଟ୍ରୋଲ୍ ସେଣ୍ଟର ଏବଂ ପ୍ରଥମ ଓ ଦ୍ୱିତୀୟ ଲଞ୍ଚ୍ ପ୍ୟାଡ୍ ବୁଲି ଦେଖିଥିଲେ। ଏଥିସହ ଇସ୍ରୋର ପ୍ରମୁଖ ରକେଟ୍ ଯଥା ଏସଏସଏଲଭି, ପିଏସଏଲଭି, ଜିଏସଏସଏଲଭି, ଏଲଭିଏମ୍୩ ଏବଂ ଗଗନାୟନ ମିଶନ ପାଇଁ ବିକଶିତ ହେଉଥିବା ‘ହ୍ୟୁମାନ-ରେଟେଡ୍ ଲଞ୍ଚ୍ ଭେହିକିଲ୍’ ବିଷୟରେ ବୈଜ୍ଞାନିକମାନେ ସେମାନଙ୍କୁ ବୁଝାଇଥିଲେ।

ଏହି ଗସ୍ତ ସମ୍ପର୍କରେ ବରଗଡ଼ ବିକାଶ ରେସିଡେନ୍ସିଆଲ୍ ସ୍କୁଲ୍‌ର ଛାତ୍ରୀ ଅଂଶିକା ଦାଶ କହିଛନ୍ତି, “ଇସ୍ରୋ ପରିଦର୍ଶନ କରିବାର ଏଭଳି ସୁଯୋଗ ଦେଇଥିବାରୁ ମୁଁ ଟାଟା ଷ୍ଟିଲ୍ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି। ଏହି ଅନୁଭୂତି ମୋ ମନରେ ବିଜ୍ଞାନ ଓ ନବସୃଜନ ପ୍ରତି ଆଗ୍ରହକୁ ଆହୁରି ବଢ଼ାଇ ଦେଇଛି।“

ସେହିଭଳି କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌ର ଛାତ୍ରୀ ରିଷିତା ସାମନ୍ତରାୟ କହିଛନ୍ତି, ଲଞ୍ଚ୍ ପ୍ୟାଡ୍ ଏବଂ ମିଶନ କଣ୍ଟ୍ରୋଲ୍ ସେଣ୍ଟରକୁ ନିକଟରୁ ଦେଖିବା ଏକ ଅଦ୍ଭୁତପୂର୍ବ ଅନୁଭୂତି ଥିଲା।

କେନ୍ଦ୍ରାପଡ଼ା ଡେରାବିଶ୍ ସ୍ଥିତ ମଲ୍ଲିକେଶ୍ୱର ସରକାରୀ ହାଇସ୍କୁଲ୍‌ର ସହକାରୀ ଶିକ୍ଷକ ଜ୍ୟୋତିରଞ୍ଜନ ଚାନ୍ଦ ଏହାକୁ ପିଲାମାନଙ୍କ ପାଇଁ ଏକ ଚିରସ୍ମରଣୀୟ ଅନୁଭୂତି ବୋଲି ଅଭିହିତ କରିଛନ୍ତି।

ଗତ ମେ’ ୨୬, ୨୦୨୬ରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ।

ଚଳିତ ବର୍ଷ ୟାଟ୍ସର ୧୯ତମ ସଂସ୍କରଣର ଥିମ୍ ଥିଲା “ଆଜିର ନକ୍ଷତ୍ରଦର୍ଶୀ ଆସନ୍ତାକାଲିର ମହାକାଶଚାରୀ’। ଏଥିରେ ସମଗ୍ର ଓଡ଼ିଶାରୁ ୭୬,୭୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏବେସୁଦ୍ଧା ୫.୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।  ସେଥିମଧ୍ୟରୁ ୨୬୦ ଜଣ ବିଜେତା ଇସ୍ରୋର ବିଭିନ୍ନ କେନ୍ଦ୍ର ଭ୍ରମଣ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

6 − three =