ଫେଲ ମାରିଛି ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା

ଭୁବନେଶ୍ବର (): ରାଜ୍ୟର ଦାରିଦ୍ର‌୍ୟ ସମୀରେଖା ତଳେ ଥିବା ଗୃହିଣୀମାନଙ୍କୁ ମାଗଣାରେ ରନ୍ଧନ ଗ୍ୟାସ୍‍ ସିଲିଣ୍ଡର ଯୋଗାଇବା ନାମରେ ଯେଉଁ ମହା ଦୁର୍ନୀତି ହୋଇଛି, ତାହା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଏହି ଯୋଜନାର ଉଦ୍ଦେଶ୍ୟ ଯଥାର୍ଥ ଭାବରେ ବିନିଯୋଗ କରିପାରିଲେ ନାହିଁ କେନ୍ଦ୍ର ସରକାର । କେନ୍ଦ୍ର ସରକାର ଦାବି କରୁଛନ୍ତି ଯେ ଉଜ୍ଜ୍ବଳା ଯୋଜନା ମାଧ୍ୟମରେ ଦେଶର ୫ କୋଟି ମହିଳାଙ୍କୁ ରନ୍ଧନ ଗ୍ୟାସ୍‍ ସଂଯୋଗ ଦିଆଯାଇଛି । କିନ୍ତୁ ଏହି ଯୋଜନାର ସଫଳତାକୁ ନେଇ ବିଜୁ ମହିଳା ଜନତା ଦଳ ପ୍ରଶ୍ନ ଉଠାଇଛି । ଯେଉଁ ମହିଳାମାନଙ୍କ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ ପ୍ରକୃତରେ ସେମାନେ ତା’ର ସୁଫଳ ପାଇଛନ୍ତି କି ବୋଲି ବିଜୁ ମହିଳା ଜନତା ଦଳର ସଭାପତି ଡ. ମିନତୀ ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ।

ବିଗତ ସଂସଦ ଅଧିବେଶନରେ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଅଣତାରକା ପ୍ରଶ୍ନ ଥିଲା, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାର କେତେ ଜଣ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରଶ୍ନର ଉତ୍ତରରେ କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଥିଲେ ଯେ ଯୋଜନା ଆରମ୍ଭ ହେବା ଦିନ ଠାରୁ ଗତ ଜୁଲାଇ ୩୦ ତାରିଖ ସୁଦ୍ଧା ଓଡ଼ିଶାରେ ୩୦ଲକ୍ଷ ୪୮ ହଜାର ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତରରେ ତାଙ୍କ ଘରୋଇ ଜିଲ୍ଲା ଅନୁଗୁଳରେ ୧୦୫୫୦୮ ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିଲା । ଆର୍ଥିକ ବର୍ଷ ୨୦୧୬-୧୭ରେ ମାତ୍ର ୩୫,୪୦୬ ଜଣ ଦ୍ବିତୀୟ ରିଫିଲ୍‍ ନେଇଥିବା ବେଳେ ୨୦୧୭-୧୮ରେ ଅଦ୍ୟାବଧି ୧୬,୯୫୦ ଜଣ ହିତାଧିକାରୀ ଦ୍ବିତୀୟ ରିଫିଲ୍‍ ନେଇଛନ୍ତି । ରାଜ୍ୟରେ ସମୁଦାୟ ୩୦ଲକ୍ଷ ୪୮ ହଜାର ହିତାଧିକାରୀଙ୍କ ମଧ୍ୟରୁ ଆର୍ଥିକ ବର୍ଷ ୨୦୧୬-୧୭ରେ ୮,୧୮,୭୮୬ ହିତାଧିକାରୀ ଦ୍ବିତୀୟ ରିଫିଲ୍‍ ନେଇଛନ୍ତି ଏବଂ ୨୦୧୭-୧୮ରେ ବର୍ତ୍ତମାନ ସୁଦ୍ଧା ଏହା ହ୍ରାସ ପାଇ ୬,୪୫,୨୬୫ରେ ପହଞ୍ଚିଛି । ଏଠାରେ ଦେଖାଯାଉଛି ପ୍ରତିବର୍ଷ ଏହି ସଂଖ୍ୟା ହ୍ରାସ ପାଉଛି ବରଂ ବଢ଼ୁନାହିଁ । ଏଠାରେ ପ୍ରଶ୍ନ ଉଠୁଛି, ବାକି ୨୪ଲକ୍ଷ ହିତାଧିକାରୀ ଗଲେ କୁଆଡ଼େ? କାହିଁକି ଗ୍ୟାସ୍‍ ପୂରଣ କଲେ ନାହିଁ । ଉପରୋକ୍ତ ତଥ୍ୟରୁ ସ୍ପଷ୍ଟ ଯେ ଏଥବରେ କେବଳ ୧୦ ପ୍ରତିଶତରୁ କମ୍‍ ହିତାଧିକାରୀ ସୁବିଧା ପାଉଛନ୍ତି ବୋଲି ସେ କହିଛନ୍ତି।

ଏହି ଯୋଜନାରେ ମୁଖ୍ୟ ପ୍ରତିବନ୍ଧକ ହେଲା ହିତାଧିକାରୀଙ୍କୁ ସାମିଲ କରାଯାଇ ଦ୍ବିତୀୟ ରିଫିଲ ପାଇଁ ବଜାର ଦର ଅନୁସାରେ ନେବାକୁ କୁହାଯାଉଛି । ସବ୍‍ସିଡି ଅର୍ଥ ଠିକ୍‍ ରୂପେ ହିତାଧିକାରୀଙ୍କ ଖାତାକୁ ଆସୁନାହିଁ । ଜଣେ ହିତାଧିକାରୀ ଯଦି ତା’ର ସବ୍‍ସିଡି ଅର୍ଥ ୫/୭ ମାସ ପରେ ପାଇବ, ତେବେ ସେ ପର୍ଯ୍ୟନ୍ତ କ’ଣ ସେ ବଜାର ଦର ଅନୁସାରେ ରିଫିଲ୍‍ କିଣିବ? ଏଠାରେ କେତେଗୁଡିଏ ପ୍ରଶ୍ନ ଆସେ ଯେ ପ୍ରତି ବର୍ଷ ହିତାଧିକାରୀ ବଢ଼ିବା ବଦଳରେ କମୁଛନ୍ତି ଏବଂ ଯିଏ ଥରେ ଗ୍ୟାସ୍‍ ଭରିଛି, ଦ୍ବିତୀୟ ଥର ଗ୍ୟାସ୍‍ ରିଫିଲ୍‍ ପାଇଁ ଆସୁ ନାହାନ୍ତି, ତା’ର କାରଣ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି ।

ବିଜୁ ଜନତା ଦଳ ଆରମ୍ଭରୁ କହିଥିଲା ଯେ ଯେହେତୁ ଏହା ବ୍ୟାଙ୍କ ଏବଂ ଇଣ୍ଟରନେଟ୍‍ ସହିତ ଜଡ଼ିତ, ତେଣୁ ଏହି କ୍ଷେତ୍ରକୁ ସୁଦୃଢ଼ କରାଯାଉ । ଏଠାରେ ପ୍ରମୁଖ କଥା ହେଲା, ହିତାଧିକାରୀ ଚୟନ । ହିତାଧିକାରୀଙ୍କୁ ଚୟନ କରି କିଏ ବଣ୍ଟନ କରିବ ବୋଲି ସେତେବେଳେ ପ୍ରଶ୍ନ ଉଠିଥିଲା । ସେତେବେଳେ କୁହାଯାଇଥିଲା ଯେ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଦ୍ୱାରା ବଣ୍ଟା ଯିବ, କିନ୍ତୁ ସେଭଳି କରାଗଲା ନାହିଁ । ପରବର୍ତ୍ତୀ ସମୟରେ ଦେଖାଗଲା ଯେ ବିଜେପିର ନେତାମାନେ ନିଜେ ଚୟନ କଲେ, ଆଇଓସିଏଲ୍‍ କାର୍ଯ୍ୟକ୍ରମ ଆୟୋଜନ କଲା ଏବଂ ଏମାନେ ବାଣ୍ଟିଲେ । ଯଦି ବିଜେପିର ନେତାମାନେ ଚୟନ କଲେ ଏବଂ ବାଣ୍ଟିଲେ, ତେବେ ସେହି ହିତାଧିକାରୀମାନେ ପୁନର୍ବାର ଆସୁନାହାନ୍ତି କାହିଁକି? ଏହି ଯୋଜନାଟି ସଫଳ ଯୋଜନା ବୋଲି ଯେଉଁ ଡିଣ୍ଡିମ ପିଟାଯାଉଛି, ତାହା ନିଶ୍ଚିତ ରୂପେ ମିଥ୍ୟା ବୋଲି ଏଥିରୁ ପ୍ରମାଣିତ ହୋଇଛି । ଏଭଳି ଯୋଜନାଟି ସଫଳ ହେବା ପାଇଁ ଯେଉଁ ଆନୁସଙ୍ଗିକ ପଦକ୍ଷେପ ନିଆଯିବା କଥା, ତାହା କେନ୍ଦ୍ର ସରକାର ନେଇନାହାନ୍ତି ।

ଏହି ପରିପ୍ରେକ୍ଷିରେ ବିଜୁ ମହିଳା ଜନତା ଦଳ ଦାବି ରଖୁଛି ଯେ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରୀ ଏ ବିଷୟରେ ସଠିକ୍‍ ସ୍ପଷ୍ଟୀକରଣ ଓଡ଼ିଶାର ଜନସାଧାରଣଙ୍କ ନିକଟରେ ଦିଅନ୍ତୁ ଯେ ଏହାର ବାସ୍ତବ ଚିତ୍ର କ’ଣ ଏବଂ ଏ ସମ୍ବନ୍ଧୀୟ ଏକ ଶ୍ୱେତପତ୍ର ଉପସ୍ଥାପନ କରନ୍ତୁ । ବିପିଏଲ୍‍ ହିତାଧିକାରୀଙ୍କୁ ୫୦ ପ୍ରତିଶତ ରିହାତିରେ ଗ୍ୟାସ୍‍ ସଂଯୋଗ ଏବଂ ସେହି ରିହାତିକୁ ହିତାଧିକାରୀଙ୍କୁ ତତ୍‍କ୍ଷଣାତ୍‍ ଦିଆଯାଉ ।

Share

Leave a Reply

Your email address will not be published. Required fields are marked *

fifteen − 7 =