ଟାଟା ଷ୍ଟିଲ୍ ପକ୍ଷରୁ ଶିଶୁ କର୍କଟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ସୁକିନ୍ଦା: ଖଣି ପାରିପାର୍ଶ୍ବିକ ଲୋକଙ୍କ କଲ୍ୟାଣ ପାଇଁ ନିଜ ପ୍ରତିବଦ୍ଧତାକୁ ଦୋହରାଇ ଟାଟା ଷ୍ଟିଲ୍ ପକ୍ଷରୁ ସୁକିନ୍ଦା କ୍ରୋମାଇଟ୍ ଖଣି ପରିସରରେ ଶିଶୁ କର୍କଟ ରୋଗକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଂଚଳର କିଶୋରକିଶୋରୀ ଓ ଅଭିଭାବକଙ୍କ ସମେତ ୧୫୦ରୁ ଅଧିକ ଲୋକ ଅଂଶଗ୍ରହଣ କରିିଥିଲେ।

ଶିଶୁ କର୍କଟ ରୋଗ ଉପରେ ସଚେତନ କରିବା ଲକ୍ଷ୍ୟ ନେଇ ଟାଟା ଷ୍ଟିଲ୍‌ର ସହକାରୀ ମଣ୍ଡଳ ପ୍ରବନ୍ଧକ (କର୍ମଚାରୀ କଲ୍ୟାଣ) ଡକ୍ଟର ଏଭେଲିନା ପ୍ରଶାନ୍ତ ମଜୁମଦାର କାର୍ଯ୍ୟକ୍ରମରେ ଏହି ବିଷୟ ଉପରେ ଆଲୋଚନା କରିଥିଲେ ଏବଂ ସମଗ୍ର ବିଶ୍ୱରେ ଏହି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ। ଡକ୍ଟର ମଜୁମଦାର ଲୋକଙ୍କ ମଧ୍ୟରେ ଥିବା ଶିଶୁ କର୍କଟ ରୋଗ ସମ୍ପର୍କିତ ଭ୍ରାନ୍ତଧାରଣା ଦୂର କରିବା ସହ ଏହା ଉପରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ। ଲୁକେମିଆ, ଲିମ୍ଫୋମାସ, ବ୍ରେନ୍ କ୍ୟାନସର, ସଲିଡ୍ ଟ୍ୟୁମର ଏବଂ ଏହାର ବିପଦ ସଙ୍କେତ ବିଷୟରେ ଲୋକମାନଙ୍କୁ ସେ ଅବଗତ କରିଥିଲେ।

ଏହି ଅବସରରେ ଏକ ବାହ୍ୟ ରୋଗୀ ପରାମର୍ଶ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା ଯେଉଁଠାରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆଖାପାଖ ଅଂଚଳର ଗ୍ରାମବାସୀମାନେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ।

କାର୍ଯ୍ୟକ୍ରମ ସମ୍ପର୍କରେ ଟାଟା ଷ୍ଟିଲ୍‌ର ଫେରୋ ଆଲଏଜ୍ ଆଣ୍ଡ୍ ମିନେରାଲ୍ ଡିଭିଜନର ଏକ୍‌ଜିକ୍ୟୁଟିଭ୍ ଇନ୍‌-ଚାର୍ଜ ପଙ୍କଜ ସତିଜା କହିଛନ୍ତି ଯେ, “ଉଚ୍ଚ ଆୟ ବର୍ଗ ଓ ନିମ୍ନ ମଧ୍ୟମ ଆୟବର୍ଗର ଦେଶଗୁଡ଼ିକ ମଧ୍ୟରେ କର୍କଟ ପୀଡ଼ିତ ଶିଶୁଙ୍କ ବଂଚିବା ହାର ଭିତରେ ତାରତମ୍ୟ ଅଧିକ ରହିଛି ଏବଂ ଏହି ଦୂରାରୋଗ୍ୟ ରୋଗରେ ପୀଡ଼ିତ ପିଲାମାନଙ୍କ ଆରୋଗ୍ୟରେ ଥିବା ଅନ୍ତରକୁ ଦୂର କରିବା ଲାଗି ଏହା ହେଉଛି ଉପଯୁକ୍ତ ସମୟ।’’

ଟାଟା ଷ୍ଟିଲ୍ ଫାଉଣ୍ଡେସନ ସହଯୋଗରେ ଆୟୋଜନ କରାଯାଇଥିବା ଏହି ସଚେତନତା କାର୍ଯ୍ୟକ୍ରମରେ କର୍ମଚାରୀ, ସେମାନଙ୍କ ପରିବାର ଓ ସ୍ଥାନୀୟ ଗୋଷ୍ଠୀ ସମୁଦାୟର ସଦସ୍ୟମାନେ ଭାଗନେଇ ଶିଶୁ କର୍କଟ ରୋଗର ସଙ୍କେତ, ଲକ୍ଷଣ ଏବଂ ଉପଲବ୍ଧ ସହାୟତା ବିଷୟରେ ଜାଣିବାକୁ ପାଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକମାନଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ, ଶିଶୁ କର୍କଟ ରୋଗ ବିରୋଧରେ ଲଢ଼େଇର ଏକ ମିଳିତ ଦାୟିତ୍ୱକୁ ସୁଦୃଢ଼ କରିପାରିଥିଲା।

Share

Leave a Reply

Your email address will not be published. Required fields are marked *

eighteen − fifteen =